ଦୀପାବଳିକୁ ଆଲୋକିତ କରିବା ଲାଗି ଭଳିକି ଭଳି ଦୀପ ପ୍ରସ୍ତୁତିରେ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର କୁମ୍ଭାର ସମ୍ପ୍ରଦାୟର ଲୋକେ

ପାଖେଇ ଆସୁଛି ଦୀପାବଳି। ଆଉ ଦିନ କେଇଟା ପରେ ଧୁମଧାମରେ ପାଳିତ ହେବ ଆଲୋକର ପର୍ବ ଦୀପାବଳି । ଏଥି ପାଇଁ ଚାରିଆଡେ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆଉ ଏହି ଦୀପାବଳିକୁ ଆଲୋକିତ କରିବା ଲାଗି ଏବେ ଠାରୁ ପ୍ରସ୍ତୁତି ଚଳାଇଛନ୍ତି କୁମ୍ଭାର ସମ୍ପ୍ରଦାୟର ଲୋକେ। ଦିନ ରାତି ଏକ କରି ଲାଗି ପଡିଛନ୍ତି ଭଳିକି ଭଳି ଦୀପ ପ୍ରସ୍ତୁତି କରିବାରେ । ଏହାକୁ ବିକ୍ରୀ କରି ବେଶ ଦୁଇ ପଇସା ରୋଜଗାର ଆଶାରେ।

ଏ ହେଉଛି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା ଶିଖପାଲି କୁମ୍ଭାରଶାଳର ଘଟଣା । ଭଳିକି ଭଳି ଦୀପ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି କୁମ୍ଭାରମାନେ। ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ଜୋରସୋରରେ ଚାଲିଛି ଦୀପ ତିଆରି । ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଦୀପ ତିଆରି କରୁଛନ୍ତି ଜଣେ ଜଣେ କୁମ୍ଭାର ।

ଛୋଟ ଦୀପ ଖୁଚୁରା ବଜାରରେ ୧ ଟଙ୍କା ଠାରୁ ଆରମ୍ଭ ହୋଇ ଆକାର ଅନୁଯାଇ ୧୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ କିଛି କିଛି ସ୍ଥାନରେ ଏହାକୁ ୫୦ ପଇସା ଠାରୁ ଆରମ୍ଭ କରି ୫ ରୁ ୮ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ କରୁଛନ୍ତି କୁମ୍ଭାର ଆଉ ବେଶ୍ କିଛି ପଇସା ରୋଜଗାର ମଧ୍ୟ କରୁଛନ୍ତି । । ମାଲକାନଗିରି ଠାରୁ ଆରମ୍ଭ କରି କାଲିମେଳା, ମୋଟ, ଚିତ୍ରକୋଣ୍ଡା, ବାଲିମେଳା ଯାଏଁ ବିକ୍ରୀ ହୋଉଛି ଶିଖପାଲି କୁମ୍ଭାରଶାଳର ପ୍ରସିଦ୍ଧ ମାଟି ଦୀପ । ଦୀପାବଳି ସମୟରେ ବାହାର ଜିଲ୍ଲାରୁ ମଧ୍ୟ ବ୍ୟବସାୟୀ ମାନେ ଆସି ଦୀପ କିଣୁଥିବା କହିଛନ୍ତି କୁମ୍ଭାର ।

ମାଲାକାନଗିରି ଜିଲ୍ଲାର ଶିଖପାଲି ଗାଁରେ ପ୍ରାୟ ୪୦ ଟି ପରିବାରର ୧୦୦ ରୁ ଅଧିକ ସଦସ୍ୟ ଏହି କୁମ୍ଭାରଶାଳ ଉପରେ ନିର୍ଭର କରି ନିଜ ଗୁଜରାଣ ମେଂଟାଇଥାନ୍ତି । ପ୍ରାୟ ୨୫ ବର୍ଷ ଆଗରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆଜବେଷ୍ଟ ଘରଟି ଯୋଗାଇ ଦିଆଯାଇଥିବା ବେଳେ ଏବେ ଏହି କୋଠା ଘରେ ଏକାଠି କାମ କରିବା ଅସମ୍ଭବ ହୋଇ ପଡିଛି । କିନ୍ତୁ ଏସବୁ ସତ୍ୱେ ନିଜ ଗୁଜୁରାଣ ମେଂଟାଇବା ପାଇଁ ଦୀପ ତିଆରି କରିଚାଲିଛନ୍ତି କୁମ୍ଭାର । କେବଳ ଦୀପାବଳି ନୁହଁ ବରଂ ଅନ୍ୟ ସମୟରେ ଭିନ୍ନ ଭି୍ନ୍ନ ମାଟି ସାମଗ୍ରୀ ତିଆରି କରି ଜିଲ୍ଲା ବ୍ୟାପି ଯୋଗାଇ ଥାନ୍ତି ଶିଖପାଲିର କୁମ୍ଭାର ମାନେ । ତେବେ ଦୀପାବଳି ଆସିଲେ ଏମାନଙ୍କ ରୋଜଗାର କିନ୍ତୁ ବହୁଗୁଣିତ ହୋଇ ଥାଏ ।

ସମ୍ବନ୍ଧିତ ଖବର