ନୂଆଦିଲ୍ଲୀ/ଭୁବନେଶ୍ବର: ଚଳିତବର୍ଷର ଦୀପାବଳି ବ୍ୟବସାୟ ଜଗତରେ ଚମକ ଆଣିବା ସହ ଉତ୍ସାହ ଭରିଛି। ଦେଶରେ ଐତିହାସିକ ୬.୦୫ ଲକ୍ଷ କୋଟି ଟଙ୍କାର ବେପାର ହୋଇଛି। ଏଥିରେ କେବଳ ସାମଗ୍ରୀ ବ୍ୟବସାୟ ରେକର୍ଡ ୫.୪୦ ଲକ୍ଷ କୋଟି ଟଙ୍କା। ୬୫ ହଜାର କୋଟି ଟଙ୍କାର ବ୍ୟବସାୟ ବିଭିନ୍ନ ସେବା ବାବଦରେ ହୋଇଛି। ଓଡ଼ିଶାରେ ବି ଦୀପାବଳି ପାଇଁ ୧୭ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଛି। ଏଥିରେ ୧୫ ହଜାର କୋଟି ଟଙ୍କାର ଜିନିଷପତ୍ର ବିକ୍ରି ରହିଥିବାବେଳେ ସେବା କ୍ଷେତ୍ରରେ ୨ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଛି। ଦୀପାବଳି ପାର୍ବଣ ବିକ୍ରି ୨୦୨୫ ଉପରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଏକ ଗବେଷଣା ରିପୋର୍ଟ ପ୍ରକାଶ କରାଯାଇଛି।
ରିପୋର୍ଟରୁ ଜଣାଯାଇଛି ଯେ ଚଳିତବର୍ଷ ଦୀପାବଳି ବିକ୍ରି ଭାରତର ବ୍ୟବସାୟ ଇତିହାସରେ ଏକ ରେକର୍ଡ କରିଛି। ଦିଲ୍ଲୀ ଚାନ୍ଦିନୀଚୌକ ସାଂସଦ ତଥା ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଜିଏସ୍ଟିରେ ହ୍ରାସ ଏବଂ ସ୍ବଦେଶୀକୁ ଆପଣାଇବା ପାଇଁ ମୋଦୀଙ୍କ ଆହ୍ବାନ ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଥିଲା। ମୋଦୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଏବଂ ସ୍ବଦେଶୀ ଦୀପାବଳି ଆହ୍ବାନ ଲୋକଙ୍କୁ ଗଭୀର ଭାବେ ଛୁଇଁଛି। ଏହାଦ୍ବାରା ଉଭୟ ବ୍ୟବସାୟୀ ଓ ଗ୍ରାହକ ବହୁମାତ୍ରାରେ ଉତ୍ସାହିତ ହୋଇଛନ୍ତି। ଏହି କାରଣରୁ ୮୭ ପ୍ରତିଶତ ଗ୍ରାହକ ଭାରତ ନିର୍ମିତ ସାମଗ୍ରୀକୁ ପସନ୍ଦ କରିଛନ୍ତି। ଫଳରେ ଚୀନ ସାମଗ୍ରୀର ଚାହିଦା ବହୁମାତ୍ରାରେ ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଦୀପାବଳିରେ ସ୍ବଦେଶୀ ସାମଗ୍ରୀ ବିକ୍ରିରେ ୨୫ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଦୀପାବଳିରେ ଦେଶରେ ୪.