ଦିବ୍ୟଶଙ୍କରଙ୍କ ଅଡ଼ୁଆ ବଢ଼ିଲା: ଅଭିଯୁକ୍ତ ସହ ଘନିଷ୍ଠତାର ପ୍ରମାଣ ଜଳ ଜଳ

ମନ୍ତ୍ରୀଙ୍କ ବହିଷ୍କାର ଦାବି ଜୋର୍‌ଦାର କଲେ ବିରୋଧୀ, ପୁଲିସ ନିରପେକ୍ଷ ତଦନ୍ତ କରିବ କିପରି?

ଭୁବନେଶ୍ବର: ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଛି। ଆଖି ତରାଟି ଦେଲା ପରି ସାଂଘାତିକ ଅପରାଧ ରଚିଛି ଗୋବିନ୍ଦ। ଏପରି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାରେ ଛନ୍ଦି ହୋଇପଡ଼ିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅଭିଯୁକ୍ତ ଗୋବିନ୍ଦ ସହ ମନ୍ତ୍ରୀଙ୍କ ଘନିଷ୍ଠତାର ପୁଳା ପୁଳା ପ୍ରମାଣ ଏବେ କଳାହାଣ୍ଡିରୁ ରାଜଧାନୀ ଯାଏ ଘୂରି ବୁଲୁଛି। ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଅଭିଯୁକ୍ତ ଯେ ତା’ର ସାମ୍ରାଜ୍ୟ ବିସ୍ତାର କରିଥିଲା, ତାହା ଆଉ ଅଛପା ହୋଇ ରହିନାହିଁ। ନିଜର ଅତି ଘନିଷ୍ଠ ସହଯୋଗୀର କଳା କାରନାମା କିପରି ମନ୍ତ୍ରୀ ଜାଣିପାରିଲେ ନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଧରି ସରକାରଙ୍କୁ ଅଡ଼ୁଆରେ ପକାଇବାର କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି। ଶ୍ରୀ ମିଶ୍ର ଗୃହ ବିଭାଗର ମନ୍ତ୍ରୀ ହୋଇଥିବାରୁ ପୁଲିସ କିପରି ନିରପେକ୍ଷ ତଦନ୍ତ କରିବ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଏକାନ୍ତ ଅନୁଗତ ଥିବା ଗୋବିନ୍ଦ ସାହୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଭାବଶାଳୀ। ସେଠାରେ ସବୁ ପ୍ରକାର ଠିକା କାମ ଗୋବିନ୍ଦ ହିଁ ନିୟନ୍ତ୍ରଣ କରୁଥିଲା। ମହାଲିଙ୍ଗ କଲେଜ ପରିଚାଳନା କମିଟି ସଭାପତି ରହି ଅନୈତିକ କାର୍ଯ୍ୟ ଚଳାଉଥିଲା ବୋଲି ଅଭିଯୋଗ ଉଠିଛି। ଏହି କଲେଜରେ ବିଧାୟକଙ୍କ ହାତପାଣ୍ଠି ଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ ମଧ୍ୟ ଖର୍ଚ୍ଚ ହୋଇଛି। ଗୋବିନ୍ଦ ମନ୍ତ୍ରୀଙ୍କର ଏତେ ଘନିଷ୍ଠ ଯେ ସେହି କଲେଜର ଅତିଥି ହେବା ପାଇଁ ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କୁ ନେଇ ମନ୍ତ୍ରୀ ଶ୍ରୀ ମିଶ୍ର ସେଠାରେ ପହଞ୍ଚି ଯାଉଥିଲେ। ମନ୍ତ୍ରୀ ପ୍ରତାପ ଜେନା, ନିରଞନ ପୂଜାରୀ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ସେଠାରେ ମଞ୍ଚମଣ୍ଡନ କରିଥିଲେ। ସମସ୍ତେ ଗୋବିନ୍ଦଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ। ଏବେ ଗୋବିନ୍ଦର ମୁଖା ଖୋଲିଲା ପରେ ମନ୍ତ୍ରୀମାନେ ବି ସାଧାରଣରେ ସନ୍ଦେହ ଘେରକୁ ଆସିଯାଇଛନ୍ତି। ଆହୁରି ମଧ୍ୟ ସ୍କୁଲ୍‌ରେ ସେକ୍ସ ରାକେଟ୍‌ ଚାଲିଥିବା ପରି ସ୍ପର୍ଶକା‌ତର ଅଭିଯୋଗ ଉପରେ ସ୍ଥାନୀୟ ପୁଲିସ ଏ ଯାଏ ପାଟି ଫିଟାଉ ନାହିଁ।

ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିରୋଧୀ ଗତକାଲି ଠାରୁ ଅଟଳ ଅଛନ୍ତି। ଆଜି ଦିନତମାମ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ହେବା ସହ ରାଜନୈତିକ ବୟାନବାଜି ଜାରି ରହିଥିଲା। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପାଇଁ ସରକାର ମଧ୍ୟ ଅଡ଼ୁଆରେ ପଡ଼ିଯାଇଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଶାସକ ଦଳ ବିରୋଧୀଙ୍କୁ କୌଣସି ସୁଯୋଗ ଦେବାକୁ ପ୍ରସ୍ତୁତ ନୁହେଁ। ମୁଖ୍ୟମନ୍ତ୍ରୀ ପ୍ରସଙ୍ଗଟିକୁ ଅତ୍ୟନ୍ତ ଗୁରୁତର ସହ ନେଇଥିବା ଜଣାପଡ଼ିଛି। ଏପରିକି ଘଟଣା ସମ୍ପର୍କରେ ତୃତୀୟ ମହଲାରୁ ଖୋଳତାଡ଼ କରାଯାଉଛି। ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଶ୍ରୀ ମିଶ୍ରଙ୍କ ଠାରୁ ଉତ୍ତର ମଗାଯାଇଥିଲା‌। ଶ୍ରୀ ମିଶ୍ର ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ନିଜେ ‌ନିର୍ଦ୍ଦୋଷ ବୋଲି ସଫେଇ ଦେଇଛନ୍ତି। ତେବେ ଶ୍ରୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନି।

ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ ଦର୍ଶାଇଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସ୍କୁଲ୍‌ରେ ଚାଲିଥିବା ସେକ୍ସ ରାକେଟ୍‌ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ମମିତା ମେହେରଙ୍କ ପରିବାର ସଦସ୍ୟମାନେ ସଙ୍ଗୀନ୍ ଅଭିଯୋଗ କରିଛନ୍ତି। ଶ୍ରୀ ମିଶ୍ର ସ୍କୁଲକୁ ନିୟମିତ ଯିବା ସମସ୍ତେ ଜାଣନ୍ତି। ତେଣୁ ମମିତାଙ୍କ ପରିବାର ଲୋକ କରିଥିବା ଅଭିଯୋଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାର ଆବଶ୍ୟକତା ରହିଛି। ଗୋଟିଏ ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲିବା ପରି ଅଭିଯୋଗ ଅନୁଷ୍ଠାନର ପବିତ୍ରତାକୁ ସନ୍ଦେହ ଭିତରକୁ ନେଇ ଆସିଛି। ଶ୍ରୀ ମିଶ୍ର ଗୃହ ବିଭାଗ ଦାୟିତ୍ବରେ ଥିବାରୁ କଦାପି ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ସେ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେବା ସହ ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଶ୍ରୀ ନାଏକ ଦାବି କରିଛନ୍ତି।

