ପଣା ସଂକ୍ରାନ୍ତିରେ ଚାଲିଥିଲା ଡିଜେ ପ୍ରତିଯୋଗିତା, ୨୦ ଫୁଟ୍‌ ଉପରୁ ସାଉଣ୍ଡ ସିଷ୍ଟମ୍‌ ପଡ଼ି ୪ ଗୁରୁତର

ଚିତ୍ରଡ଼ା: ପଣା ସଂକ୍ରାନ୍ତି ଉପଲକ୍ଷେ ଆଜି ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ମୋରଡ଼ା ଗ୍ରାମରେ ଡିଜେ ସାଉଣ୍ଡ ପ୍ରତିଯୋଗିତା ବେଳେ ଘଟିଛି ଅଘଟଣ। ପ୍ରାୟ ୨୦ ଫୁଟ୍‌ ଉପରୁ ସାଉଣ୍ଡ ସିଷ୍ଟମ୍‌ ଖସି ପଡ଼ିବାରୁ ତଳେ ନାଚୁଥିବା ୪ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାରିପଦା‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି।
ସୂଚନା ଅନୁଯାୟୀ, ଏହି ଗ୍ରାମରେ ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ଡିଜେ ପ୍ରତିଯୋଗିତା ହୁଏ। କେଉଁ ଦଳର ଡିଜେ ଅଧିକ ଜୋର୍‌ରେ ବାଜିବ, ସେ ନେଇ ପରସ୍ପର ମଧ୍ୟରେ ଛକାପଞ୍ଝା ମଧ୍ୟ ହୁଏ।

ଆଜି ସନ୍ଧ୍ୟାରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ୩ ଚକିଆ ଭୁଟୁଭୁଟି ଉପରେ ୨୦ ଫୁଟ୍‌ ଉଚ୍ଚ ଯାଏ ଲଦା ହୋଇଥିଲା ଏକାଧିକ ବଡ଼ବଡ଼ ସାଉଣ୍ଡ ବକ୍ସ। ୪ଟି ଦଳ ଏଥିରେ ସାମିଲ ହୋଇଥିଲା ବେଳେ ତଳେ ନାଚୁଥିଲେ ୫ ହଜାରରରୁ ଅଧିକ ଲୋକ। ଡିଜେର କାନଫଟା ଶବ୍ଦରେ ସାରା ଅଞ୍ଚଳ ଥରୁଥିବା ବେଳେ ହଠାତ୍‌ ଗୋଟିଏ ଗାଡ଼ିର ସାଉଣ୍ଡ ସିଷ୍ଟମ୍‌ ସବୁ ତଳକୁ ଖସି ପଡ଼ିଥିଲା। ଫଳରେ ତଳେ ନାଚୁଥିବା ୪ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଦମକଳ କର୍ମଚାରୀଙ୍କ ସହଯୋଗରେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଥିରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ମୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଆହତ ଯୁବକମାନଙ୍କ ପରିଚୟ ମିଳିପାରିନି।

ସମ୍ବନ୍ଧିତ ଖବର