ଫୁଟପାଥ୍‌ରେ ‌ଶୋଉଛନ୍ତି ଗର୍ଭବତୀ ଦିବ୍ୟାଙ୍ଗ ଓ ନାବାଳକ ପୁଅ

୫ ଦିନ ହେଲା ଘରକୁ ଫେରିପାରୁନାହାନ୍ତି, ଭୋକଉପାସରେ କଟୁଛି ମା’-ପୁଅଙ୍କ ଜୀବନ

ରାଉରକେଲା: ମହିଳା ଜଣକ ଜଣେ ଦିବ୍ୟାଙ୍ଗ। ପାଖରେ ୪ ବର୍ଷର ନାବାଳକ ପୁଅ। ପେଟରେ ସାଢ଼େ ୮ ମାସର ଗର୍ଭ। ପ୍ରସବ ସମୟ ଏପ୍ରିଲ ପହିଲାରେ। ଏଣୁ ପ୍ରସବ ଜନିତ ଯନ୍ତ୍ରଣା ବି ଆରମ୍ଭ ହେଲାଣି। ହେଲେ ପାଖରେ ଟଙ୍କା ନାହିଁ। ଖାଇବାକୁ ବି ନାହିଁ। ଏମିତିକି ମୁଣ୍ଡ ଉପରେ ଛାତ ବି ନାହିଁ। ଫଳରେ ଭାଗ୍ୟକୁ ଆଦରି ଫୁଟ୍‌ପାଥରେ ‌ଶୋଉଛନ୍ତି। ରାଉରକେଲା ରେଲୱେ ଷ୍ଟେସନ ସମ୍ମୁଖସ୍ଥ ମଧୁସୂଦନ ରୋଡ୍‌ ରାସ୍ତାକଡ଼ ପାଲଟିଛି ମହିଳାଙ୍କ ଠିକଣା। ଦିନରାତି ସବୁବେଳେ ଏଇଠି ଶୋଉଛନ୍ତି। ତେବେ ଏସବୁର ମୂଳ କାରଣ ପାଲଟିଛି ଲକ୍‌ଡାଉନ୍‌। ଟ୍ରେନ୍‌ରେ ଘରକୁ ଫେରୁଥିଲେ। ରାଉରକେଲା ଷ୍ଟେସନରୁ ଟ୍ରେନ୍‌ ପରିବର୍ତ୍ତନ କରି ରାଞ୍ଚି ସ୍ଥିତ ନିଜ ବାପାଙ୍କ ଘରକୁ ଯାଇଥାନ୍ତେ। ମାତ୍ର ସଂପୂର୍ଣ୍ଣ ଭାରତ ଲକ୍‌ଡାଉନ୍‌ପରେ ଟ୍ରେନ୍‌ ଚଳାଚଳ ବି ବନ୍ଦ ହୋଇଟିଯିବାରୁ, ଗତ ୫ ଦିନ ହେଲା ରାସ୍ତା କଡ଼ରେ ପଡ଼ିରହିଛନ୍ତି। କିଏ ଦୟା ଦେଖାଇ ଖାଇବାକୁ ଦେଲେ ଖାଉଛନ୍ତି, ଅନ୍ୟଥା ଭୋକଉପାସରେ ନିଜ ନାବାଳକ ପୁଅ ସହ ଭାଗ୍ୟକୁ ଆଦରି ବସି ରହିଛନ୍ତି।

ରାଞ୍ଚିର ଏକ ଗରିବ ଦିନମଜୁରିଆ ପରିବାରରେ ଜନ୍ମ ନେଇଥିଲେ ସାହୀନ ପରୱିନ। ସାହୀନ ଗତ ୨୦୧୫ ମସିହାରେ ରାଜସ୍ଥାନର ସାମଦ ଅନସାରୀଙ୍କୁ ବାହା ହୋଇଥିଲେ। ଏବେ ତାଙ୍କର ଗୋଟିଏ ପୁଅ ହନୀଫ୍‌ ଅନସାରୀ (୪)। ସାମଦ ଜଣେ ରଙ୍ଗ ମିସ୍ତ୍ରୀଭାବେ କାମ କରନ୍ତି। ଏଣୁ ବିଭିନ୍ନ ସମୟରେ ଦେଶର ବିଭିନ୍ନ ଅଞ୍ଚଳକୁ ସେ କାମ ପାଇଁ ଯାଇଛନ୍ତି। ଗତ କିଛି ମାସ ହେ‌ଲା ସ୍ବାମୀ ସାମଦ ରାଜଗାଙ୍ଗପୁରରେ ଏକ ଠିକାଦାରଙ୍କ ଅଧିନରେ ରଙ୍ଗ ମିସ୍ତ୍ରୀଭାବେ କାର୍ଯ୍ୟରତ। ଯେହେତୁ ସ୍ବାମୀଙ୍କ ଆୟ ବି ସ୍ବଳ୍ପ, ଏଣୁ ସେ ରାଞ୍ଚିସ୍ଥିତ ନିଜ ବାପାଙ୍କ ପରିବାର ସହ ରହୁଥିଲେ।

ସା‌ହୀନ ଗତ ୧୪ ତାରିଖରେ ବିଳାସପୁର ସ୍ଥିତ ନିଜ ଭଉଣୀ ପାଖକୁ ଯାଇଥିଲେ। ସେଠାରେ କିଛି ଦିନ ରହିବାପରେ ଗୀତାଞ୍ଜଳି ଏକ୍ସପ୍ରେସ୍‌ରେ ଆସି ୨୨ ତାରିଖ ପୂର୍ବାହ୍ନ ପ୍ରା‌ୟ ସାଢ଼େ ୧୦ଟାରେ ରାଉରକେଲାରେ ପହଞ୍ଚିଥିଲେ। ଷ୍ଟେସନରେ ପହଞ୍ଚିବାପରେ ସେ ଅନ୍ୟ ଏକ ଟ୍ରେନ୍‌ରେ ରାଞ୍ଚି ଅଭିମୁଖେ ଯାଇଥାନ୍ତେ। ତେବେ ରାଞ୍ଚି ଅଭିମୁଖେ ଯାଉଥିବା ଟ୍ରେନ୍‌ରେ ପ୍ରବଳ ଭିଡ଼ ଥିବାରୁ ସେ ସେଥିରେ ଚଢ଼ି ପାରିନଥିଲେ। ଉକ୍ତ ଦିନ ମଧ୍ୟାହ୍ନରେ ଶେଷ ଟ୍ରେନ୍‌, ବମ୍ବେ-ଗୌହାଟି ସ୍ବତନ୍ତ୍ର ଟ୍ରେନ୍‌ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା।

ତେବେ ବାମ ଗୋଡ଼ ଅଚଳ ଥିବାରୁ ବାଡ଼ି ସହାୟତାରେ ଚାଲଉଥିବା ସାହୀନ ଉକ୍ତ ଟ୍ରେନ୍‌ରେ ମଧ୍ୟ ଯାଇପାରିନଥିଲେ। ଫଳରେ ସେ ଷ୍ଟେସନରେ ହିଁ ବସିରହିଥିଲେ। ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ର ସରକାର ଘୋଷଣା କରିବାପରେ କର୍ତ୍ତୃପକ୍ଷ ସମସ୍ତଙ୍କୁ ଷ୍ଟେସନ ପରିସରରୁ ଘଉଡ଼ାଇ ଦେଇଥିଲେ। ଏଥିରୁ ବର୍ତ୍ତିନଥିଲେ ସାହୀନ ଓ ତାଙ୍କ ନାବାଳକ ପୁଅ। ଗତ ୨୩ ତାରିଖରୁ ଦୁଇ ମା’ ପୁଅ ଷ୍ଟେସନ ସମ୍ମୁଖସ୍ଥ ମଧୁସୂଦନ ମାର୍ଗ ଫୁଟପାଥ୍‌ରେ ବସି ରହିଛନ୍ତି।

ସାହୀନ ବର୍ତ୍ତମାନ ସାଢ଼େ ୮ ମାସର ଗର୍ଭବତୀଥିବାରୁ ତାଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦ୍ବିଗୁଣିତ ହୋଇଯାଇଛି। ନିଜେ ଖାଇବାକୁ ପାଉନଥିବାବେଳେ ପେଟରେ ବଢ଼ୁଥିବା ଛୁଆକୁ ଖାଇବା ଯୋଗାଇବା ସାତସପନ ପାଲଟିଛି। ରାଜଗାଙ୍ଗପୁରରେ ରହୁଥିବା ସ୍ବାମୀ ସହ ଯୋଗାଯୋଗ କରୁଛନ୍ତି, ମାତ୍ର ନିଜେ ଭୋକଉପାସରେ ଥିବା ସ୍ବାମୀ ଜଣକ ପତ୍ନୀ-ପୁଅଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରୁନି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ପ୍ରାୟ ୩୦ କିଲୋମିଟର। ମାତ୍ର ଅର୍ଥାଭାବ, ଗମନାଗମନର ଅବାଭ ଯୋଗୁଁ କେହିକାହାରିକୁ ସାକ୍ଷାତ ବି କରିପାରୁନାହାନ୍ତି। ଫଳରେ ଯେମିତି ଦିନ ଗଡ଼ୁଛି, ଦିବ୍ୟାଙ୍ଗ ମହିଳା ଓ ତାଙ୍କ ନାବାଳକ ପୁଅର ଯନ୍ତ୍ରଣା ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧିତ ଖବର