ବିବାହ ବିଚ୍ଛେଦ ମାମଲା: ନ୍ୟାୟ ପାଇଁ ୪ ବର୍ଷ ହେଲା ଦୌଡ଼ୁଛନ୍ତି ଇଞ୍ଜିନିୟର; ବେଙ୍ଗାଲୁରୁରେ ଚାକିରି, ହାଜର ପାଇଁ ଆସୁଛନ୍ତି ଓଡ଼ିଶା

ଦୁଇ ଥର ଦୁର୍ଘଟଣାର ଶିକାର ହୋଇଛନ୍ତି
ବିଳମ୍ବିତ ବିଚାର ପ୍ରକ୍ରିୟା ପାଇଁ ମାନସିକ ଅବସାଦରେ ରହୁଛନ୍ତି

ଭୁବନେଶ୍ବର : ହିନ୍ଦୀ ଫିଲ୍ମ ଦାମିନୀର ଚର୍ଚ୍ଚିତ ଡାଏଲଗ୍ ‘ତାରିଖ୍ ପେ ତାରିଖ୍, ତାରିଖ୍ ପେ ତାରିଖ, ତାରିଖ ପେ ତାରିଖ’। ଖାଲି ମିଲତେ ହେଁ ତାରିଖ।’ କୋର୍ଟରେ ଏକ ମାମଲାର ବିଚାର ବିଳମ୍ବ ନେଇ ଏ ଥିଲା ବଲିଉଡ୍ ହିରୋ ସନ୍ନି ଦେଓଲଙ୍କ ଡାଏଲଗ୍। ଏହାର ଏକ ଜ୍ବଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ବିବାହ ବିଚ୍ଛେଦ ମାମଲାରେ ନ୍ୟାୟ ପାଇଁ ୪ ବର୍ଷ ହେଲା କୋର୍ଟକୁ ଦୌଡ଼ୁଛନ୍ତି ଜଣେ ସଫ୍ଟଓ୍ଵେୟର୍‌ ଇଞ୍ଜିନିୟର୍‌। ବେଙ୍ଗାଲୁରୁରେ ଚାକିରି ହୋଇଥିବା ବେଳେ ମାମଲାର ଶୁଣାଣି ପାଇଁ ତାଙ୍କୁ ବାରମ୍ବାର ଓଡ଼ିଶା ଆସିବାକୁ ପଡ଼ୁଛି। ଫଳରେ ଉଭୟ ଚାକିରି ଓ ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯୁବ ଇଞ୍ଜିନିୟର୍‌। ଖାଲି ସେତିକି ନୁହେଁ, କୋର୍ଟକୁ ଯାଉଥିବା ବେଳେ ଦୁଇ ଦୁଇଥର ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ସେ ଏବେ ମାନସିକ ଅବସାଦ ଦେଇ ଗତି କରୁଥିବା କହିଛନ୍ତି। ସେ ହେଲେ, ଯାଜପୁର ଟମକା ଥାନା ଅନ୍ତର୍ଗତ ଟୋଲକାନି ଅଞ୍ଚଳର ପ୍ରଶାନ୍ତ କୁମାର ନାୟକ।

ପ୍ରଶାନ୍ତଙ୍କ କହିବା ଅନୁସାରେ, ୨୦୧୫ ଜୁନ୍‌ରେ ତାଙ୍କର ବିବାହ ହୋଇଥିଲା। ପାରିବାରିକ ସମସ୍ୟା, ମନୋମାଳିନ୍ୟ ହେବାରୁ ୨୦୧୫ ଡିସେମ୍ବର ପରଠାରୁ ପତ୍ନୀଙ୍କ ସହ ଆଉ କୌଣସି ସମ୍ପର୍କ ନଥିଲା। ସେବେଠାରୁ ସେମାନେ ଅଲଗା ରହୁଛନ୍ତି। ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପାଇଁ ପ୍ରଶାନ୍ତ ୨୦୧୭ ନଭେମ୍ବରରେ ଯାଜପୁର ପରିବାର ଅଦାଲତରେ ଏକ ମାମଲା(୨୪୯/୨୦୧୭) କରିଥିଲେ। ସେହି ମାମଲାରେ ଗତ ୪ବର୍ଷ ଭିତରେ ତାଙ୍କୁ ୩୦ଥର ଦୌଡ଼ିବାକୁ ପଡ଼ିଲାଣି। ଏପରିକି କୋର୍ଟରେ ସେ ଜଜ୍‌ଙ୍କୁ ମାମଲାର ତୁରନ୍ତ ଶୁଣାଣି ପାଇଁ ଅନୁରୋଧ ମଧ୍ୟ କରିଥିବା କହିଛନ୍ତି। କିନ୍ତୁ ତାରିଖ ପରେ ତାରିଖ ଗଡ଼ୁଥିଲେ ମଧ୍ୟ ବିଚାର ପ୍ରକ୍ରିୟା ଶେଷ ହୋଇପାରୁନାହିଁ। ଏଥିପାଇଁ ସେ ମାନସିକ ଅବସାଦରେ ରହୁଛନ୍ତି ବୋଲି କହିଛନ୍ତି। ବିଚାର ପ୍ରକ୍ରିୟା ଆହୁରି ବିଳମ୍ବିତ ହେଲେ, ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି।

ଏହା କେବଳ ପ୍ରଶାନ୍ତଙ୍କ କ୍ଷେତ୍ରରେ ନୁହେଁ, ବିଳମ୍ବିତ ବିଚାର ପ୍ରକ୍ରିୟା ଯୋଗୁଁ ଅନେକ ଲୋକ ମାନସିକ ଅବସାଦରେ ରହୁଛନ୍ତି। କିଏ ଜେଲରେ ଦିନ କାଟୁଛି ତ ଆଉ କାହାର ମାନସିକ ସ୍ଥିତି ବିଗିଡ଼ି ଯାଉଛି। ବିଳମ୍ବିତ ବିଚାର ପ୍ରକ୍ରିୟାକୁ ନେଇ ଅନେକଥର ଉଦ୍‌ବେଗ ମଧ୍ୟ ପ୍ରକାଶ ପାଇଛି।

୨୦୧୩ରେ ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଏକ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କୁମାର ବିଶ୍ବାଳ ୨୦୧୮ ମେ’ ୧୧ତାରିଖରେ ଝାରପଡ଼ା ଜେଲରେ ଆତ୍ମହତ୍ୟା କରିଥିଲେ। ବିଳମ୍ବିତ ବିଚାର ପାଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ଜିତେନ୍ଦ୍ରଙ୍କ ସପକ୍ଷରେ ଯାଉଥିବା ବେଳେ ବିଳମ୍ବିତ ବିଚାର ପ୍ରକ୍ରିୟା ଯୋଗୁଁ ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। ମାମଲାର ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ନମିଳିବାରୁ ପରବର୍ତ୍ତୀ ସମୟରେ ସେମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଜେଲ୍ ଭିତରେ ଜିତେନ୍ଦ୍ରଙ୍କ ଆତ୍ମହତ୍ୟାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ୧୫ ଲକ୍ଷ ମାମଲା ଏବେ ବିଚାର ପାଇଁ କୋର୍ଟରେ ପଡ଼ି ରହିଛି। କେବଳ ହାଇକୋର୍ଟରେ ଗତ ୧୧ତାରିଖ ସୁଦ୍ଧା ୧ ଲକ୍ଷ ୮୮ ହଜାର ୫ ଶହ ମାମଲା ପଡ଼ି ରହିଛି। ସେହିପରି ତଳ କୋର୍ଟଗୁଡ଼ିକରେ ୧୩ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ କହିଛନ୍ତି, ମାମଲା ଅନୁପାତରେ ବିଚାରପତିଙ୍କ ସଂଖ୍ୟା କମ୍ ରହୁଛି। ସେହିପରି ଲୋକଙ୍କ ଅନୁପାତ ହିସାବକୁ ଦେଖିଲେ ମଧ୍ୟ ବିଚାରପତିଙ୍କ ସଂଖ୍ୟା କମ୍ ଅଛି। ଏହା ବିଚାର ପ୍ରକ୍ରିୟା ବିଳମ୍ବ ହେବାର ପ୍ରମୁଖ କାରଣ। ଦେଢ଼ବର୍ଷରୁ ଅଧିକ ସମୟ ଧରି କରୋନା ପାଇଁ ବିଚାର ବ୍ୟବସ୍ଥା ଉପରେ ଚାପ ବଢ଼ିଯାଇଛି। ମାମଲା ସଂଖ୍ୟା ଢେର୍ ଅଧିକ ହୋଇଯାଇଛି। ଆଇନଜୀବୀ ସିଦ୍ଧାର୍ଥ ଦାସଙ୍କ କହିବା ଅନୁସାରେ, କରୋନାରେ ଯେଉଁ କ୍ଷତି ହୋଇଛି, କାର୍ଯ୍ୟ ଦିବସ ଆହୁରି ବଢ଼ାଇ ଦିଆଯାଇପାରିଲେ, ତାହା ଭରଣା ହୋଇପାରିବ।

ସମ୍ବନ୍ଧିତ ଖବର