ଖର୍ଚ୍ଚ ହୋଇପାରୁନି ଡିଏମ୍‌ଏଫ୍‌ ପାଣ୍ଠି

୫୦ଭାଗରୁ କମ ଅନୁଦାନ ବ୍ୟୟ ହୋଇଛି
କୃଷି ପ୍ରତି ଚରମ ଅବହେଳା
ହଜା‌ରେରୁ ଅଧିକ ପ୍ରକଳ୍ପ ଆରମ୍ଭ ହୋଇନାହିଁ
ଶହ ଶହ କୋଟି ଟଙ୍କା ପଡ଼ିଛି

ଯାଜପୁର/ଟାଉନ୍ : ରାଜ୍ୟର ଅଗ୍ରଣୀ ଜିଲ୍ଲା ଯାଜପୁରରେ ଶହ ଶହ କୋଟି ଟଙ୍କା ଅନୁଦାନ ବିନିଯୋଗ ହୋଇନପାରି ପଡିରହିଛି। ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଜିଲ୍ଲାର କୃଷି କ୍ଷେତ୍ର ବିଶେଷ କ୍ଷତିଗ୍ରସ୍ତ ହେଉଥିବା ବେଳେ ସ୍ଥାୟୀ ନିରାକରଣ କରାଯାଉନାହିଁ। ଏପରିକି ଜିଲ୍ଲା ଖଣିଜ ନ୍ୟାସ(ଡିଏମଏଫ୍)ପାଣ୍ଠି ବି ସଂପୂର୍ଣ୍ଣ ବିନିଯୋଗ ହୋଇପାରୁ ନାହିଁ। ୧୨୮୪କୋଟି ୨୨ଲକ୍ଷ ଟଙ୍କା ଡିଏମ୍‌ଏଫ ପାଣ୍ଠି ଆଦାୟ ହୋଇଥିବା ବେଳେ ମାତ୍ର ୫୭୯କୋଟି୬୩ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ଗତ ୮ବର୍ଷ ମଧ୍ୟରେ ଅଧାରୁ କମ ଅନୁଦାନ ବିନିଯୋଗ ହୋଇଛି। ଏପରିକି ଜିଲ୍ଲାର ୪୦ଭାଗ ଚାଷଜମିକୂ ଉଠାଜଳସେଚନ ଦ୍ବାରା ନିୟନ୍ତ୍ରଣ କରାଯାଉଥିବା ମଧ୍ୟ ଏହି କ୍ଷେତ୍ରରେ ଗୋଟିଏ ଟଙ୍କା ବି ଡିଏମ୍‌ଏଫରୁ ବିନିଯୋଗ କରାଯାଇନାହିଁ।

ପ୍ରକାଶ ଥାଉକି ୨୦୧୪-୧୫ ଆର୍ଥିକ ବର୍ଷରୁ ଡିଏମ୍‌ଏଫ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ହେଁ ଏହାର ସଦ୍‌ବିନିଯୋଗ ହୋଇପାରିନାହିଁ। ସରକାରୀ ତଥ୍ୟ ମୁତାବକ ୨୦୧୫-୧୬ରୁ ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ୧୨୮୪କୋଟି ୨୨ଲକ୍ଷ ଟଙ୍କା ଡିଏମ୍‌ଏଫ ଅନୁଦାନ ଆଦାୟ ହୋଇଛି। ଏହି ସମୟ ମଧ୍ୟରେ ମାତ୍ର ୫୭୯କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏଥିମଧ୍ୟରେ ୪୦୮୪ଟି ପ୍ରକଳ୍ପ ଅନୁମୋଦନ ଲାଭ କରିଥିବା ବେଳେ ୨୧୮୧ଟି ପ୍ରକଳ୍ପ ଶେଷ ହୋଇଛି। ୮୩୭ ପ୍ରକଳ୍ପର କାମ ଚାଲିଥିବା ବେଳେ ୧୦୬୬ଟି ପ୍ରକଳ୍ପ ଅଦ୍ୟାବଧି ଆରମ୍ଭ ହୋଇନାହିଁ। ତେବେ ଏଥି ମଧ୍ୟରେ ୧୬୮୭କୋଟି ୫୭ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଥିବା ବେଳେ ୭୩୩ କୋଟି ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାରେ ବ୍ୟାପକ ଭିତ୍ତିଭୂମି ଓ ପ୍ରାକୃତିକ ସମ୍ପଦ ଭରପୂର ଥିବା ସତ୍ତ୍ବେ ନଗଡ଼ା ଭଳି ଅନେକ ଅପହଞ୍ଚ ଅଞ୍ଚଳ ଏବେ ବି ରହିଛି। ଏପରିକି ହଜାର ହଜାର ପରିବାର ପାଖରେ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନାହିଁ କି ସବୁଦିନିଆ ରାସ୍ତାଟିଏ ନାହିଁ। ହଜାର ହଜାର ଆଦିବାସୀ ପରିବାର ଏବେ ବି ସରକାରୀ ଜାଗାରେ କୁଡିଆ କରି ରହୁଛନ୍ତି। ସେମାନଙ୍କୁ ଘର ଯୋଗାଯାଇ ପାରିନାହିଁ। ଅନେକ ପାହାଡ଼ିଆ ଅଞ୍ଚଳର ଲୋକ ଚୁଆ ପାଣି ଉପରେ ଏବେ ବି ନିର୍ଭର କରୁଛନ୍ତି। ବିଭିନ୍ନ ଯୋଜନାର ଅନୁଦାନ ଓ ପାଣ୍ଠିର ସଦ୍‌ବିନିଯୋଗରେ ସମନ୍ବୟର ଅଭାବ ଯୋଗୁଁ ଜିଲ୍ଲାର ପ୍ରଗତି ବାଟବଣା ହୋଇଛି। ଏଥି ପ୍ରତି ଶାସକ, ପ୍ରଶାସକ ଓ ବୁଦ୍ଧିଜୀବୀଙ୍କ ମିଳିତ ସହଯୋଗରେ ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାରେ ଡିଏମ୍‌ଏଫ ପାଣ୍ଠିର ଅନେକ ଭୂମିକା ରହିଛି। ସେଥି ପ୍ରତି ଜିଲ୍ଲାପାଳ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର