ଦିଗପହଣ୍ଡି/ଚିକିଟି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଓ ‌କେ.ନୂଆଗାଁ ଥାନା ଅଧୀନ ଚୌଧୁରୀଟିକରପଡ଼ା ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବୀଭତ୍ସ ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ, ଉକ୍ତ ଗ୍ରାମର ବାସୁ ସାହୁଙ୍କ ଝିଅ ବିଷ୍ଣୁପ୍ରିୟା (୩୧)। ବିଷ୍ଣୁପ୍ରିୟା ଗତ ୮ ତାରିଖ ରାତିରେ ଗ୍ରାମର ଏକ ଖଳାକୁ କାମ କରିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରି ବିଫଳ ହେବା ପରେ କେ.ନୂଆଗାଁ ଥାନାର ଦ୍ବାରସ୍ଥ ହୋଇଥିଲେ।
ପୁଲିସ ଛାନ୍‌ଭିନ୍ ଜାରି ରଖିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବିଷ୍ଣୁପ୍ରିୟାଙ୍କ କ୍ଷତାକ୍ତ ଓ ବିବସ୍ତ୍ର ଶବ ଘରଠୁ କିଛି ଦୂର ଆଉ ଏକ ଘରର ବାରିପଟୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଶରୀର ଅର୍ଦ୍ଧନଗ୍ନ ଥିବା ବେଳେ ହାତ ଓ ବେକରେ ଆଘାତ ଚିହ୍ନ ଲାଗିଥିଲା। ସେହିପରି କାନ ଓ ନାକରେ ପିନ୍ଧିଥିବା ଅଳଙ୍କାର ମଧ୍ୟ ନଥିଲା। ଏହି ଘଟଣା ପ୍ରଘଟ ହେବା ପରେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

Advertisment

ବ୍ରହ୍ମପୁର ଏସ୍‌.ପି.ଡା.ଶରବଣା ବିବେକ ଏମ୍., ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ କେ.ନୂଆଗାଁ ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଏବଂ ଟିମ୍ ଆସି ତଦନ୍ତ ଆରମ୍ଭ କରିଥିଲେ। ସେହିପରି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀକୁକୁରର ସହାୟତା ନିଆଯାଇଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ଅଳଙ୍କାର ଲୁଟ୍ ପରେ ବିଷ୍ଣୁପ୍ରିୟାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଏନେଇ କେସ୍ ନମ୍ବର ୬/୨୦୨୨ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ସହ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ବିଭିନ୍ନ ଦିଗକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବହୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି।