କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକର କବାଟ, ଝରକାରେ ଷ୍ଟିକର୍‌ ଲଗାଇବା ବାବଦରେ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ଟଙ୍କା। ଏକ ନିର୍ଦ୍ଦିଷ୍ଟ ଠିକାସଂସ୍ଥାକୁ ବିନା ଟେଣ୍ଡରରେ ଷ୍ଟିକର ଲଗାଇବା କାର୍ଯ୍ୟାଦେଶ ଦିଆଯାଇ ଡିଏମ୍‌ଏଫ୍‌ରୁ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲାରେ ରହିଛି ୪୫୨ଟି ଉଚ୍ଚବିଦ୍ୟାଳୟ। ଏସବୁ ଉଚ୍ଚବିଦ୍ୟାଳୟକୁ ୫-ଟିରେ ସାମିଲ କରାଯାଇ ଡିଏମ୍‌ଏଫ୍‌ ଅନୁଦାନରେ ବିଦ୍ୟାଳୟର କବାଟ ଓ ଝରକାରେ ଷ୍ଟିକର୍‌ ଲଗାଯାଇଛି। ବିଦ୍ୟାଳୟ ପିଛା ପ୍ରାୟ ଅଢ଼େଇଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ତିନିଟି ପର୍ଯ୍ୟାୟରେ ୩୪୦ଟି ବିଦ୍ୟାଳୟର ଝରକା ଓ କବାଟରେ ଷ୍ଟିକର୍‌ ଲଗାଯାଇଛି। ଏଥିପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏତେ ପରିମାଣର ଅର୍ଥ ଖର୍ଚ୍ଚ ସତ୍ତ୍ବେ ଏହି କାମ ପାଇଁ ଟେଣ୍ଡର ହୋଇନାହିଁ। ଗୋଟିଏ ସଂସ୍ଥା ପ୍ରୀତିପଣ୍ଡା ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ସମସ୍ତ ବିଦ୍ୟାଳୟରେ ଷ୍ଟିକର୍‌ ଲଗାଇଛି। ଏହି ଘଟଣାରେ ପୂର୍ବତନ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି।

Advertisment

ହସ୍ତଗତ ତଥ୍ୟ ଅନୁସାରେ, ଉକ୍ତ ସଂସ୍ଥାକୁ କାମ ଦେବାବେଳେ ଅତ୍ୟନ୍ତ ଚତୁରତାର ସହ ଟେଣ୍ଡର କରାନଯାଇ କୋଟେସନ୍‌ କଲ୍‌ ନୋଟିସ୍‌ ଜରିଆରେ ବିଦ୍ୟାଳୟସ୍ତରରେ ଠିକାସଂସ୍ଥା ଚୟନ କରାଯାଇଥିଲା। ଜିଲ୍ଲାର ସମସ୍ତ ବିଦ୍ୟାଳୟ ପାଇଁ ଗୋଟିଏ ସଂସ୍ଥା ପ୍ରୀତିପଣ୍ଡା ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌କୁ କାମ ଦିଆଯାଇଥିଲା। ଡିଏମ୍‌ଏଫ୍‌ ଅଧ୍ୟକ୍ଷ ତଥା ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଏହି କାମ ପାଇଁ ନିଷ୍ପତ୍ତି ନେବା ସମୟରେ ଏଥିପାଇଁ ୮ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିଥିଲେ। ଏହାସତ୍ତ୍ବେ ବି ସେ ଟେଣ୍ଡର କରିବା ପରିବର୍ତ୍ତେ ବିଦ୍ୟାଳୟସ୍ତରରେ କୋଟେସନ୍‌ କଲ୍‌ ନୋଟିସ୍‌ ମାଧ୍ୟମରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ।

ସେହିପରି, ଯେଉଁସବୁ ସଂସ୍ଥା କୋଟେସନ୍‌ କଲ୍‌ରେ ଭାଗ ନେଇଥିଲେ ସମସ୍ତେ ଭୁବନେଶ୍ବରର। ସାଧାରଣତଃ ବିଦ୍ୟାଳୟସ୍ତରରେ କୋଟେସନ୍‌ କଲ୍‌ ନୋଟିସ୍‌ ବାହାରିଲେ ଭୁବନେଶ୍ବରର ସଂସ୍ଥାମାନେ ଜାଣିବାର ସୁଯୋଗ ବହୁତ କମ୍‌ ଥାଏ। ତେଣୁ ଷ୍ଟିକର୍‌ ଲଗାଇବା କାମ ପାଇଁ ସମ୍ପୃକ୍ତ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଯିବା ସହ ଡାକି ଆଣି ଦୁର୍ନୀତି କରାଯାଇଥିବା ଚର୍ଚ୍ଚା ହେଉଛି। ଏହାଛଡ଼ା ଷ୍ଟିକର ଲଗାଇବା ପାଇଁ କୋଟେସନ୍‌ କଲ୍‌ ନୋଟିସ୍‌ କରାଯିବା ବେଳେ ୟୁନିଟ୍‌ ପିଛା ମୂଲ୍ୟ ମଗା ଯାଇଥାଏ। ୟୁନିଟ୍‌କୁ ସ୍କୋୟାର ଫୁଟ କିମ୍ବା ସ୍କୋୟାର ମିଟର ଭାବେ ବିବେଚନା କରାଯାଇଥାଏ। ମାତ୍ର ଏହି କାମରେ ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ମାପ ସ୍ଥିର କରାନଯାଇ କେଟେସନ୍‌କୁ ବିଚାରକୁ ନିଆଯାଇଛି।

ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞପ୍ରସାଦ ସାହୁଙ୍କ ଅଭିଯୋଗ ହେଲା, ଏହି ଷ୍ଟିକରିଂ କାମ ପରୋକ୍ଷରେ ନିଜେ ତତ୍କାଳୀନ ଜିଲ୍ଲାପାଳ କରୁଥିଲେ। ଏଥିପାଇଁ ବିଇଓଙ୍କ ଜରିଆରେ ପ୍ରଧାନଶିକ୍ଷକଙ୍କୁ ବାଧ୍ୟ କରି ଦସ୍ତଖତ ନେବାଠାରୁ ଆରମ୍ଭ କରି ବିଲ୍‌ ପୈଠ ପାଇଁ ନିଜେ ବିଡିଓମାନଙ୍କୁ ବାଧ୍ୟ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଛି। ଖୁବ୍‌ଶୀଘ୍ର ଏହାର ତଦନ୍ତ ହେବ ବୋଲି ସେ କହିଛନ୍ତି।