କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଡିଏମ୍‌ଏଫ୍‌ ଅନୁଦାନ ବ୍ୟୟରେ ବ୍ୟାପକ ଅନିୟମିତତା ହୋଇଥିବା ପଦାକୁ ଆସିଛି। ଗ୍ରାମ୍ୟ ଉଦ୍ୟାନ ନାମରେ ଡିଏମ୍‌ଏଫରୁ ଦେଢ଼କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେଠାରେ ଗଛ ବଦଳରେ ଅଛି ଖରିବଣ। କେବଳ ଠିକାଦାର ପୋଷିବାକୁ କେନ୍ଦୁଝର ସଦର ବ୍ଲକ୍‌ରେ ୮ଟି ଗ୍ରାମ୍ୟ ଉଦ୍ୟାନ କରଯାଇଥିବା ଅଭିଯୋଗ ହୋଇଛି। ଏ କ୍ଷେତ୍ରରେ ପୂର୍ବତନ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି। ଡିଏମ୍‌ଏଫ୍‌ ଅର୍ଥ ଖର୍ଚ୍ଚ ପାଇଁ ‘ଇ ଆଣ୍ଡ ୱାଇ’ ନାମକ ଏକ ସଂସ୍ଥା ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛି। ଉକ୍ତ ସଂସ୍ଥାର ପରାମର୍ଶ ଅନୁସାରେ ଡିଏମ୍‌ଏଫ୍‌ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥାଏ। ବିଭିନ୍ନ ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ପ୍ରକଳ୍ପକୁ ଡିଏମ୍‌ଏଫ୍‌ ଟ୍ରଷ୍ଟବୋର୍ଡ ଅନୁମୋଦନ କରିଥିଲା। ଏନେଇ କେନ୍ଦୁଝର ସଦର ବ୍ଲକ୍‌ରେ ୨୦୨୩-୨୦୨୪ ଓ ୨୦୨୪-୨୫ରେ ୮ଟି ଗ୍ରାମ୍ୟ ଉଦ୍ୟାନ ନିର୍ମାଣ ହୋଇଛି। ଏହାର ମୂଳଲକ୍ଷ୍ୟ ଥିଲା ପ୍ରଦୂଷଣ ନିୟନ୍ତ୍ରଣ କରିବା। କିନ୍ତୁ ବାସ୍ତବ କଥା ହେଉଛି, ଦେଢ଼କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗ୍ରାମ୍ୟ ଉଦ୍ୟାନ ନିର୍ମାଣ ନାମରେ ଠିକାଦାରଙ୍କୁ ପୋଷାଯାଇଛି।

Advertisment

‘ସମ୍ବାଦ’ ପକ୍ଷରୁ ଏକାଧିକ ଗ୍ରାମ୍ୟ ଉଦ୍ୟାନର ଅନୁସନ୍ଧାନ କରାଯାଇଥିଲା। ସେଠାରେ ଯାହା ଦେଖିବାକୁ ମିଳିଲା, ତାହା ତାଜୁବ୍ କଲା ଭଳି। ବାୟୁ ପ୍ରଦୂଷଣ ରୋକିବା ପାଇଁ ନିର୍ମାଣ ହୋଇଥିବା ଗ୍ରାମ୍ୟ ଉଦ୍ୟାନରେ ଗଛ ନାହିଁ। ଗୋପୀନାଥପୁର ପଞ୍ଚାୟତରେ ହୋଇଥିବା ଗ୍ରାମ୍ୟ ଉଦ୍ୟାନ ଖରିବଣ ପାଲଟିଛି। ଏଠାରେ ପାଦ ପକାଇବାକୁ ସ୍ଥାନ ନାହିଁ। ଗାଁଠାରୁ ୩ କିଲୋମିଟର ଦୂରରେ ଏକ ନିଛାଟିଆ ସ୍ଥାନରେ ଗ୍ରାମ୍ୟ ଉଦ୍ୟାନ ନିର୍ମାଣ କରାଯାଇଛି। ଯାହା ପଞ୍ଚା‌ୟତବାସୀଙ୍କ କୌଣସି କାମରେ ଲାଗୁନାହିଁ। ଏଠାରେ ପାଣି ଓ ବିଜୁଳି ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଗ୍ରାମ୍ୟ ଉଦ୍ୟାନ ପାଇଁ ଦୁଇଟି କିସ୍ତିରେ ୨୨ ଲକ୍ଷ ୨ ହଜାର ୯୧୯ ଟଙ୍କା ଖର୍ଚ୍ଚ ହୋଇଛି।

ସେହିପରି ଟିକରପଡ଼ା ଗ୍ରାମ୍ୟ ଉଦ୍ୟାନଟି ଗ୍ରାମଠାରୁ ବହୁ ଦୂରରେ ଅବସ୍ଥିତ। ଯେଉଁଠିକୁ ଗ୍ରାମବାସୀଙ୍କ ଯାତାୟାତ ମଧ୍ୟ ନାହିଁ। ଏହି ପ୍ରକଳ୍ପର ବ୍ୟୟ ଅଟ୍ଟକଳ ଥିଲା ୨୧ ଲକ୍ଷ ୮୨ ହଜାର ୫୫୫ ଟଙ୍କା। ଖାଲି ସେତିକି ନୁହେଁ, ଏହି ଗୋଟିଏ ସ୍ଥାନରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମଧ୍ୟ ରୁରାଲ ପାର୍କ ନାମରେ ୩ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ଏବେ ଗୋରୁଗାଈଙ୍କ ଚାରଣଭୂମିରେ ପରିଣତ ହାଇଛି। ଏହି ଗ୍ରାମ ଉଦ୍ୟାନ ସଂପୂର୍ଣ୍ଣ ପଡ଼ିଆ। ଏଭଳି ୮ଟି ଗ୍ରାମ୍ୟ ଉଦ୍ୟାନ ନିର୍ମାଣ ପାଇଁ ଡିଏମ୍‌ଏଫ୍‌ରୁ ଦେଢ଼କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାଦ୍ବାରା କେବଳ ଅର୍ଥଶ୍ରାଦ୍ଧ କରାଯାଇ ଠିକାଦାର ପୋଷାଯାଇଛି। ଏସବୁ ପ୍ରକଳ୍ପ ପ୍ରସ୍ତୁତ ପୂର୍ବରୁ ଡିଏମ୍‌ଏଫ୍‌ ପରାମର୍ଶଦାତା ‘ଇ ଆଣ୍ଡ ୱାଇ’ ସଠିକ ପରାମର୍ଶ ଦେବା କଥା। ୨୦୧୮ରେ ଏହି ସଂସ୍ଥାର କାର୍ଯ୍ୟକଳାପ ସନ୍ତୋଷଜନକ ନଥିଲା। ଏଥିପାଇଁ ତତ୍କାଳୀନ ଜିଲ୍ଲାପାଳ ଏନ୍‌. ତିରୁମାଲା ନାୟକ ଉକ୍ତ ସଂସ୍ଥାକୁ କାହିଁକି କଳାତାଲିକାଭୁକ୍ତ କରାନଯିବ, ସେଥିପାଇଁ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ନୋଟିସ୍‌ ଦେବାର ତିନିମାସ ପରେ ନୂଆ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଏହି ସଂସ୍ଥାର କାର୍ଯ୍ୟ ସନ୍ତୋଷଜନକ ଦର୍ଶାଇ ଚୁକ୍ତି ଅବଧି ବଢ଼ାଇ ଥିଲେ। ଯେଉଁ ସଂସ୍ଥାର ପରାମର୍ଶ ଆଧାରରେ ଏହି ଗ୍ରାମ୍ୟ ଉଦ୍ୟାନ ନିର୍ମାଣ ହୋଇଛି, ତାହା କେବଳ ଅର୍ଥଶ୍ରାଦ୍ଧ ପାଇଁ ଉଦ୍ଦିଷ୍ଟ ବୋଲି ସୂଚନା ଅଧିକାର କର୍ମୀ ହିମାଂଶୁ ନାୟକ ପ୍ରକାଶ କରିଛନ୍ତି।