ଭାପୁର: କେଳେଙ୍କାରୀର ସୀମା ଟପୁଛି ଭାପୁର ବ୍ଲକ୍। ପୂର୍ବରୁ ୩୦ ବର୍ଷର ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୫୦ ବର୍ଷର ବ୍ୟକ୍ତି ନିଜକୁ ୮୦ ବର୍ଷ ଦର୍ଶାଇ ବର୍ଦ୍ଧିତ ଭତ୍ତା ହାତେଇବା, ସମ୍ପୂର୍ଣ୍ଣ ସୁସ୍ଥ ଥିବା ବ୍ୟକ୍ତିଙ୍କୁ ଦିବ୍ୟାଙ୍ଗ ଦର୍ଶାଇ ଭତ୍ତା ସହ ବିଭିନ୍ନ ସରକାରୀ ସୁବିଧା ହାତେଇବା ଘଟଣାକୁ ନେଇ ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଛି। ଏମିତି ଜାଲିଆତି ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଖୋଦ୍ ବ୍ଲକ୍ ପ୍ରଶାସନ ବି ହରଡ଼ଘଣାରେ ପଡ଼ିଛି। ଶାଳପଡ଼ା ପଞ୍ଚାୟତର ୫୨ ଜଣ ଦିବ୍ୟାଙ୍ଗ ହିତାଧିକାରୀଙ୍କ ଭତ୍ତା ଟଙ୍କା ବନ୍ଦ କରାଯିବା ସହିତ ସେମାନଙ୍କର ପ୍ରମାଣପତ୍ର ଓ ଆଧାରକାର୍ଡ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪୮ ଜଣ ନକଲି ପ୍ରମାଣପତ୍ର ଦେଇ ଦିବ୍ୟାଙ୍ଗ ଭତ୍ତା ମାସିକ ୩ ହଜାର ୫୦୦ ଟଙ୍କା ହାତେଇଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ପୂର୍ବରୁ ଶାଳପଡ଼ା ପଞ୍ଚାୟତର ବିଭିନ୍ନ ଗାଁରେ ନକଲି ହିତାଧିକାରୀ ବିଭିନ୍ନ ସରକାରୀ ସୁବିଧା ହାତେଇ ନେଇଥିବା ଘଟଣା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ଶାଳପଡ଼ା ପଞ୍ଚାୟତର ୫୨ ଜଣ ହିତାଧିକାରୀଙ୍କ ଦିବ୍ୟାଙ୍ଗ ଭତ୍ତା ଟଙ୍କା ବନ୍ଦ କରି ଦେଇଥିଲା। ଏହି ଦିବ୍ୟାଙ୍ଗ ପ୍ରମାଣପତ୍ର ଏବଂ ଆଧାର କାର୍ଡଗୁଡ଼ିକୁ ଭାପୁର ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ସଂଗ୍ରହ କରାଯାଇ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ (ସିଡିଏମ୍‌ଓ)ଙ୍କ ନିକଟକୁ ପଠାଯାଇଥିଲା। ସେଠାରେ ୫୨ ଜଣ ଦିବ୍ୟାଙ୍ଗ ହିତାଧିକାରୀଙ୍କ କାଗଜପତ୍ର ଯାଞ୍ଚ ପରେ ୪୮ ଜଣ ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରି ଭତ୍ତା ହାତେଇ ନେଇଥିବା ଜଣାପଡ଼ିଥିଲା। ଏହି ଜାଲ୍‌ ପ୍ରମାଣପତ୍ର ପ୍ରଦାନରେ ଏକ ବଡ଼ ରୢାକେଟ୍ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ, ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।