ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ଦିବ୍ୟଶଙ୍କର: ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ପଦଟିଏ ବି କହିଲେନି ଗୃହ ରାଷ୍ଟ୍ରମନ୍ତ୍ରୀ

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ସବୁଠୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଦିବ୍ୟଶଙ୍କରଙ୍କୁ ମଞ୍ଚରେ ଦେଖିବାକୁ ମିଳିବ କି ନାହିଁ ତାହାକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା। କାରଣ ମମିତା ମୃତ୍ୟୁ ପ୍ରସଙ୍ଗରେ ବିବାଦ ଘେରକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦିବ୍ୟଶଙ୍କରଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା।

କିନ୍ତୁ ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପସ୍ଥିତି ଏହି ଚର୍ଚ୍ଚାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଥିଲା। ଆଉ ଯେତେବେଳେ ନବୀନଙ୍କ କାର୍ଯ୍ୟକ୍ରମ ଆରମ୍ଭ ହେଲା ସେତେବେଳେ ଦିବ୍ୟଶଙ୍କରଙ୍କୁ ମଞ୍ଚ ଉପରେ ଦେଖିବାକୁ ମିଳିଥିଲା। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତାଙ୍କ ଭାଷଣରେ କଳାହାଣ୍ଡିର ବିକାଶ କଥା କହିଲେ ମାତ୍ର ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ପଦଟିଏ ବି କହି ନଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ଟୁକୁନି ସାହୁ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ବି ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର