ଜୟପୁର: ଆଲୋକର ପର୍ବ ଦୀପାବଳି ଗତବର୍ଷ ତୁଳନାରେ ଏଥର ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି। ଜୟପୁର ସହରରେ ରବିବାର ବିଭିନ୍ନ ସଂଗଠନ ଓ ଯୁବ ସ୍ବେଚ୍ଛାସେବୀଙ୍କ ପକ୍ଷରୁ ଦିପାବଳୀକୁ ନିଆରା ଢଙ୍ଗରେ ବିନା ଆତସବାଜୀରେ ପାଳନ କରିଥିଲେ। ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କ ପାଇଁ ସହରର ବିଭିନ୍ନ ଛକ ଓ ମନ୍ଦିରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଦୀପ ଜାଳି ଯୁବକମାନେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ଗତକାଲି ସମସ୍ତେ ଦୀପବଳି ପାଳନ ଉତ୍ସବରେ ମସଗୁଲ ଥିବା ବେଳେ କିଛି ସ୍ବେଚ୍ଛାସେବୀ ଏହି ଉତ୍ସବକୁ ନିଆରା କରିବା ପାଇଁ ରକ୍ତଦାନ କରି ଏହି ଅବସରରେ ୨ଟି ଅମୁଲ୍ୟ ଜୀବନକୁ ବଂଚାଇଥିଲେ। ସହରରେ ସେଭଳି କିଛି ବଡ ଧରଣର ଅଘଟଣ ହୋଇ ନି। ତେବେ ଜଣେ ମହିଳା, ଜଣେ ଶିଶୁଙ୍କୁ ଆତସବାଜୀର ନିଆଁ ଝାସରେ  ଆହତ ହୋଇଥିଲେ। ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଆତସବାଜୀର କିଛି ଅଂଶ ବାଜିବା ପରେ ସେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

Advertisment

ହୋଟେଲ ହାଲୋ ଜୟପୁରର କର୍ମଚାରୀ ପିଣ୍ଟୁ ନାୟକ ଗତ କାଲି ଜୟପୁର ରକ୍ତଭଣ୍ଡାରକୁ ଆସି ‌ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହାକୁ ଜଣେ ସିକିଲିନ୍ ରୋଗୀଙ୍କୁ ଦିଆଯାଇଥିଲା। ସେଭଳି ଆରଏମସି କର୍ମଚାରୀ ତଥା ନୂଆସାହିର ସୁରଜ ବେହେରା ବି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜଣେ ଜରୁରୀ ରୋଗୀଙ୍କ ଜୀବନ ବଂଚାଇଥିଲେ।

ସ୍ଥାନୀୟ ଧୋବାସାହି ଛକରେ ଜୟପୁର ଯୁବକ ସଂଘ ପକ୍ଷରୁ ଦେଶର ସହିଦ ଜବାନଙ୍କ ସ୍ମୃତି ଉଦେଶ୍ୟରେ  ସହିଦ ଜବାନଙ୍କ ଫଟୋଚିତ୍ରର ପ୍ଲେକ୍ସ ଲଗାଇ  ‘ଜୟହିନ୍ଦ’  ନାଁରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ବିଭିନ୍ନ ବର୍ଗର ଲୋକେ ଭାଗ ନେଇ   ତ୍ରିରଙ୍ଗା ପତାକା ସମ୍ମୁଖରେ ଦୀପ ଜାଳି ଶ୍ରଦ୍ଧାସୁମନ ଞାପନ କରିଥିଲେ।