୨୫ ଲକ୍ଷ କୋଟି ଟଙ୍କାର ବିକ୍ରିବଟା ହୋଇଥିଲା। ତେଣୁ ଗତବର୍ଷ ତୁଳନାରେ ଏବର୍ଷ ଦୀପାବଳିରେ ୨୫ ପ୍ରତିଶତ ଅଧିକ ବିକ୍ରି ହୋଇଛି ବୋଲି ଖଣ୍ଡେଲୱାଲ ଦାବି କରିଛନ୍ତି। ଦୀପାବଳି ସମୟରେ ମୋଟ ବିକ୍ରିରେ ମୁଖ୍ୟ ଏବଂ ପାରମ୍ପରିକ ଖୁଚୁରା ବଜାରର ଯୋଗଦାନ ୮୫ ପ୍ରତିଶତ ରହିଛି। ଅର୍ଥାତ୍ ଦେଶରେ ପାରମ୍ପରିକ ଓ ଛୋଟ ବ୍ୟବ୍ୟବସାୟୀଙ୍କ ବିକ୍ରିରେ ବଡ଼ଧରଣର ଉନ୍ନତି ପରିଲକ୍ଷିତ ହୋଇଛି।
ସେହିଭଳି ସିଏଆଇଟିର ଜାତୀୟ ସଭାପତି ବିସି ଭରତିଆଙ୍କ ସୂଚନା ଅନୁଯାୟୀ, ପାର୍ବଣ ସମୟରେ ମୋଟ ବିକ୍ରିରେ ତେଜରାତି ଓ ଏଫ୍ଏମ୍ସିଜି ସାମଗ୍ରୀର ଯୋଗଦାନ ସର୍ବାଧିକ ୧୨ ପ୍ରତିଶତ ରହିଛି।
ସ୍ବଦେଶୀ ସାମଗ୍ରୀ ବିକ୍ରି ୨୫% ବୃଦ୍ଧି
୮୭% ଗ୍ରାହକଙ୍କ ପସନ୍ଦ ସ୍ବଦେଶୀ
ଚୀନ ଉତ୍ପାଦ ଚାହିଦା କମିଛି
ପ୍ରଥମ ସ୍ଥାନରେ ଏଫ୍ଏମ୍ସିଜି, ଦ୍ବିତୀୟରେ ସୁନା ଓ ଗହଣା
୫୦ ଲକ୍ଷ ଅସ୍ଥାୟୀ ନିଯୁକ୍ତି ସୃଷ୍ଟି
ଏହା ପଛକୁ ସୁନା ଏବଂ ଗହଣା ଯୋଗଦାନ ୧୦ ପ୍ରତିଶତ, ଇଲେକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲର ଯୋଗଦାନ ୮ ପ୍ରତିଶତ, ଦୀର୍ଘସ୍ଥାୟୀ ଉପଭୋକ୍ତ ସାମଗ୍ରୀ ଏବଂ ରେଡିମେଡ୍ ପୋଷାକର ଯୋଗଦାନ ଯଥାକ୍ରମେ ୭ ପ୍ରତିଶତ ଲେଖାଏଁ ରହିଛି। ସେହିଭଳି ଉପହାର ବଜାରର ଅଂଶ ମଧ୍ୟ ୭ ପ୍ରତିଶତ ରହିଛି। ଘର ସାଜସଜ୍ଜା ଏବଂ ଫର୍ଣ୍ଣିଚର ସାମଗ୍ରୀର ୫ ପ୍ରତିଶତ ଲେଖାଏଁ ଥିବାବେଳେ ମିଷ୍ଟାନ୍ନ ଓ ନମକିନ୍ର ଅଂଶ ୫ ପ୍ରତିଶତ ରହିଛି। ବୟନ ଓ ପୋଷାକର ଯୋଗଦାନ ୪ ପ୍ରତିଶତ ଥିବାବେଳେ ପୂଜା ସାମଗ୍ରୀ, ଫଳ ଓ ଡ୍ରାଏ ଫ୍ରୁଟ୍ସ୍, ବେକରି ସାମଗ୍ରୀର ୩ ପ୍ରତିଶତ ଲେଖାଏଁ ଯୋଗଦାନ ରହିଛି। ଚପଲର ୨ ପ୍ରତିଶତ ଯୋଗଦାନ ଥିବାବେଳେ ଅନ୍ୟାନ୍ୟ ସାମଗ୍ରୀର ଯୋଗଦାନ ୧୯ ପ୍ରତିଶତ ରହିଛି। ପାର୍ବଣରେ ପ୍ୟାକେଜିଂ, ଆତିଥେୟତା, କ୍ୟାବ୍, ଟ୍ରାଭେଲ୍, ଇଭେଣ୍ଟ ମ୍ୟାନେଜମେଣ୍ଟ, ଟେଣ୍ଟ୍ ଓ ସାଜସଜ୍ଜା ଆଦି ସେବାର କାରବାର ୬୫ ହଜାର କୋଟି ଟଙ୍କା ରହିଛି। ଗ୍ରାହକଙ୍କ ଚାହିଦାକୁ ଇନ୍ଧନ ଯୋଗାଇଛି ଜିଏସ୍ଟି ହ୍ରାସ। ଜିଏସ୍ଟି ହ୍ରାସ ପାଇଁ ନିତ୍ୟବ୍ୟବହାର ସାମଗ୍ରୀ, ପୋଷାକ, ଚପଲ୍ ଘର ସାଜସଜ୍ଜା ସାମଗ୍ରୀ ଏବଂ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀର ବିକ୍ରିରେ ବୃଦ୍ଧି ଘଟିଛି ବୋଲି ୭୨ ପ୍ରତିଶତ ବ୍ୟବସାୟୀ କହିଛନ୍ତି।
ଦେଶରେ ବ୍ୟବସାୟୀଙ୍କ ବିଶ୍ବାସ ସୂଚୀ ୮.୬/୧୦ ଏବଂ ଖାଉଟି ବିଶ୍ବାସ ସୂଚୀ ୮.୪/୧୦ ସ୍ତରରେ ରହିଛି, ଯାହାକି ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ। ଦୀପାବଳିରେ ବିକ୍ରିବଟାରେ ଯେଉଁ ବୃଦ୍ଧି ଘଟିଛି ତାହା ଆଗାମୀ ଶୀତଦିନେ, ବିବାହ ସମୟରେ ଏବଂ ଜାନୁଆରି ମଧ୍ୟଭାଗରୁ ଆରମ୍ଭ ହେଉଥିବା ପାର୍ବଣ ସମୟରେ ମଧ୍ୟ ଜାରି ରହିବ ବୋଲି କୁହାଯାଉଛି। ଦେଶର ଅଣକର୍ପୋରେଟ୍ ଏବଂ ଅଣକୃଷି କ୍ଷେତ୍ରରେ ୯ କୋଟିରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ କାର୍ଯ୍ୟ କରୁଛନ୍ତି। ସେହିଭଳି ନିୟୁତାଧିକ ଉତ୍ପାଦନ ୟୁନିଟ୍ ରହିଛି। ଏଗୁଡ଼ିକ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଇଞ୍ଜିନ ପାଲଟିଛନ୍ତି। ଚଳିତବର୍ଷର ଦୀପାବଳି ଲଜିଷ୍ଟିକ୍ସ, ପ୍ୟାକେଜିଂ, ପରିବହନ ଏବଂ ରିଟେଲ୍ ସର୍ଭିସ୍ କ୍ଷେତ୍ରରେ ୫୦ ଲକ୍ଷ ଅସ୍ଥାୟୀ ନିଯୁକ୍ତି ସୃଷ୍ଟି କରିଛି। ଦେଶର ମୋଟ ବିକ୍ରିରେ ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ଯୋଗଦାନ ୨୮ ପ୍ରତିଶତ ରହିଛି।
ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଚଳିତବର୍ଷ ଧନତେରସ୍ ଓ ଦୀପାବଳି ସମୟରେ ରାଜ୍ୟରେ ବେଶ୍ ଉତ୍ସାହଜନକ ବ୍ୟବସାୟ ହୋଇଛି। ଗ୍ରାହକମାନେ ମୁଖ୍ୟତଃ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ ସାମଗ୍ରୀ, ଗହଣା, ବିଭିନ୍ନ ପ୍ରକାର ଗାଡ଼ି, ପୋଷାକପତ୍ର, ଉପହାର ସାମଗ୍ରୀ ଆଦି କିଣାକିଣି କରିଛନ୍ତି। ଓଡ଼ିଶାରେ ମୋଟ ୧୭ ହଜାର କୋଟି ଟଙ୍କାର ବେପାର ମଧ୍ୟରୁ ୧୫ ହଜାର କୋଟି ଟଙ୍କାର ଜିନିଷପତ୍ର ବିକ୍ରି ହୋଇଛି। ସେବା କ୍ଷେତ୍ରରେ ଅବଶିଷ୍ଟ ୨ ହଜାର କୋଟି ଟଙ୍କାର କାରବାର ହୋଇଥିବା ସେ କହିଛନ୍ତି।