କଟକ: ଅନୁଭବ-ବର୍ଷା ବିବାଦ ମାମଲାରେ ଆଜି ନୂଆ ମୋଡ଼ ଆସିଛି। ଅନୁଭବ-ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିବା ଆବେଦନକୁ ଖାରଜ କରି ୨୦୨୩ ସେପ୍ଟେମ୍ବର ୨୨ରେ କଟକ ପରିବାର ଅଦାଲତ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥିସହିତ ଏହି ମାମଲାରେ ଅନୁଭବ ଛାଡ଼ପତ୍ର ପାଇବାକୁ ଯୋଗ୍ୟ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଅନୁଭବଙ୍କ ତରଫରୁ ଦାୟର ମାମଲାର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ଦର୍ଶାଇଥିଲେ ଯେ ଅନୁଭବ ଓ ବର୍ଷାଙ୍କ ଭିତରେ ବୈବାହିକ ପୂର୍ଣ୍ଣତା ନଥିବା ପରିବାର ଅଦାଲତରେ କରାଯାଇଥିବା ସାକ୍ଷ୍ୟ ଗ୍ରହଣରୁ ସ୍ପଷ୍ଟ ହୋଇଥିଲା। ଏଥି ସହିତ ବିବାହ ପରେ ଅନୁଭବ ନିର୍ଯାତନାର ଶିକାର ହୋଇଥିବା ମଧ୍ୟ ତଥ୍ୟ ପ୍ରମାଣରୁ ଜଣା ପଡ଼ିଥିଲା। ବିବାହ ବିଚ୍ଛେଦ ପାଇଁ ଏହା ଏକ ଉପଯୁକ୍ତ ମାମଲା ହୋଇଥିବା ବେଳେ ପରିବାର ଅଦାଲତ କିନ୍ତୁ ତଥ୍ୟ ପ୍ରମାଣକୁ ବିଚାରକୁ ନ ନେଇ ଅନୁଭବଙ୍କ ଛାଡ଼ପତ୍ର ଆବେଦନ ଖାରଜ କରିଥିଲେ। ବର୍ଷାଙ୍କ ତରଫରୁ ଏପରି ଯୁକ୍ତିକୁ ବିରୋଧ କରାଯାଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ପରିବାର ଅଦାଲତଙ୍କ ସେପ୍ଟେମ୍ବର ୨୨ର ନିର୍ଦ୍ଦେଶକୁ ରଦ୍ଦ କରିବା ସହିତ ବିବାହ ବିଚ୍ଛେଦ ସପକ୍ଷରେ ରାୟ ଦେଇଛନ୍ତି ବୋଲି ଅନୁଭବଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୨୩ ସେପ୍ଟେମ୍ବର ୨୨ରେ କଟକ ପରିବାର ଅଦାଲତ ଅନୁଭବଙ୍କ ପକ୍ଷରୁ ଦାୟର ଛାଡ଼ପତ୍ର ଆବେଦନ ସହିତ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ରୁଜୁ କରିଥିବା ମାମଲାକୁ ଖାରଜ କରିଥିଲେ। ଏହି ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅକ୍ଟୋବର ୧୭ରେ ହାଇକୋର୍ଟ ଅନୁଭବଙ୍କ ଆବେଦନର ଶୁଣାଣି କରି ବର୍ଷାଙ୍କୁ ନୋଟିସ୍ କରିବା ସହିତ ନିମ୍ନ ଅଦାଲତର ରେକର୍ଡ ତଲବ କରିଥିଲେ।
ଛାଡପତ୍ର ପାଇଁ ପ୍ରଥମେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ୨୦୨୦ ଜୁଲାଇ ୧୬ରେ ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୦ ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଆପୋସ ବୁଝାମଣା ସମ୍ଭାବନାକୁ ଦୃଷ୍ଟିରେ ରଖି ମାମଲାକୁ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇଥିଲେ।
ଏଥି ସହିତ ପଟିଆଲା ହାଉସ ଫ୍ୟାମିଲି କୋର୍ଟରେ ବିଚାରାଧୀନ ଅନୁଭବଙ୍କ ଆବେଦନର ଶୁଣାଣି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣାରେ ବିବାଦର ସମାଧାନ ହୋଇ ପାରି ନଥିଲା। ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ଅନ୍ୟପକ୍ଷରେ ଦାମ୍ପତ୍ୟ ଜୀବନ ସୁରକ୍ଷା ପ୍ରସଂଗ ନେଇ ବର୍ଷା ମଧ୍ୟ ଏକ ଆବେଦନ ପରିବାର ଅଦାଲତରେ ଦାୟର କରିଥିଲେ। କଟକ ପରିବାର ଅଦାଲତ ଉଭୟ ମାମଲାର ଶୁଣାଣି କରି ତାହାକୁ ଖାରଜ କରିବା ପରେ ଅନୁଭବ ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶାଶ୍ବତ ଆଚାର୍ଯ୍ୟ, ସ୍ବଦେଶ ରଥ, ଚନ୍ଦନା ମିଶ୍ର, ଜାଗୃତି ସାହୁ ସହାୟତା କରୁଥିଲେ।