କାଳିଆପାଣି: ଉଚ୍ଚମାନର ଲୁହାପଥର ଉତ୍ତୋଳନ ପାଇଁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଦୈତାରୀ ଲୌହଖଣି ଦୈତାରୀ ପର୍ବତମାଳା ମଧ୍ୟରେ ରହିଛି। ଏହି ପର୍ବତମାଳାରେ ରହିଛି କଟକ ବନଖଣ୍ଡ ସୁକିନ୍ଦା ଓ ଟମକା ରେଞ୍ଜ ଅନ୍ତର୍ଗତ ୯୨୪୪.୫ ହେକ୍ଟର ବିଶିଷ୍ଟ ଦୈତାରୀ ସୁରକ୍ଷିତ ଜଙ୍ଗଲ ଓ ଏହାର ପାଖାପାଖି ୧୫ ହଜାର ହେକ୍ଟର କ୍ଷେତ୍ରଫଳର ରେବଣା ସଂରକ୍ଷିତ ଜଙ୍ଗଲ। ୧୯୭୦ ମସିହା ପର୍ଯ୍ୟନ୍ତ ମହାବଳ ବାଘର ଘର ଥିବା ଘଞ୍ଚ ଜଙ୍ଗଲ ଏବେ ଖଣି ଖନନ ପାଇଁ ଉଜୁଡ଼ିବାରେ ଲାଗିଛି। 

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର(ପଶ୍ଚିମ) ରେଞ୍ଜ୍‌ ରଞ୍ଜାଗଡ଼ ପାହାଡ଼ରୁ କେନ୍ଦୁଝର ରେବଣା ପଳାସପାଳ ପର୍ଯ୍ୟନ୍ତ ପାଖାପାଖି ୩୫ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ପର୍ବତମାଳାର ଗୋଟିଏ ପାର୍ଶ୍ବରେ ଦୈତାରୀ ଲୌହଖଣି ଓ ଅପର ପାର୍ଶ୍ବରେ ସୁକିନ୍ଦା କ୍ରୋମ୍ ଉପତ୍ୟକା ରହିଛି। ବ୍ୟାପକ ଖଣି ଖନନ ପାଇଁ ମଧ୍ୟବର୍ତ୍ତୀ ୫ ରୁ ୧୫ କିଲୋମିଟର ମଧ୍ୟରେ ଥିବା ଅଣଓସାରିଆ ଜଙ୍ଗଲରେ ବନ୍ୟଜନ୍ତୁ ଏବେ ନିରାପଦ ନୁହନ୍ତି।  ଖଣିରେ କାମ କରିବାକୁ ଆସିଥିବା ବହୁ ଶ୍ରମିକ ପରିବାର ତିନିପିଢ଼ି ଧରି ବାସବାସ କରୁଛନ୍ତି। ଖଣି ପରିଚାଳନା ଦିଗରେ ସଂପୃକ୍ତ ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅତ୍ୟାଧୁନିକ ଶୈଳୀରେ କଲୋନି ପ୍ରତିଷ୍ଠା ଅପରିହାର୍ଯ୍ୟ ହୋଇଥିବା ସ୍ଥଳେ ବହୁ ସଂଖ୍ୟାରେ ନିୟୋଜିତ ଠିକା ଶ୍ରମିକଙ୍କ ପାଇଁ ଆବାସ ଆବଶ୍ୟକ ପଡ଼ିଥିଲା। ଖଣି ଖନନ ପରେ ଆଶାନୁରୂପ ଧାତବ ଅଭାବରୁ ଗୋଟିଏ ପରେ ଗୋଟିଏ ଖଣି ବନ୍ଦ ହୋଇଯାଇଥିଲେ ହେଁ ୯୫ ପ୍ରତିଶତ ଶ୍ରମିକ ପରିବାର ଭିଟାମାଟିକୁ ଫେରିବା ସପକ୍ଷରେ ନାହାନ୍ତି। ଫଳତଃ ବିସ୍ତୀର୍ଣ୍ଣ ଜଙ୍ଗଲ କଟାଯାଇ ଆବାସ ନିର୍ମାଣର ଧାରା ଅବ୍ୟାହତ ରହିଛି। ଗତ ୫୦ ବର୍ଷ ମଧ୍ୟରେ ଦୈତାରୀ ସୁରକ୍ଷିତ ଓ ରେବଣା ସଂରକ୍ଷିତ ଜଙ୍ଗଲ ପାଖରେ ୩୦ରୁ ଅଧିକ ଗାଁ ଗଢ଼ି ଉଠିଲାଣି। 

ଓଡ଼ିଶା ଖଣି ନିଗମର ଦୈତାରୀ ଲୌହଖଣି କେନ୍ଦ୍ରୀୟ ଚିକିତ୍ସାଳୟର ଅବସରପ୍ରାପ୍ତ କର୍ମଚାରୀ ମାୟାଧର ଦାସ ପୁରୁଣା କଥାକୁ ମନେ ପକାଇ କହନ୍ତି ଯେ, ସେତେବେଳେ ୫୦ ପାଖାପାଖି ଜୁଆଙ୍ଗ ପରିବାର ଦୈତାରୀ ତାଳପଦା ଗାଁରେ ରହୁଥିଲେ। ଅଧିକାଂଶ ଜୁଆଙ୍ଗ ପରିବାର ମ୍ୟାଲେରିଆରେ ପଡ଼ି ପୋକମାଛି ଭଳି ମରିଥିଲେ। ବଞ୍ଚି ରହିଥିବା ସ୍ବଳ୍ପ ସଂଖ୍ୟକ ଜୁଆଙ୍ଗ ଗାଁ ଛାଡ଼ି ପଳାଇଥିଲେ। ୧୯୬୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ହେଲିକପ୍ଟରରେ ଦୈତାରୀ ସ୍ଥିତି ଅନୁଧ୍ୟାନ କରିଥିଲେ। ୧୯୬୩ ମସିହାରେ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ(ଆଇବିଏମ୍) ପକ୍ଷରୁ ଏଠାରେ ସର୍ଭେ ହୋଇଥିଲା।  ଆଇବିଏମ୍ ଅଧିକାରୀ ଓ କର୍ମଚାରୀ ତମ୍ବୁରେ ଏବଂ ଶ୍ରମିକମାନେ ସବୁ ଛଣଛପର ଝାଟିମାଟି ଘରେ ରହୁଥିଲେ। ସେତେବେଳେ ଉକ୍ତ କ୍ୟାମ୍ପ ପାଖରେ ବାଘ, ଭାଲୁ, ହାତୀ, ହରିଣ, ସମ୍ବର, ମୟୂର ଆଦି ବନ୍ୟଜନ୍ତୁ ସବୁ ଦେଖା ଯାଉଥିଲେ। କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ପାଇଁ ୨ଜଣ ବନ୍ଧୁକଧାରୀ ନିରାପତ୍ତାରକ୍ଷୀ ପାଳି କରି ପହରା ଦେଉଥିଲେ। ହେଲେ ଏବେ ପରିସ୍ଥିତି ବଦଳିଯାଇଛି।

ଖଣି ଓ ଶିଳ୍ପ ଜନିତ ଶବ୍ଦ ଓ ବାୟୁ ପ୍ରଦୂଷଣ ପାଇଁ ବନ୍ୟଜନ୍ତୁଙ୍କ ଅବାଧ ବିଚରଣ ଓ ପ୍ରାକୃତିକ ବାସସ୍ଥାନ ପ୍ରଭାବିତ ହୋଇଛି। ଏବେ ଦୈତାରୀ ସୁରକ୍ଷିତ ଜଙ୍ଗଲରେ ୬ ରୁ ୮ଟି କଲରାପତରିଆ ବାଘ ଥିବା ବିଭାଗୀୟ ସୂଚନା ମିଳିଛି। ରେବଣା ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ସଂଖ୍ୟା ୧୨ରୁ ଅଧିକ ବୋଲି କୁହାଯାଉଛି। ଜଙ୍ଗଲରେ ଲାଗିଥିବା ବନ ବିଭାଗ ଟ୍ରାପ୍ କ୍ୟାମେରାରେ ଉତ୍ତୋଳିତ ଏକାଧିକ କଲରାପତରିଆ ବାଘର ଫଟୋଚିତ୍ର ଦେଖି ବିଭାଗୀୟ କର୍ତ୍ତୃପକ୍ଷ ଓ ପରିବେଶବିତ ଉତ୍ସାହିତ ହୋଇଥିବା ବେଳେ ଶିକାରୀ ସକ୍ରିୟ ହୋଇ ଉଠିଛନ୍ତି। ଗତ ଅଗଷ୍ଟ ୫ ତାରିଖରେ ଟମକା ରେଞ୍ଜ୍‌ ରଥପଦା ଗାଁରୁ କୁଖ୍ୟାତ ଶିକାରୀ ପ୍ରସନ୍ନ ଚାମ୍ପିଆ ପାଖରୁ ଏକ କଲରାପତରିଆ ବାଘଛାଲ ଜବତ ହୋଇଥିଲା। ସେହିପରି ମଧ୍ୟପ୍ରଦେଶରୁ ଚାଲିଆସିଥିବା ଏକ ମହାବଳ ଗତ ମେ ମାସରୁ ରେବଣା ସଂରକ୍ଷିତ ଜଙ୍ଗଲରେ ରହୁଥିବା ସ୍ପଷ୍ଟ ହୋଇଛି। ଗତ ମେ ଓ ଜୁନ ମାସରେ ଏହି ମହାବଳ ଉଭୟ ଜଙ୍ଗଲରେ ୧୨ ରୁ ୧୫ଟି ମଇଁଷି ଶିକାର କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ୨୦୨୨ ଏପ୍ରିଲରେ ଗୁହିଆଶାଳ ଗାଁ ପାଖ ଜଙ୍ଗଲରେ ଏକ ମଇଁଷିକୁ  ମହାବଳ ବାଘ ଖାଇଥିଲା।

ସେହିପରି ହରିଚନ୍ଦନପୁର ବ୍ଲକ ବଡ଼ ପଳାସପାଳ ପଞ୍ଚାୟତ ରାଣୀପଦା ଗାଁର ଘାସିନାଥ ଦେହୁରୀଙ୍କ ହାତୀଖୁଣ୍ଟିସ୍ଥିତ ଗୋଠରେ ପଶି ମହାବଳ ଏକ ମଇଁଷି ଶିକାର କରିଥିଲା। ଏହାପରେ ମଇଁଷି ମଢ଼ରେ ଉତ୍କଟ ବିଷ ପକାଇ ବାଘକୁ ହତ୍ୟା କରାଯାଇଥିଲା। ୨୦୨୨ ମେ ୧୯ରେ ବନ ବିଭାଗ ଅଭିଯୁକ୍ତ ବୁଟୁ ମହାକୁଡ଼ ଘରେ ଚଢ଼ଉ କରି ମହାବଳର ଛାଲ ଜବତ କରିଥିଲା। ଏହି ସବୁକୁ ଦେଖିଲେ ଏହି ଜଙ୍ଗଲ ବାଘଙ୍କ ଘର ହୋଇଥିବା ବେଳେ ଏବେ ମଣିଷ ଘର କରି ଜଙ୍ଗଲ ପଦା କରିବାରେ ଲାଗିଛି।