ବୁଝାମଣା ଉଦ୍ୟମ କରିଥିଲେ ଦିବ୍ୟଶଙ୍କର: ମନ୍ତ୍ରୀଙ୍କ ରାୟପୁର ଘରେ ହୋଇଥିଲା ଆଲୋଚନା

ସରକାରଙ୍କୁ ଟାର୍ଗେଟ୍‌ କଲେ ବିଜୟ

ଭୁବନେଶ୍ବର: ମମିତା ମେହେରଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକୁ ଲୋକଲୋଚନକୁ ଆଣିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ଭୂମିକାକୁ ଇଙ୍ଗିତ କରି ସେ କହିଛନ୍ତି ଯେ ଗୋବିନ୍ଦ ସାହୁ ଓ ମମିତାଙ୍କ ମଧ୍ୟରେ ବୁଝାମଣା କରିବାକୁ ଚେଷ୍ଟା କରାଯାଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଥିଲେ ଏହାର ସୂତ୍ରଧର। ମନ୍ତ୍ରୀ ତାଙ୍କ ରାୟପୁରସ୍ଥିତ ବାସଭବନରେ ଏହି ଉଦ୍ୟମ କରିଥିଲେ। ଉଭୟ ଗୋବିନ୍ଦ ସାହୁ ଓ ମମିତା ସେଠାକୁ ଯାଇଥିଲେ। ତେବେ ବୁଝାମଣା ବିଫଳ ହୋଇଥିଲା। ଶ୍ରୀ ମହାପାତ୍ର ଏପରି ଖୁଲାସା କଲା ପରେ ରାଜନୈତିକ ମହଲରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ କଲ୍ ରେକର୍ଡ ଯାଞ୍ଚ କଲେ ସବୁ ସ୍ପଷ୍ଟ ହୋଇଯିବ। ତେବେ ମନ୍ତ୍ରୀଙ୍କର କିଛି କଲ୍‌ ରେକର୍ଡକୁ ପୁଲିସ୍‌ ଯାଞ୍ଚ କରିଛି। ଏହି ରିପୋର୍ଟକୁ ସିଲ୍‌ କରି ତୃତୀୟ ମହଲାକୁ ବି ଦେଇଛି। କିନ୍ତୁ କିଛି ଅଫିସର ଏହାକୁ ଲୁଚାଇ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏହା ଦିଆଯାଇ ନାହିଁ। ମୁଖ୍ୟମନ୍ତ୍ରୀ ନିଜେ ରେକର୍ଡ ମଗାଇ ଅନୁଧ୍ୟାନ କରନ୍ତୁ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ତେବେ ମନ୍ତ୍ରୀଙ୍କ ସମସ୍ତ କଲ୍‌ ‌ରେକର୍ଡକୁ ପୁଲିସ ଯାଞ୍ଚ୍ କରିବା ଆବଶ୍ୟକ। ମମିତାଙ୍କ ମୋବାଇଲ ପୋଡ଼ିଯାଇଥିବା କଥା କୁହାଯାଉଛି। ମୋବାଇଲ୍ ପୋଡ଼ି ଯାଇଥାଉ କି ହଜିଯାଉ, ସେଥିରେ କିଛି ଫରକ ପଡ଼ିବନି। କଲ୍‌ ରେକର୍ଡ ଯାଞ୍ଚ୍‌ କରିବାରେ କିଛି ଅସୁବିଧା ନାହିଁ। ଗୋବିନ୍ଦ ସାହୁଙ୍କ କଲେଜକୁ କେବଳ କିଛି ମନ୍ତ୍ରୀ ଯାଉ ନଥିଲେ। କିଛି ବଡ଼ ବଡ଼ ସରକାରୀ ଅଫିସର ବି ଯାଉଥିଲେ। ଏହା ମଧ୍ୟ ଲୋକଲୋଚନକୁ ଆସିବା ଦରକାର।

ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ତୀବ୍ର ସମାଲୋଚନା କରି ଶ୍ରୀ ମହାପାତ୍ର କହିଛନ୍ତି, ଏହା ଅତ୍ୟନ୍ତ ଭୟଙ୍କର ଘଟଣା। ଏପରି ଘଟଣା ଓଡ଼ିଶାରେ କେବେ ହୋଇ ନ ଥିଲା। କିନ୍ତୁ ପୁଲିସ ଠିକ୍ ଭାବେ ତଦନ୍ତ ନ କରି ଅନାବଶ୍ୟକ ଘଟଣାରେ ଲିପ୍ତ ଅଛି। ସେଥିପାଇଁ ସନ୍ଦେହ ବଢ଼ୁଛି। ପୁଲିସ ମାମଲାକୁ ଦୁର୍ବଳ କରିଦେବାକୁ ଚେଷ୍ଟା କରିବା ସହିତ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଖସାଇ ଦେବାକୁ ପ୍ରୟାସ କରୁଛି। ଡିଆଇଜି ଓ ଏସ୍‌ପି କୌଣସି ଅପରାଧର ତଦନ୍ତ କରୁଥିବା ଭଳି ଲାଗୁ ନାହିଁ। ଲାଗୁଛି ସେମାନେ ଯେମିତି ବଲାଙ୍ଗୀର ଓ କଳାହାଣ୍ଡିରେ ଫିଲ୍ମର ସୁଟିଂ କରୁଛନ୍ତି। ତଦନ୍ତ ସମୟର ରେକର୍ଡିଂ କରୁଛନ୍ତି, ତାକୁ ସମସ୍ତଙ୍କ ପାଖକୁ ପଠାଉଛନ୍ତି। ଠିକ୍ ଭାବରେ ତଦନ୍ତ ନ କରି ଅନାବଶ୍ୟକ କଥାରେ ପୁଲିସ ଲିପ୍ତ ରହୁଛି, ତେଣୁ ସାଧାରଣରେ ସନ୍ଦେହ ଜାତ ହେଉଛି। ଗୋବିନ୍ଦ ସାହୁ ପୁଲିସ୍ ଆଗରେ ଦୋଷ ସ୍ୱୀକାର କରିଛି ବୋଲି କୁହାଯାଉଛି। ତା’ହେଲେ ୨୪ ଘଣ୍ଟା ମଧ୍ୟରେ କାହିଁକି ମାଜିଷ୍ଟ୍ରେଟଙ୍କ ଆଗରେ ତା’ର ଜୁଡିସିଆଲ୍ କନ୍‌ଫେସନ୍‌ କରାଇ ନାହିଁ ପୁଲିସ? ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଜୁଡିସିଆଲ୍ କନ୍‌ଫେସନ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆଜି ପର୍ଯ୍ୟନ୍ତ ପୁଲିସ୍ ସେହି କାର୍ଯ୍ୟଟି କରିନାହିଁ। ପୁଲିସ ଆଗରେ ସେ ଦୋଷ ସ୍ୱୀକାର କରିଛି ବୋଲି ଯାହା କୁହାଯାଉଛି, ତା’ର ମୂଲ୍ୟ କିଛି ନାହିଁ। ଜଣେ ଦୁଇ ଜଣ ଅଫିସର ଭାବୁଛନ୍ତି ଓଡ଼ିଶାରେ ସମସ୍ତେ ମୂର୍ଖ, ଆଉ ସେମାନେ ହିଁ ପଣ୍ଡିତ। ଗୋବିନ୍ଦ ସାହୁକୁ ଖସାଇ ଦେବାକୁ ସବୁ ପ୍ରକାର ଉଦ୍ୟମ କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସମସ୍ତ ତଥ୍ୟର ତର୍ଜମା କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର