ରାଉରକେଲା: ଜାତୀୟ କ୍ରିକେଟ୍ ଏକାଡେମୀରେ ସ୍ଥାନ ପାଇଛନ୍ତି ରାଉରକେଲାର ଝିଅ ଦିବ୍ୟା ରାଉତ। ନିଷ୍ଠା ଓ କଠିନ ପରିଶ୍ରମ ତାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀରେ ଖେଳିବାର ସୁଯୋଗ ମିଳିଛି। ଖୁବ୍ଶୀଘ୍ର ସେ ଏକାଡେମୀ ପକ୍ଷରୁ ଗୁଜୁରାଟରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ। ଭାରତୀୟ ୧୯ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ସାମିଲ ହୋଇ ମହିଳା ଆଇପିଏଲ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତ। ଦିବ୍ୟା ଜାତୀୟ କ୍ରିକେଟ୍ ଏକାଡେମୀରେ ସ୍ଥାନ ପାଇଥିବାରୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସରକାରୀ ସ୍ବୟଂ ଶାସିତ କଲେଜର ଅଧ୍ୟକ୍ଷ ବିଜୟ ବେହେରା ଓ ତାଙ୍କ କୋଚ୍ ପ୍ରଶାନ୍ତ କାୟସ୍ଥ ଶୁଭେଚ୍ଛା ଜଣାଇଛନ୍ତି। ଛେଣ୍ଡ କଲୋନି ଚିନ୍ମୟ ବିଦ୍ୟାଳୟରେ ପଢ଼ୁଥିବା ଦିବ୍ୟାଙ୍କର କ୍ରିକେଟ୍ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା।
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ପ୍ରଶାନ୍ତ କାୟସ୍ଥଙ୍କ ଦ୍ୱାରା ପ୍ରଗତି ସ୍ପୋର୍ଟିଙ୍ଗ ପକ୍ଷରୁ କ୍ରିକେଟ୍ ପ୍ରଶିକ୍ଷଣ ଦିଆଯାଉଥିଲା। ୪୨ଜଣ ପୁଅ ଓ ଝିଅମାନ ପ୍ରଶିକ୍ଷଣ ନେଉଥିଲେ। ୧୯୯୧ ମସିହାରୁ ଓଡ଼ିଶା କ୍ରିକେଟ ପ୍ରଶିକ୍ଷକ କିଶୋର ମାଣିଆଙ୍କ ଉତ୍ସାହ ଓ ଦିଗ୍ଦର୍ଶନରେ ପ୍ରଶାନ୍ତ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ କରିଥିଲେ। ଉଦୀୟମାନ କ୍ରିକେଟ ଖେଳାଳୀ, ଯେଉଁମାନେ ଅର୍ଥ ଅଭାବରୁ ପ୍ରଶିକ୍ଷଣ ପାଇବାରୁ ବଞ୍ଚିତ ହେଉଥିଲେ, ସେମାନଙ୍କୁ ପ୍ରଶାନ୍ତ ପ୍ରଶିକ୍ଷଣ ଦେଉଥିଲେ।
୪୨ ଖେଳାଳୀଙ୍କ ମଧ୍ୟରେ ଥିଲେ ଦିବ୍ୟା। ୨୦୨୨ ମସିହାରେ ପ୍ରଥମେ ଓଡ଼ିଶା ଦଳରୁ ୧୯ ବର୍ଷରୁ କମ୍ ଦଳରେ ଖେଳିବା ପାଇଁ ସେ ସୁଯୋଗ ପାଇଥିଲେ। ଦୀପକ ରାଉତରାୟ ଓ ମା ବିଜୟଲକ୍ଷ୍ମୀଙ୍କ ଆଦ୍ୟ ପ୍ରେରଣା ପାଇ ଦିବ୍ୟା ନିଜ ଘରେ ଓ ଘର ପାଖରେ ଆରମ୍ଭ କରିଥିଲେ କ୍ରିକେଟ ଖେଳ। ଏହାପରେ କିଛି ପୁଅମାନଙ୍କ ସହିତ ମଧ୍ୟ ଖେଳିଥିଲେ। ପରେ ପ୍ରଶାନ୍ତଙ୍କ ସମ୍ପର୍କରେ ସୂଚନା ପାଇ ତାଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଚାଲୁଥିବା ଏହି ପ୍ରଶିକ୍ଷଣ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବେହେରା। କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ। ଯାହାକୁ ସେ ସଫଳତା ପ୍ରଥମ ସୋପାନରେ ପ୍ରମାଣିତ କରି ଦେଖାଇଛନ୍ତି। ଭବିଷ୍ୟତରେ ଆପିଏଲ୍ରେ ଭାଗ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି।