ଯାଜପୁର: ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି (ଡିଏମ୍‌ଏଫ୍‌)ରୁ ବିଭିନ୍ନ ପ୍ରକଳ୍ପ ପାଇଁ ବ୍ୟୟ ହୋଇଥିବା ଅନୁଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହରରେ ପ୍ରଦୂଷଣ ରୋକିବା ପାଇଁ ‘ସହରୀ ଜଙ୍ଗଲ ଯୋଜନା’ ନାମରେ ୭ନମ୍ବର ୱାର୍ଡରେ ୪୪.୨୭ କୋଟି ଟଙ୍କା ବ୍ୟୟ କରାଯାଇଥିବା ଦର୍ଶାଯାଇଛି। ହେଲେ ୭ନମ୍ବର ୱାର୍ଡରେ ସେଭଳି ପ୍ରକଳ୍ପ ନାହିଁ। ଏହି ପ୍ରକଳ୍ପ ପାଇଁ ଜାତୀୟ ଗୃହ ନିର୍ମାଣ ନିଗମ (ଏନ୍‌ବିସିସି ) ଡିଏମଏଫରୁ ଅନୁଦାନ ନେବାସହିତ ଅନ୍ୟ ପ୍ରକଳ୍ପ ନାମରେ ମଧ୍ୟ ଅନୁଦାନ ନେଇଛି। ମୋଟ୍‌ ୩ଟି ପ୍ରକଳ୍ପ ବାବଦରେ ମଞ୍ଜୁର ହୋଇଛି ୨୦୫.୨୦କୋଟି ଟଙ୍କା।

Advertisment

କେନ୍ଦ୍ର ସରକାରଙ୍କ ଜାତୀୟ ଗୃହ ନିର୍ମାଣ ନିଗମ (ଏନ୍‌ବିସିସି )କୁ ଜିଲ୍ଲାର ୩ଟି ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ୨୦୫ କୋଟି ୨୦ ଲକ୍ଷ ଟଙ୍କା ଡିଏମ୍‌ଏଫରୁ ମଞ୍ଜୁର କରାଯାଇଛି। ଏନ୍‌ବିସିସି ବାହାର ଠିକାଦାର ଦ୍ବାରା ଏହି କାମ କରୁଛି। ସେଥିମଧ୍ୟରୁ କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ(କେଏନ୍‌ଡିଏ) ଅଧୀନ ବ୍ୟାସନଗରର ୭ନମ୍ବର ୱାର୍ଡରେ ସହରୀ ଜଙ୍ଗଲ ବିକାଶ ପାଇଁ ୬୯ କୋଟି ୨୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହି ବାବଦରେ ୪୪ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟ ହେଲାଣି। ତେବେ ୭ନମ୍ବର ୱାର୍ଡରେ ଏହିଭଳି କୌଣସି ପ୍ରକଳ୍ପ ହୋଇନାହିଁ ବୋଲି କେଏନ୍‌ଡିଏର ଅଧିକାରୀ ଦେବାଶିଷ ପ‌ାଢ଼ୀ ଓ ଜଙ୍ଗଲ ବିଭାଗ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରକାଶ କରିବା ସହିତ ବିସ୍ମୟ ପ୍ରକାଶ କରିଛନ୍ତି। ବ୍ୟାସନଗର ସହରର ଶହଶହ ଏକର ଜଙ୍ଗଲ ଜମି ଜବରଦଖଲ ହେଉଥିବା ବେଳେ ସହରୀ ଜଙ୍ଗଲ ଯୋଜନା କେଉଁଠାରେ ବୋଲି ସ୍ବେଚ୍ଛାସେବୀ ରାଜୁ ବିଶ୍ବାଳ ପ୍ରଶ୍ନ କରିଛନ୍ତି।

ସେହିପରି, ଯାଜପୁର ଟାଉନ୍‌ଠାରେ ନୂତନ ମେଡିକାଲ୍ କଲେଜରେ କ୍ରୀଡ଼ାର ବିକାଶ ପାଇଁ ୨୨ କୋଟି ୯୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୧୯ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟ ହେଲାଣି। ପାଣିକୋଇଲିଠାରେ ବିଜ୍ଞାନ ଏକାଡେମି ପାଇଁ ୧୧୩ କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୫୪ କୋଟି ୫୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ନାମରେ ଖାଲ ଜମିକୁ ପୋତିବା ଆଳରେ ବ୍ୟାପକ ଚୋରା ମାଟି, ବାଲି ଓ ଗୋଡ଼ି ବ୍ୟବହାର କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଡିଏମ୍‌ଏଫ୍‌ରୁ ଅନୁଦାନ ମଞ୍ଜୁର କରାଯାଇ ଏହି ୩ଟି ପ୍ରକଳ୍ପ ଦାୟିତ୍ବ ଏନ୍‌ବିସିସିକୁ ଦିଆଯାଇ ବାହାର ଠିକାଦାର ଜରିଆରେ କାମ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ୨୦୫ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦ ଥିବା ବେଳେ ୧୧୮ କୋଟି ୯ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ବାହାର ଠିକାଦାରକୁ ଦେବାପାଇଁ ଟେଣ୍ଡରରେ ଯୋଜନାବଦ୍ଧ ଭାବେ ବିଭିନ୍ନ ସର୍ତ୍ତ ରଖାଯାଇଥିଲା। ଏପରିକି ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅନ୍ଧାରରେ ରଖିବା ପାଇଁ ଦୀର୍ଘ୨ଦିନ ହେଲା ସୂଚନା ଦିଆଯାଉନଥିଲା।