ଜୟପୁର: ଜନ୍ମ ହେଉ ହେଉ ମା’ ମରିଗଲା। ଭାଗ୍ୟର ବିଡମ୍ବନା ୨ଗୋଡ ବି ବଙ୍କା ହେବା ସହ ଚାଳି ପାରୁନାହାନ୍ତି। ଗତ ୧୩ବର୍ଷ ହେବ ନିଜ ଭାଗ୍ୟକୁ ଆଦରି ସଂପର୍କୀୟଙ୍କ ସହଯୋଗରେ ବଂଚିଛନ୍ତି ଜଣେ ଦିବ୍ୟାଙ୍ଗ। ମା’ ଛେଉଣ୍ଡ, ଭିନ୍ନକ୍ଷମ ଭତ୍ତା ପାଇଁ  ଆବେଦନ କରି କରି ବାରମ୍ବାର ପୌରପାଳିକାକୁ ଦୌଡି ନୟାନ୍ତ ହେବା ପରେ ବି ଭତ୍ତା କିମ୍ବା ସରକାରୀ ଭାବେ କିଛି ବି ସହାୟତା ପାଇ ପାରି ନାହାନ୍ତି ଏହି ନାବାଳକ।

Advertisment

ଜୟପୁର ପୌରାଂଚଳର ୱାର୍ଡ ନଂ ୨ ଜୟନଗରର ଅଭି ହରିଜନଙ୍କ ୧୩ବର୍ଷର ପୁଅ କବି ହରିଜନ।  ଜନ୍ମ ପର ଠାରୁ ଗୋଡ଼ ଦୁଇଟି ବଙ୍କା ହୋଇଯିବା ସହ ସେ ଉଠି ପାରି ନଥିଲେ। କବିଙ୍କୁ ଜନ୍ମ ଦେଇ ମା’ ଆରପାରିକୁ ଚାଳିଗଲେ। ସଂପର୍କୀୟା ମାଉସୀ ଜଣକ ତାଙ୍କ ଲାଲନପାଳନ ଦାୟିତ୍ବ ନେଇଛନ୍ତି। କବି ଚାଳି ବୁଲି ପାରୁ ନାହାନ୍ତି। ଘର ମଧ୍ୟରେ ହିଁ ସେଭଳି ପଡ଼ି ରହୁଛନ୍ତି। ଦିନ ମଜୁରିଆ ଭାବେ କାମ କରି ଆସୁଥିବା ଅଭି ପୁଅ କବିକୁ ପ୍ରାଥମିକ ଚିକିତ୍ସା କରାଇଥିଲେ ହେଁ ଆର୍ଥିକସ୍ଥିତି ସ୍ବଚ୍ଛଳ ନଥିବାରୁ ଉତ୍ତମ ଚିକିତ୍ସା ବି କରାଇ ପାରି ନାହାନ୍ତି। ଭିନ୍ନକ୍ଷମ ଭତ୍ତା ଟିକକ୍ ପାଇବା ଆଶାରେ ଆବେଦନ କରି ବାରମ୍ବାର ପୌରପାଳିକାକୁ ଦୌଡିବା ପରେ ମଧ୍ୟ କିଛି ଫଳ ମିଳିନି। ଏପରି ଯୋଗ୍ୟ ହିତାଧିକାରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଭତ୍ତା ପ୍ରଦାନ କରିବାକୁ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ରହିଥିଲେ ହେଁ କାହିଁକି କାର୍ଯ୍ୟକାରୀ ହୋଇପାରୁନି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି କରିଛି।