କଟକ: ଡିଜେ ଗାଡ଼ି ଉପରେ କଟକଣା ଲଗାଇଛି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ)। ମୋଟର ଯାନର ବେଆଇନ ଭାବେ ଢାଞ୍ଚା ପରିବର୍ତ୍ତନ କଲେ କାର୍ଯ୍ୟାନୁଷ୍ଠାନ ହେବ। ଏଥିସହ ଆର୍ସି ବାତିଲ କରାଯିବା ସହ ମୋଟା ଅଙ୍କର ଜରିମାନା ବି ଲାଗିବ ବୋଲି ଏସ୍ଟିଏ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ବିଗତ କିଛି ଦିନ ମଧ୍ୟରେ ବେଆଇନ ଡିଜେ ଗାଡ଼ି ଯୋଗୁଁ ସାମନାକୁ ଆସିଥିବା ଅଘଟଣକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଚିନ୍ତାପ୍ରକଟ କରିଛନ୍ତି। ଏହି ଡିଜେ ଗାଡ଼ିଗୁଡ଼ିକ ବେଆଇନ ଭାବେ ଗାଡ଼ିର ମୂଳ ଢାଞ୍ଚାରେ ପରିବର୍ତ୍ତନ କରୁଥିବା ଦେଖାଯାଇଛି। ଗାଡ଼ିର ଉଚ୍ଚତା, ଲମ୍ବ ଓ ପ୍ରସ୍ଥରେ ପରିବର୍ତ୍ତନ କରାଯିବା ସହ ଏଥିରେ ଲଗାଉଥିବା ଅତି ଉଚ୍ଚସ୍ୱରର ଲାଉଡ୍ ସ୍ପିକର ଏବଂ ଚିକ୍ମିକ୍ କରୁଥିବା ବେଆଇନ ଆଲୋକ ଇତ୍ୟାଦିକୁ ରୋକିବା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି। ଏ ସଂକ୍ରାନ୍ତରେ ଏସ୍ଟିଏ ପକ୍ଷରୁ ଏକ ସର୍କୁଲାର ଜାରି ହୋଇଛି। ମୋଟରଯାନ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ଢାଞ୍ଚାରେ ପରିବର୍ତ୍ତନ କରାଯାଉଥିବାରୁ ଏହାଦ୍ୱାରା ଶବ୍ଦ ପ୍ରଦୂଷଣ ଓ ଚିକ୍ମିକ୍ ଆଲୋକ ଦ୍ୱାରା ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ବେଆଇନ ଉଚ୍ଚତା ଯୋଗୁଁ ସଟ୍ସର୍କିଟ୍ ଓ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଭଳି ଅଘଟଣର ତଥ୍ୟ ବିଭାଗ ଦୃଷ୍ଟିକୁ ଆସିଛି। ଆଇନରେ ଥିବା ବିଧିବ୍ୟବସ୍ଥା ଅନୁଯାୟୀ କଡ଼ାକଡ଼ି ଯାଞ୍ଚ ଏବଂ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହା ବିରୋଧରେ ମୋଟର ଯାନ ଆଇନର ଧାରା ୧୯୦(୨), ୧୮୨(କ) (୪) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଲାଗୁ କରାଯିବ। ଏହାସହ ଏପରି ଯାନଗୁଡ଼ିକର ଫିଟ୍ନେସ୍ ଓ ପଞ୍ଜୀକରଣ ପ୍ରମାଣପତ୍ର ବାତିଲ କରିବାକୁ ମୋଟର ଯାନ ଆଇନର ଧାରା ୫୩ ଓ ୫୬(୪)ର ବ୍ୟବହାର କରାଯିବ। ବହୁରଙ୍ଗୀ ଏଲ୍ଇଡି/ଲେଜର/ନିଅନ୍ ଲାଇଟ୍, ଘୂରୁଥିବା ଡିଜେ ଲାଇଟ୍, କିମ୍ବା ଏଆଇଏସ୍-୦୦୮ ଅନୁଯାୟୀ ନଥିବା ଯେକୌଣସି ଆଲୋକ ବ୍ୟବସ୍ଥା ବ୍ୟବହାର ନିଷେଧ ରହିଛି। ସେହିଭଳି ମୋଟରଯାନରେ ଡିଜେ ସିଷ୍ଟମ୍, ଆମ୍ପ୍ଲିଫାୟାର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ଏବଂ ସମାନ ସେଟଅପ୍ ବ୍ୟବହାର ମଧ୍ୟ ବେଆଇନ ବୋଲି ଏସ୍ଟିଏ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/18/gjgdgjgg-2025-09-18-01-38-04.jpg)