ସେହିଭଳି କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଜି ପୁଣି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହିତ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ପାରିପାର୍ଶ୍ବିକ ପରିସ୍ଥିତିରୁ ମମିତାଙ୍କୁ ଅପହରଣ ପରେ ହତ୍ୟା କରି ଷ୍ଟାଡିୟମରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି। ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିର୍ମାଣ କରାଯାଉଥିବା ବେଳେ ଷ୍ଟାଡିୟମ ପରିସରରୁ ଅଧାପୋଡ଼ା ଶବ ମିଳିବା ମନ୍ତ୍ରୀଙ୍କ ସଂପୃକ୍ତିକୁ ପ୍ରମାଣିତ କରୁଛି। ମମିତାଙ୍କ ବାପା ସନସାଇନ ସ୍କୁଲରେ ଦେହ ବ୍ୟବସାୟ ଭଳି ଅନେକ ଅନୈତିକ କାର୍ଯ୍ୟ ମନ୍ତ୍ରୀଙ୍କ ସଂପୃକ୍ତିରେ କରାଯାଉଥିବା କହିଛନ୍ତି। ଏହାର କିଛି ଖବର ମମିତାଙ୍କ ପାଖରେ ଥିଲା। ତେଣୁ ତାଙ୍କୁ ସୁଚିନ୍ତିତ ଉପାୟରେ ଅପହରଣ ଓ ହତ୍ୟା କରାଯାଇଛି। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ସରକାର ଗୁରୁତର ସହ ନେଉ ନାହାନ୍ତି। ସ୍ଥାନୀୟ ପୁଲିସ ମଧ୍ୟ ମନ୍ତ୍ରୀଙ୍କ ହାତବାରିସ ହୋଇ କାର୍ଯ୍ୟ କରୁଛି। ଫଳରେ ପୁଲିସ ଗୋବିନ୍ଦ ସାହୁଙ୍କ ୪ଦିନ ଧରି ଥାନାରେ ଅଟକ ରଖିବା ପରେ ଛାଡ଼ି ଦେଇଥିଲା। ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ କରାଯାଉ। ନିରପେକ୍ଷ ଓ ଚାପମୁକ୍ତ ତଦନ୍ତ କରାଗଲେ ହିଁ ଅନେକ ଘଟଣା ସାମ୍ନାକୁ ଆସିବ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିପାରିବ ବୋଲି ଶ୍ରୀ ସାଲୁଜା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ମୁଖପାତ୍ର ପ୍ରଶାନ୍ତ ଶତପଥୀ ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ଟ୍ବିଟ୍ କରି ସରକାରଙ୍କୁ ସମାଲୋଚନା କରିଛନ୍ତି। ବୈଜୟନ୍ତ କହିଛନ୍ତି, ଶାସକ ଦଳର ଅପରାଧପ୍ରବଣତା ଯୋଗୁ ଗତ କିଛି ବର୍ଷ ହେଲା ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ିଚାଲିଛି। ଏବେ ଜଣେ ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଆସୁଛି। ପୁଣି ସେହି ସ୍କୁଲରେ ଝିଅମାନଙ୍କୁ ନିର୍ଯାତନା ଦିଆଯାଏ। ଜାତୀୟ ଗଣମାଧ୍ୟମ କାହିଁକି ଏହାକୁ ଦେଖାଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଅପରାଜିତା କହିଛନ୍ତି ଯେ ଏନ୍ସିଆରବି ରିପୋର୍ଟ ଅନୁଯାୟୀ ମହିଳା ବିରୋଧୀ ହିଂସାରେ ଓଡ଼ିଶାର ସ୍ଥାନ ଦ୍ବିତୀୟ। ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯିବା ଓ ଜଣେ ମନ୍ତ୍ରୀ ସେଥିରେ ସଂପୃକ୍ତ ହେବା ଅତ୍ୟନ୍ତ ଭୟଙ୍କର ଘଟଣା। ମହିଳା ଏଠି ଅସୁରକ୍ଷିତ। ଜାତୀୟ ଗଣମାଧ୍ୟମ ଏହାକୁ ଦେଖିପାରୁଛନ୍ତି ତ ? ମମିତା ମେହେର ଅପହରଣ ଓ ହତ୍ୟା ମାମଲାରେ ଏସ୍ଆଇଟି ତଦନ୍ତ ଦାବି କରିଛି ସମାଜବାଦୀ ପାର୍ଟି। ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ତତ୍ତ୍ବାବଧାନରେ ଗଠିତ ଏସ୍ଆଇଟି ଏହି ମାମଲାର ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦଳର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି। ଜନ ଅଧିକାର ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ମନ୍ତ୍ରିମଣ୍ଡଳରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି। ମନ୍ତ୍ରୀଙ୍କୁ ବରଖାସ୍ତ କରାଗଲେ ହିଁ ଠିକ୍ ତଦନ୍ତ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର