ଦିବ୍ୟ-ଗୋବିନ୍ଦ କୋଦୋଭଟାରେ ଭେଟ୍‌ଘାଟ୍‌; ଚଞ୍ଚକତା କରି ବହୁ ଜମି ହଡ଼ପ, ଅଭିଯୋଗ କଲେ କେସ୍‌ ଠୁଙ୍କିବାର ଭୟ

ଜମି କେଳେଙ୍କାରୀ ଘଟଣାର ତଦନ୍ତ କରିବ କି ଜିଲ୍ଲାପ୍ରଶାସନ?

ଭବାନୀପାଟଣା : ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ଓ ମହାଲିଙ୍ଗ୍‌ କଲେଜ ମାଲିକ ତଥା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର କୋଦୋଭଟାରେ ଭେଟ ନେଇ ରୋଚକ ତଥ୍ୟ ପ୍ରଘଟ ହେବାରେ ଲାଗିଛି। ଚଞ୍ଚକତା କରି ଏକର ଏକର ଜମି ହଡ଼ପ କରି ଗୋବିନ୍ଦ ନିଜର ଶିକ୍ଷା ବେପାରର ସାମ୍ରାଜ୍ୟ ବୃଦ୍ଧି କରିବାରେ ଲାଗିଥିଲା। ରାଜନେତା ଓ ପ୍ରଭାବଶାଳୀ ଲୋକଙ୍କ ତା ଉପରେ ଆଶୀର୍ବାଦ ଥିଲା। ଏଥିପାଇଁ ଅଞ୍ଚଳର ଲୋକମାନେ ତା ବିରୋଧରେ ପାଟି ଖୋଲୁନଥିଲେ। ତହସିଲ୍‌ ଓ ଥାନାକୁ ହାତ କରି ଗୋବିନ୍ଦ ନିଜର ଜମି କେଳେଙ୍କାରୀକୁ ବେଧଡ଼କ ଭାବେ ବଢ଼ାଉଥିଲା। ଏହି କୋଦୋଭଟାର ସାମ୍ରାଜ୍ୟରେ ମନ୍ତ୍ରୀ ଦିବ୍ୟଙ୍କ ପାଦ ପଡ଼ିବା ଓ ଗୋବିନ୍ଦ ସହିତ ଭେଟକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।

ପ୍ରକାଶ ଯେ ଠିକାଦାରରୁ ଶିକ୍ଷା ବେପାରୀ ସାଜିଥିବା ମମିତା ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ଗୋଲାମୁଣ୍ଡା ବ୍ଲକ୍‌ ମହାଲିଙ୍ଗ୍‌ର କୋଦୋଭଟାରେ ନିଜ ଶିକ୍ଷା ସାମ୍ରାଜ୍ୟର ସୌଧ ନିର୍ମାଣ କରିଛି। ମହାଲିଙ୍ଗ୍‌ରେ ଖାତା ନଂ ୧୪୩, ୫୭୭/୩୯୮ ଓ ୫୭୭/୯୮ରେ ଗୋବିନ୍ଦ ସାହୁ ନାମରେ ୧ଏକର ୬୧ ଡିସିମିଲ୍‌ ଜମି ରହିଛି। ସେହିଭଳି କୋଦୋଭଟା ମୌଜାରେ ୨ ଏକରରୁ ଅଧିକ ଜମି କିଣିଛି। ଏହି କୋଦୋଭଟା ମୌଜାରେ ସନ୍‌ ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଓ ଆଞ୍ଚଳିକ ଜୁନିୟର କଲେଜ୍‌ ଅବସ୍ଥିତ। ଗୋବିନ୍ଦ ସାହୁର ଯୁକ୍ତ ୩ ବିଜ୍ଞାନ କଲେଜ୍‌, ଯୁକ୍ତ ୨ ଜୁନିଅର ଆଞ୍ଚଳିକ କଲେଜ୍‌ ଏବଂ ସ୍କୁଲ୍‌ ସମୁଦାୟ ୯ ଏକର ଜମିରେ ଅବସ୍ଥିତ। ବହୁ ଜମିକୁ ସେ ନିଜ ପରିବାର ସଦସ୍ୟଙ୍କ ନାମରେ କରିଛି। ସେହିଭଳି ଆଦିବାସୀଙ୍କ ଜଙ୍ଗଲ ଜମିକୁ ହଡ଼ପ କରି ଫାର୍ମ ହାଉସ୍‌ ନିର୍ମାଣ କରିଛି। କୋଦୋଭଟା ମୌଜାରେ ଖାତା ନଂ ୧୬୮ ପ୍ଲଟ୍‌ ନଂ ୬୪୭ରେ ଶାନ୍ତନୁ ସିଂହଙ୍କ ୧ଏକର ୨୦ ଡିସିମିଲ୍‌ ଜାଗା ଥିଲା। ଡିସିମିଲ୍‌କୁ ୨ ହଜାର ଟଙ୍କା ହିସାବରେ ଜମି ବିକ୍ରି ପାଇଁ ସହମତି ହୋଇଥିଲା। ଜମି ରେଜିଷ୍ଟ୍ରେସନ୍‌ ବେଳେ ୩୦ ହଜାର ଟଙ୍କା ଗୋବିନ୍ଦ ଦେଇଥିଲା। ପରେ ବକେୟା ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇ ଆଉ ଟଙ୍କା ଦେଇନଥିଲା। ଟଙ୍କା ମାଗିବାରୁ କେଗାଁ ପୁଲିସକୁ ଡାକି ଧମକଚମକ ଦେଇ ଘଟଣାକୁ ଚପେଇ ଦେଇଥିଲା। ଶାନ୍ତନୁ ସିଂହଙ୍କ ୩୨ ଡିସିମିଲ୍‌ ଜମିକୁ ଅକ୍ତିଆର କରି କଲେଜ୍‌ ନିର୍ମାଣ କରିଛି।

