ଦୀପାବଳି ଉତ୍ସାହ: ସହରରେ ଫୁଟିଲା ୫ କୋଟିର ବାଣ

ରାଉରକେଲା: ଉତ୍ସାହ ଉଦ୍ଦୀପନାର ସହ ଦୀପାବଳୀ ପର୍ବକୁ ପାଳନ କରିଛନ୍ତି ଇସ୍ପାତ ସହରବାସୀ। ଗତ ଦୁଇ ବର୍ଷ ହେଲା ବାଣ ଉପରେ କଟକଣା ଲାଗିରହିଥିଲା। ତେବେ ଚଳିତବର୍ଷ କୌଣସି କଟକଣା ନ ଥିବାରୁ ଏହାର ଭରପୁର୍‌ ଫାଇଦା ଉଠାଇଥିଲେ। ଅପରାହ୍ନ ପ୍ରାୟ ୩/୪ଟାରୁ ବାଣ ଫୁଟାଇବା ଆରମ୍ଭ ହୋଇଯାଇଥିଲା; ଯାହାକି ବିଳମ୍ବିତ ରାତି ୧ଟା ଯାଏଁ ଜାରି ରହିଥିଲା। ବେସରକାରୀ ଆକଳନ ଅନୁସାରେ, ଏଥର ଦୀପାବଳୀରେ ପାଖାପାଖି ୫ କୋଟିର ବାଣ ଫୁଟାଇଛନ୍ତି ସହରବାସୀ।

୪୦୮ ଦୋକାନକୁ ମିଳିଥିଲା ଅନୁମତି, ବିକିଲେ ଅଧିକ

ଅପରାହ୍ନ ୪ଟାରୁ ରାତି ୧ଟା ଯାଏଁ ଫୁଟିଲା ବାଣ

ଏବର୍ଷ ଦୀପାବଳି ପୂର୍ବବର୍ଷ ଅପେକ୍ଷା ଅଧିକ ଜାକଜମକରେ ପାଳନ କରାଯାଇଛି। ପୂର୍ବ ଦୁଇବର୍ଷ କରୋନା କଟକଣା ଯୋଗୁଁ ଲୋକେ ଲୁଚିଛପି ବାଣ ଫୁଟାଇଥିଲେ। ଲୁଚାଛପରେ ବାଣ ବିକ୍ରି ହୋଇଥିଲା। ତେବେ ଏବର୍ଷ କୌଣସି ନିଷେଧାଦେଶ ନ ଥିବାରୁ ଲୋକେ ଅପରାହ୍ନ ୪ଟାରୁ ବାଣ ଫୁଟାଇ ଉତ୍ସବ ମନାଇବା ଆରମ୍ଭ କରିଦେଇଥିଲେ। ସମଗ୍ର ସହର ଧୁଆଁମୟ ହୋଇଯାଇଥିଲା। ତେବେ ସେକ୍ଟର ଅଞ୍ଚଳ ଅପେକ୍ଷା ରାଉରକେଲା ମହାନଗଗର ନିଗମ ଅନ୍ତର୍ଗତ, ସିଭିଲ୍‌ ଟାଉନସିପ୍‌  ପାନପୋଷ, ଛେଣ୍ଡ୍‌, ବାସନ୍ତୀକଲୋନି, ଉଦିତନଗର, ଡେଲିମାର୍କେଟ୍‌ ଆଦି ଅଞ୍ଚଳରେ ଉତ୍ସବ ବେଶ୍‌ ଜମିଥିଲା। ପ୍ରତିବର୍ଷ ଭଳି ଏଥର ମଧ୍ୟ ସହରକୁ ରୟପୁର, ଶିବକାଶୀରୁ ହିଁ ବାଣ ଆସିଥିଲା। ରାଉରକେଲା ଓ ବନ୍ଧମୁଣ୍ଡା ଅଞ୍ଚଳରେ ଥିବା ଥିବା ୪ ଜଣ ହୋଲସେଲର୍‌ ହିଁ ସହରର ଅନ୍ୟ ଛୋଟବଡ଼ ଦୋକାନୀଙ୍କୁ ବାଣ ଯୋଗାଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ ଏଥର ମୋଟ୍‌ ୪୦୮ ଟି ଦୋକାନକୁ ବାଣ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା। ରାଉରକେଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ବିଭିନ୍ନ ସ୍ଥାନ, ଯଥା- ସେକ୍ଟର-୧୩ ମେଲଣ ପଡ଼ିଆ, ପାୱାର ହାଉସ୍‌ରୋଡ୍‌, ପ୍ଲାଣ୍ଟସାଇଟ୍‌ ଦୁର୍ଗା ପୂବା ପଡ଼ିଆ, ଫର୍ଟିଲାଇଜର, ବନ୍ଧମୁଣ୍ଡା, ବେଦବ୍ୟାସ, ପାନପୋଷ ଆଦି ସ୍ଥାନରେ ବିକ୍ରି କରିଥିଲେ। ଏତଦ୍‌ବ୍ୟତୀତ ବହୁ ଛୋଟଛୋଟ ଦୋକାନୀ ମଧ୍ୟ ବାଣ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର