ଦୀପାବଳିରେ ସୃଷ୍ଟି ହେଲା ଭିନ୍ନ ଉଦାହରଣ, ଓଡ଼ିଶା ଦେଖାଇଲା ଆଲୋକ ପର୍ବରେ ହସର ଭିନ୍ନ ମୁହୂର୍ତ୍ତ

ଭୁବନେଶ୍ୱର/କେନ୍ଦ୍ରାପଡା/ବରଗଡ଼/ସୁବର୍ଣ୍ଣପୁର/ଯାଜପୁର/ଖୋର୍ଦ୍ଧା/ନୂଆପଡା/ସୁନ୍ଦରଗଡ/ନୟାଗଡ
ଆଲୋକର ପର୍ବ ଦୀପାବଳିରେ ଆଜି ସୃଷ୍ଟି ହୋଇଛି ନୂଆ ଉଦାହରଣ | କୁନି କୁନି ପିଲାଙ୍କ ମୁଁହରେ ହସ ଫୁଟାଇବା ପାଇଁ ଆଜି ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଶିଶୁ ପାଳନ କେନ୍ଦ୍ର ସହ ସ୍ଵଧାର ଗୃହରେ ଛୋଟ ପିଲା ଓ ତାଙ୍କ ମାଙ୍କ ସହ ଦୀପାବଳି ପାଳନ କରିଛନ୍ତି | ଏଠାରେ ସୂଚନା ଥାଉ କି ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଶିଶୁପାଳନ କେନ୍ଦ୍ରଗୁଡ଼ିକୁ ଯାଇ ଦୀପାବଳୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସପିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।
ଦେବଗଡ଼ ପୁଲିସ ପକ୍ଷରୁ ଆଜି ଏକ ଶିଶୁ ସୁରକ୍ଷା କେନ୍ଦ୍ରରେ ଛୋଟ ପିଲାଙ୍କୁ ମିଠା, ଚକଲେଟ, ବହି ବଣ୍ଟନ କରାଯିବା ସହ ଦୀପାବଳି ପାଳନ କରାଯାଇଥିଲା | ସମ୍ବଲପୁରରେ ଦୀପାବଳି ପାଇଁ ସମ୍ବଲପୁରର ଧନକଉଡାରେ ଥିବା ବାଳାଶ୍ରମ ସହ ବୀର ସୁରେନ୍ଦ୍ର ସାଏ ମାନସିକ ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟରେ ସକାଳୁ ସକାଳୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ( ଏସପି) ଦୀପାବଳି ପାଳନ କରିଥିଲେ | କେନ୍ଦ୍ରାପଡାରେ ମହିଳାଙ୍କୁ ସଶକ୍ତିକରଣ କରିବାପାଇଁ କେନ୍ଦ୍ରାପଡାରେ ପ୍ରୟାସ ହୋଇଛି | ଦୀପାବଳି ପାଇଁ ଜିଲ୍ଲାପାଳ ଆଜି ସ୍ଵଧାର ଗୃହରେ ଥିବା ମହିଳାମାନଙ୍କୁ କାଗଜ ଠୁଙ୍ଗା ତିଆରି ମେସିନ ସହ ଧୂପକାଠି ତିଆରି ମେସିନ ଦେଇଛନ୍ତି | କୋରାପୁଟ ଜିଲ୍ଲାପାଳ ଆଜି ଆସ୍ଥା ଶିଶୁ କେନ୍ଦ୍ରରେ ଅନାଥ ଶିଶୁଙ୍କ ସହ ଦୀପାବଳି ପାଳନ କରିଛନ୍ତି |

ଜଗତସିଂହପୁରରେ ମଧ୍ୟ ଶିଶୁ ଆଶ୍ରମ ଓ ସ୍ଵଧାରଗୃହରେ ଦୀପ ଜାଳିବା ସହ ଜିଲ୍ଲାପାଳ ମିଠା ବଣ୍ଟନ କରିଥିଲେ | ବଲାଙ୍ଗୀରର ପାର୍ବତୀ ଗିରି ବାଳାଶ୍ରମରେ ମଧ୍ୟ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଦୀପାବଳି ପାଳନ କରିଛନ୍ତି | ଏଠାରେ ଥିବା ଶିଶୁଙ୍କ ସହ ସମ୍ୱଲପୁରୀ ନୃତ୍ୟ ପ୍ରତିଯୋଗିତା କରାଯିବା ସହ ଜିଲ୍ଲାପାଳ ପିଲାଙ୍କ ସହ କ୍ୟାରମ, ଚେସ, ଲୁଡୁ ଖେଳିଛନ୍ତି | ରାୟଗଡାରେ ଥିବା ଵୃଦ୍ଧାଶ୍ରମ, ସିସିଆଇ ରାୟଗଡା ଓ ଅନ୍ଵେଷା ହଷ୍ଟେଲରେ ଆଜି ଜିଲ୍ଲାପାଳ ମିଠା ବଣ୍ଟନ କରିବା ସହ ଭିନ୍ନ ଢଙ୍ଗରେ ଦୀପାବଳି ପାଳନ କରିଛନ୍ତି | ସୁନ୍ଦରଗଡ଼ରେ ଜିଲ୍ଲା ପୁଲିସ ପକ୍ଷରୁ ଶିଶୁ ସୁରକ୍ଷା କେନ୍ଦ୍ରରେ ଅନ୍ତେବାସୀଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଆୟୋଜନ କରାଯିବା ସହ ବାଣ ବଣ୍ଟନ କରାଯାଇଥିଲା |

ସେହିପରି ନୂଆପଡାରେ ବିଜୁ ପଟ୍ଟନାୟକ ମାନସିକ ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟରେ ଏସପି ଦୀପାବଳି ପାଳନ କରିଥିବାବେଳେ ଖୋର୍ଦ୍ଧା ଯାଆଁଳାରେ ଥିବା ମିଶନ ଆଶ୍ରାରେ ଅନ୍ତେବାସୀଙ୍କ ସହ ଏସପି ଦୀପାବଳି ଭିନ୍ନ ଢଙ୍ଗରେ ପାଳନ କରିଥିଲେ | ଏଠାରେ ସୂଚନା ଥାଉ କି ଆଜି ଅନ୍ୟ ଜିଲ୍ଲାପାଳଙ୍କ ମଧ୍ୟରେ ନବରଙ୍ଗପୁର, ଜଗତସିଂହପୁର, ରାୟଗଡା, ନୟାଗଡ, ସୁବର୍ଣ୍ଣପୁର, ନୂଆପଡା, କଳାହାଣ୍ଡି, କେନ୍ଦ୍ରାପଡ଼ା, ବଲାଙ୍ଗୀର, କୋରାପୁଟ, ଭଦ୍ରକ ଜିଲ୍ଲାପାଳ ଶିଶୁମାନଙ୍କ ସହ ଦୀପାବଳି ପାଳନ କରିଥିଲେ | ସେହିପରି ଆରକ୍ଷୀ ଅଧିକ୍ଷକଙ୍କ ମଧ୍ୟରେ ବଲାଙ୍ଗୀର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ରାୟଗଡା, ଗଂଜାମ, ବରଗଡ, ସୁବର୍ଣ୍ଣପୁର, ଯାଜପୁର, ଖୋର୍ଦ୍ଧା, ନୂଆପଡା, ସୁନ୍ଦରଗଡ, କନ୍ଧମାଳ, ସମ୍ବଲପୁର, ଦେବଗଡ଼ ଓ ନୟାଗଡର ଏସପି ଏହି ଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ |

ସମ୍ବନ୍ଧିତ ଖବର