ସେହିଭଳି ଶାନ୍ତନୁଙ୍କ ପୁଅ ସଂଜୀବ ସିଂହକୁ ବୈଦେହୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପିଅନ ଚାକିରି ଦେବା ପାଇଁ ପ୍ରଲୋଭାନ ଦେଖାଇଥିଲା। ଏଥିପାଇଁ ଖାତା ନଂ ୧୬୮ ପ୍ଲଟ୍‌ ନଂ ୬୪୯ରେ ୭୩ ଡିସିମିଲ୍‌ ଜାଗା ଦାନ କରିବା ପାଇଁ କହିଥିଲା। ୨୦୧୭ ମସିହାରେ ଆରମ୍ଭ ହୋଇଥିବା ଏହି ସ୍କୁଲ୍‌ ୨ବର୍ଷ ପରେ ବନ୍ଦ ହୋଇଯାଇଥିଲା। ପରେ ଏହି ସ୍କୁଲ୍‌ର ୪୩ ଡିସିମିଲ୍‌ ଜମିକୁ ଗୋବିନ୍ଦ ଅକ୍ତିଆର କରିଛି। ବର୍ତ୍ତମାନ ଏହି ଜମିରେ ଯୁକ୍ତ ୩ ହଷ୍ଟେଲ୍‌ ନିର୍ମାଣ କରିଛି। ଏଭଳି ଚଞ୍ଚକତା କରି ଏକର ଏକର ଜମି ହଡ଼ପ କରି ନିଜର ଶିକ୍ଷା ସୌଧ ନିର୍ମାଣ କରିଛି। ମହାଲିଙ୍ଗ୍‌ କଲେଜ୍‌ରେ ସରକାରଙ୍କ ମାଳ ମାଳ ଯୋଜନାରେ ବିରାଟ କୋଠା ନିର୍ମାଣ ହୋଇଛି। ମନ୍ତ୍ରୀଙ୍କ କୋଦୋଘାଟରେ ପାଦ ପଡ଼ିବା ଯୋଗୁ ବିଡିଓ, ତହସିଲଦାର ଓ ଥାନା ଅଧିକାରୀମାନେ ଗୋବିନ୍ଦ ସାହୁକୁ ସୁରକ୍ଷା ଦେବାରେ ଲାଗି ପଡୁଥିଲେ। ଲୋକଙ୍କୁ କେସ୍‌ ଠୁଙ୍କିବା ଭୟ ଦେଖାଇବା ଓ ବିଭିନ୍ନ ପ୍ରକାରରେ ହଇରାଣ ହରକତ କରୁଥିଲା। ମନ୍ତ୍ରୀଙ୍କ ନିର୍ବାଚନ ବେଳେ ସାରଥୀ ସାଜିଥିବା ଗୋବିନ୍ଦ ସାହୁକୁ ଅଭୟ ବାଣୀ ମିଳୁଥିଲା। ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ସିଂହ ଭାଗ ଅନୁଦାନ ଗୋବିନ୍ଦ ସାହୁର କଲେଜରେ ଖର୍ଚ୍ଚ ହେଉଥିଲା। ମନ୍ତ୍ରୀଙ୍କ ହାତ ବାରିସୀ ସାଜିଥିବା ଗୋବିନ୍ଦ ରାଜନୀତିରେ ପ୍ରମୁଖ ଭୋଟବ୍ୟାଙ୍କର କାରପଟଦାର ସାଜିଥିଲା। ବହୁ ହଡ଼ପ ଜମିରେ ସରକାରଙ୍କ ଅନୁଦାନରେ ନିର୍ମାଣ ହୋଇଥିବା କାର୍ଯ୍ୟର ନିରପେକ୍ଷ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ। ରାଜ୍ୟ ସରକାର ଦିବ୍ୟ ଓ ଗୋବିନ୍ଦର କଳାକାରନାମାକୁ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର