ପୁରୀ: ଓଡ଼ିଶାର ବିଭିନ୍ନ ପାଞ୍ଜିକୁ ନେଇ ଦେଖାଦେଇଛି ଦ୍ବନ୍ଦ୍ବ। ଯାହା ବିଭିନ୍ନ ପର୍ବପର୍ବାଣୀ ଓ ଅନ୍ୟ ବିଶେଷ ଦିନର ତିଥି, ନକ୍ଷତ୍ରକୁ ନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ପୂର୍ବରୁ ଦୁର୍ଗାପୂଜାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଏବେ ଦୀପାବଳିକୁ ନେଇ ଦ୍ବନ୍ଦ୍ବ ଉପୁଜୁଛି। ଶ୍ରୀମନ୍ଦିରରେ ନଭେମ୍ବର ୧ ତାରିଖରେ ଦୀପାବଳି ପାଳନ ହେଉଥିବା ବେଳେ କେତେକ ପାଞ୍ଜିରେ ଅକ୍ଟୋବର ୩୧ ତାରିଖ ଦୀପାବଳି ପଡ଼ୁଛି ବୋଲି ଉଲ୍ଲେଖ ରହିଛି। ଏଭଳି ଦ୍ବନ୍ଦ୍ବ ଭିତରେ ପେଷି ହୋଇ ଯାଉଛନ୍ତି ସାଧାରଣ ଜନତା। ଫଳସ୍ବରୂପ ତିଥି, ନକ୍ଷତ୍ର ଆଦି ଗଣତିକୁ ନେଇ ପାଞ୍ଜି ଓ ପାଞ୍ଜିକାରଙ୍କ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି।

Advertisment

ବଡ଼କଥା ହେଉଛି, କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି ପଡ଼ୁଛି। ଏହି ଦିନ ପୟାଶ୍ରାଦ୍ଧ ବି ପଡ଼ୁଛି। ଏଭଳି ସ୍ଥିତିରେ ଅନ୍ୟ ପାଞ୍ଜିରେ ଅକ୍ଟୋବର ୩୧ରେ ଦୀପାବଳି ପଡ଼ୁଛି ବୋଲି ଉଲ୍ଲେଖ ହେବା, ଲୋକଙ୍କୁ ବିଭ୍ରାନ୍ତିରେ ପକାଉଛି। ଏଣୁ ଶ୍ରୀମନ୍ଦିରରେ ଯେଉଁ ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ ହେଉଛି, ତାହା ସର୍ବମାନ୍ୟ ଓ ଏହାକୁ ସମସ୍ତେ ମାନି ଦୀପାବଳି ପାଳନ କରିବା ଜରୁରୀ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ଓ ସେବାୟତମାନେ ମତ ଦେଇଛନ୍ତି। ଏଥିସହ ଗଣନାରେ ଏଭଳି ଗୁରୁତର ତ୍ରୁଟି କରି ଲୋକଙ୍କୁ ବିଭ୍ରାନ୍ତରେ ପକାଉଥିବା ପାଞ୍ଜିକାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ମୁକ୍ତିମଣ୍ଡପ ପଣ୍ଡିତ ଉମାବଲ୍ଲଭ ମହାପାତ୍ର କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସୂର୍ଯ୍ୟୋଦୟ ଆଧାରରେ ଅନୁଷ୍ଠିତ ହୋଇଥାଏ। ସୂର୍ଯ୍ୟୋଦୟ ପରଠୁ ଯେଉଁ ତିଥି, ନକ୍ଷତ୍ର ଥିବ, ସେହି ତିଥି, ନକ୍ଷତ୍ର ଅନୁସାରେ ସେବାପୂଜା ବଢ଼ିଥାଏ। ସେହି ଅନୁସାରେ ଦୀପାବଳି ଆଦି ପର୍ବପର୍ବାଣୀର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ପ୍ରତିଦିନ ସୂର୍ଯ୍ୟୋଦୟ ସହ ମହାପ୍ରଭୁଙ୍କଠାରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଆଦି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କଠାରେ ପାଞ୍ଜି ପାଠ ହୋଇଥାଏ। ସେହିଦିନର କ’ଣ ତିଥି ଓ ନକ୍ଷତ୍ର ରହିଛି, ପାଠ ହୋଇ, ନୀତିକାନ୍ତି ଆରମ୍ଭ ହୋଇଥାଏ। ଅନ୍ୟମାନେ କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତିଥି, ନକ୍ଷତ୍ର, ନୀତିକାନ୍ତିକୁ ନ ମାନି ପାଞ୍ଜି ପ୍ରସ୍ତୁତ କରୁଛନ୍ତି। ଏହା ମହାପ୍ରଭୁଙ୍କୁ ଅମାନ୍ୟ ସହ ସମାନ। ଏହା ମହାପାପ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

ଦୁର୍ଗାପୂଜା ପରେ ପାଞ୍ଜିରେ ଦୀପାବଳି ଦ୍ବନ୍ଦ୍ବ
ମହାପ୍ରଭୁଙ୍କ ନୀତିକାନ୍ତିକୁ ମାନୁନାହାନ୍ତି ପାଞ୍ଜିକାର

ମୁକ୍ତିମଣ୍ଡପ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ନଭେମ୍ବର ୧ ହିଁ ଅମାବାସ୍ୟା ପଡ଼ୁଛି। କିନ୍ତୁ ପାଞ୍ଜି ଗଣନାରେ ତ୍ରୁଟି କାରଣରୁ ଅକ୍ଟୋବର ୩୧ ଭଳି ଦ୍ବନ୍ଦ୍ବାତ୍ମକ ସ୍ଥିତି ଉପୁଜୁଛି। ଜନସାଧାରଣ ଭ୍ରମିତ ହେଉଛନ୍ତି। ପାଞ୍ଜିରେ ତ୍ରୁଟି ରହିଲେ, ବିଶ୍ବର ଅମଙ୍ଗଳ ହେବ। ଆଗକୁ ଶ୍ରୀମନ୍ଦିର ପ୍ରଶାସନ ପାଞ୍ଜିକାରମାନଙ୍କୁ ନେଇ ସମନ୍ବୟ ବୈଠକ କରୁ। ଶ୍ରୀମନ୍ଦିର ପ୍ରଶାସନ ନିଜେ ଏକ ପାଞ୍ଜି ପ୍ରକାଶ କରୁ। ଏ ବିଭ୍ରାଟ ଆଜିକାର ନୁହେଁ, ଗତ ୭/୮ ବର୍ଷର। ପ୍ରଶାସନ ଏ ଦିଗରେ ଗୁରୁତ୍ବ ଦେଉ ବୋଲି ଶ୍ରୀ ରଥ କହିଛନ୍ତି। ଯେଉଁ ପାଞ୍ଜିକାରମାନେ ଏଭଳି ବିଭ୍ରାଟ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ଶ୍ରୀମନ୍ଦିର ପ୍ରଶାସନ ସହ ମୁକ୍ତିମଣ୍ଡପ ବି ଏ ଦିଗରେ ବିଚାର କରିବାର ସମୟ ଆସିଛି ବୋଲି ଶ୍ରୀ ରଥ କହିଛନ୍ତି।

ବରିଷ୍ଠ ସେବାୟତ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କୁ ନେଇ ଆମେ। ତାଙ୍କ ଶ୍ରୀମନ୍ଦିରରେ ଯାହା ନୀତିକାନ୍ତି ପ୍ରଚଳିତ ତାହା ସର୍ବମାନ୍ୟ। କିନ୍ତୁ କିଛି ପାଞ୍ଜିକାର ବ୍ୟବସାୟ ମନୋବୃତ୍ତି ରଖି ବାରମ୍ବାର ତ୍ରୁଟି କରିବାରେ ଲାଗିଛନ୍ତି। ରାଜ୍ୟ ସରକାର ଏଥିରେ ଅଙ୍କୁଶ ଲଗାନ୍ତୁ। ରାଜ୍ୟ ସରକାରଙ୍କ ଅନୁମୋଦନ ତଥା ସ୍ବୀକୃତିକ୍ରମେ ପାଞ୍ଜି ପ୍ରକାଶିତ ହେଉ ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ପାଞ୍ଜିରେ ସମନ୍ବୟ ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ପାଞ୍ଜି ସମନ୍ବୟ ବୈଠକ ଡାକି ଆସୁଛି। କିନ୍ତୁ ନ୍ୟସ୍ତସ୍ବାର୍ଥ ପାଞ୍ଜିକାରମାନେ ଏହି ବୈଠକକୁ ନ ଆସି ବ୍ୟବସାୟିକ ଲକ୍ଷ୍ୟରେ ନିଜ ଇଚ୍ଛା ଅନୁସାରେ ପାଞ୍ଜି ପ୍ରକାଶ କରୁଛନ୍ତି।