ଜାତୀୟ ସେବା ଯୋଜନା ସମ୍ମାନ ପାଇବେ ମୟୂରଭଞ୍ଜର ଦୁଇ ସ୍ୱେଛାସେବୀ

ଜିଲ୍ଲା ପାଇଁ ଗୌରବ ଆଣିଲେ ଦିବ୍ୟାନୀ ଓ ପ୍ରଭଞ୍ଜନ

ବାରିପଦା: ମୟୂରଭଞ୍ଜ ପାଇଁ ଜାତୀୟ ସ୍ତରରେ ସମ୍ମାନ ଆଣିଛନ୍ତି ଦୁଇ ଛାତ୍ରଛାତ୍ରୀ ଦିବ୍ୟାନୀ ଓ ପ୍ରଭଞ୍ଜନ। ଚଳିତ ବର୍ଷ ଜାତୀୟ ସେବା ଯୋଜନା(ଏନଏସଏସ)ରେ ସମ୍ମାନିତ ହେବା ପାଇଁ ରାଜ୍ୟର ଦୁଇ ସ୍ୱେଛାସେବୀ ମନୋନୀତ ହୋଇଛନ୍ତି । ଏହି ସ୍ୱେଚ୍ଛାସେବୀ ଦୁଇ ଜଣ ହେଲେ ବାରିପଦାସ୍ଥିତ ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟାନୀ ବେହେରା ଏବଂ ସୀମାନ୍ତ ମହାବିଦ୍ୟାଳୟର ପ୍ରଭଞ୍ଜନ ମଣ୍ଡଳ । ସର୍ବଭାରତୀୟ ସ୍ତରରେ ପ୍ରତିବର୍ଷ ଜାତୀୟ ସେବା ଯୋଜନାରେ ଉତ୍କର୍ଷ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ସମଗ୍ର ଦେଶରେ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଚୟନ ହୋଇଥିବା ସର୍ବଶ୍ରେଷ୍ଠ ୩୦ଜଣ ସ୍ୱେଛାସେବୀ ମାନଙ୍କୁ ରାଷ୍ଟ୍ରପତି ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ସେପ୍ଟେମ୍ବର ୨୪ ତାରିଖ ତଥା ଜାତୀୟ ସେବା ଯୋଜନା ଦିବସରେ ସମ୍ମାନିତ କରିଥାନ୍ତି । ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଚଳିତ ବର୍ଷ ଓଡ଼ିଶାର ୨ ସ୍ୱେଛାସେବୀ ଭୁବନେଶ୍ୱର ସ୍ଥିତ ଏନଏସଏସ କାର୍ଯ୍ୟାଳୟରେ ଭରଚୁଆଲ ମାଧ୍ୟମରେ ଜାତୀୟ ସେବା ଯୋଜନା ସମ୍ମାନରେ ସମ୍ମାନିତ ହେବେ ।

ଏନେଇ ରବିବାର ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ସମ୍ମାନିତ ହେବାକୁ ଥିବା ସ୍ୱେଚ୍ଛାସେବୀ ମାନଙ୍କ ନାମ ଘୋଷଣା କରାଯାଇଛି । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଏହି ଦୁଇ ସ୍ୱେଛାସେବୀ । ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଭାରତ ସରକାରଙ୍କ କ୍ରୀଡ଼ା ଏବଂ ଯୁବବ୍ୟାପାରର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏଭଳି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି। ସ୍ୱେଛାସେବୀଙ୍କ ସଫଳତା ପଛରେ ଥିବା ରାଜ୍ୟ ସରକାରଙ୍କ ଡେପୁଟି ସେକ୍ରେଟାରୀ ତଥା ରାଜ୍ୟ ଏନଏସଏସ ଅଧିକାରୀ ସୁରେଖା ସୁନ୍ଦରୀ ସ୍ୱାଇଁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦ, କୂଳସଚିବ ପ୍ରମୋଦ କୁମାର ଶତପଥୀ, ଏନ.ଏସ.ଏସ ସଂଯୋଜିକା ଉଷା ଶତପଥୀ, ଡିପିଓ ଶୁଭେନ୍ଦୁ କୁମାର ଦାସଙ୍କ ସହ କାର୍ଯ୍ୟକ୍ରମ ଅଧିକାରୀ ଦେବେଶ ଶଙ୍କର ହୋତା, କୈଳାସ ଚନ୍ଦ୍ର ମିଶ୍ର, ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ତରୁଣ କୁମାର ଓଝା, ପିତାମାତା ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୁଇ ସ୍ବେଚ୍ଛାସେବୀ । ପୂର୍ବରୁ ଗତ ୫ବର୍ଷରେ ଲଗାତାର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ୬ ଜଣ ସ୍ୱେଚ୍ଛାସେବୀ ଓ ୨ ଜଣ କାର୍ଯ୍ୟକ୍ରମ ଅଧିକାରୀ ଏହି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ସେହିପରି ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ସମ୍ମାନ ମଧ୍ୟ ହାସଲ କରିସାରିଛି ।

ସମ୍ବନ୍ଧିତ ଖବର