ସାବଧାନ! ଏଣିକି ହେଲମେଟ ନ ପିନ୍ଧି ଦୁଇଚକିଆ ଚଲାଇଲେ ଲାଇସେନ୍ସ ହେବ ବାତିଲ୍

ଭୁବନେଶ୍ୱର: ହେଲମେଟ ନ ପିନ୍ଧି ଦୁଇ ଚକିଆ ଯାନ ଚଲାଇବା‌ ଏଣିକି ଚାଳକଙ୍କୁ ମହଙ୍ଗା ପଡ଼ିବ। ରାସ୍ତାରେ ବିନା ହେଲମେଟରେ ଯଦି ପୁଲିସ ହାତରେ ଧରାପଡ଼ନ୍ତି ତେବେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରାଯିବ ବୋଲି ସରକାର ରାଜ୍ୟ ପୁଲିସ ଏବଂ ପରିବହନ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ  ଡିଜିପି ଏବଂ ପରିବହନ କମିସନରଙ୍କୁ ଲେଖିଥିବା ଏକ ଚିଠିରେ ହେଲମେଟ ଆଇନର ଉଲ୍ଲଂଘନ କରୁଥିବା ଚିହ୍ନଟ ହେଲେ ଚାଳକଙ୍କ ଡ୍ରା‌ଇଭିଂ ଲାଇସେନ୍ସ ବାତିଲ୍ କରିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଏଥିସହିତ ଏଭଳି ଘଟଣା ଉପରେ କଡ଼ା ନଜର ରଖିବାକୁ କହିଛନ୍ତି।

ଏଥିସହ ୨୦୧୯ରେ  ହେଲମେଟ ଆଇନର ଉଲ୍ଲଂଘନ ପାଇଁ କେତେଜଣଙ୍କର  ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି ଓ  ୨୦୨୦ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ଏ ନେଇ  ଜିଲ୍ଲାସ୍ତରୀୟ ରିପୋର୍ଟ ଦାଖଲ କରିବାକୁ ଦୁଇ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ସୁପ୍ରିମକୋର୍ଟଙ୍କ  କମିଟିର ଅବଗତି ନିମନ୍ତେ ଏହି ରିପୋର୍ଟ ସାତ ଦିନ ମଧ୍ୟରେ ଦାଖଲ କରିବାକୁ ଡିଜିପି ଓ ପରିବହନ କମିସନରଙ୍କୁ କୁହାଯାଇଛି।

ସୂଚନା ଅନୁସାରେ, ୨୦୧୯ମସିହାରେ ରାଜ୍ୟରେ ୧୧୦୬୪ଟି ସଡକ ଦୁର୍ଘଟଣା ମଧ୍ୟରୁ ୪୬୮୮ଟି ସଡ଼କ ଦୁର୍ଘଟଣାରେ ଦୁଇ ଚକିଆ ଯାନ ସମ୍ପୃକ୍ତ ଥିଲା। ଏଥିରେ ସମୁଦାୟ ୫୩୩୩ ଜଣଙ୍କ ମଧ୍ୟରୁ ୨୩୯୮ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁବରଣ କରିଥିବା ୨୩୯୮ ଜଣଙ୍କ ମଧ୍ୟରୁ ଦୁର୍ଘଟଣା ସମୟରେ ହେଲମେଟ ପିନ୍ଧି ନଥିବାରୁ ୨୧୫୬ ଜଣଙ୍କ ମୃତ୍ୟୁ ହୋଇଥିବା ରି‌ପୋର୍ଟ ରହିଛି। ଏମାନେ ଯଦି ଗାଡ଼ି ଚଲାଉ ଥିବା ସମୟରେ ହେଲମେଟ ପିନ୍ଧି ଥାଆନ୍ତେ ତେବେ ସେମାନଙ୍କ ଜୀବନ ବଞ୍ଚି ଯାଇପାରି ଥାଆନ୍ତେ ବୋଲି ପରିବହନ ସଚିବ ପାଢ଼ୀ ଚିଠିରେ ଉଲ୍ଲେଖ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପୁଲିସ ଏବଂ ଓଡ଼ିଶା ମୋଟର ଯାନ ବିଭାଗ (ଓଏମଭିଡି) ଅଧିକାରୀଙ୍କ ଦ୍ୱାରା ୨୦୧୯ ମସିହାରେ ହେଲମେଟ ଆଇନର ଉଲ୍ଲଂଘନ କରିଥିବା ପ୍ରାୟ ୮.୫ଲକ୍ଷ ଚାଳକ ଚିହ୍ନଟ ହୋଇଛନ୍ତି।

ମୋଟରଯାନ ଅଧିନିୟମ ଧାରା ୧୯୪ (ଡି) ଅନୁଯାୟୀ, ଧାରା ୧୨୯ର ନିୟମ ଉଲ୍ଲଂଘନ କରି ଯେଉଁ ଚାଳକମାନେ ଗାଡ଼ି ଚଲାଇବେ କିମ୍ବା ହଜାର ଟଙ୍କା ଜରିମାନା ସହିତ ଦଣ୍ଡିତ ହେବେ ସେମାନଙ୍କର  ତିନିମାସ ପାଇଁ ଲାଇସେନ୍ସ ବାତିଲ କରି ଦିଆଯିବ।

ସମ୍ବନ୍ଧିତ ଖବର