‘ତଥ୍ୟ ନାହିଁ’ କହିଦେଲେ ଝାମେଲା ଶେଷ, ଡିଏମ୍ଏଫ୍ ପାଣ୍ଠି ବିନର୍ବ୍ୟୟ ପ୍ରସଙ୍ଗରେ କେନ୍ଦ୍ରର ତାଗିଦ୍ ନା ସାବାସି?

ଭୁବନେଶ୍ବର : ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନର ଧାରା ୯(ବି) ଅନୁଯାୟୀ ଜିଲ୍ଲା ଖଣିଜ ଫାଉଣ୍ଡେସନ୍ (ଡିଏମ୍‌ଏଫ୍‌) ପାଣ୍ଠିର ୬୦% କେବଳ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ତଥା ସେଠାରେ ବାସ କରୁଥିବା ଲୋକଙ୍କ ପ୍ରତ୍ୟକ୍ଷ ମଙ୍ଗଳ ପାଇଁ ବିନିଯୋଗ ହେବାର ସ୍ପଷ୍ଟ ଅଛି; ଯାହାକୁ ଏହି ନିୟମରେ ଅଗ୍ରାଧିକାର କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି। ଅବଶିଷ୍ଟ ୪୦% ପାଣ୍ଠି ସେମାନଙ୍କ ପରୋକ୍ଷ ମଙ୍ଗଳ ବାବଦରେ ଉଦ୍ଦିଷ୍ଟ। ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉପରୋକ୍ତ ସୂଚନା ଦେବାସହ ସ୍ବୀକାର କରିଥିଲେ ଯେ ଡିଏମ୍‌ଏଫ୍‌ ପାଣ୍ଠିକୁ କୌଣସି ସରକାରୀ ବିଭାଗ କିମ୍ବା ସଂସ୍ଥାକୁ ସ୍ଥାନାନ୍ତର ହୋଇପାରିବ ନାହିଁ କି ସେହି ପାଣ୍ଠିରୁ ସରକାର କିମ୍ବା କୌଣସି ସରକାରୀ ବିଭାଗ ବ୍ୟୟ ମଞ୍ଜୁରୀ ଦେଇପାରିବେ ନାହିଁ।

ନିକଟରେ ପ୍ରଥମଥର ମନ୍ତ୍ରୀ ପଦ ପାଇ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଦାୟିତ୍ବରେ ଥିବା ରାଜେନ୍ଦ୍ର ଢୋଲକିଆ ଆଇନରେ ଥିବା ଏହି ବ୍ୟବସ୍ଥାଗତ କଟକଣାକୁ ସ୍ବୀକାର କରିଛନ୍ତି। ମାତ୍ର, କେଉଁ ପରିସ୍ଥିତିରେ କେନ୍ଦ୍ର ସରକାର ଓଡ଼ିଶା ସମେତ ଦେଶର ଖଣିଜ ରାଜ୍ୟଗୁଡ଼ିକୁ ୨୦୨୧ ଜୁଲାଇ ୧୨ରେ ଚିଠି ଲେଖି ଆଇନର ଉପରୋକ୍ତ ଧାରାକୁ ସ୍ମରଣ କରାଇବା ସହ ତାଗିଦ୍ କରିବାକୁ ଚାହିଁଲେ, ସେ ସମ୍ପର୍କରେ ମନ୍ତ୍ରୀ ଅସଲ ତଥ୍ୟ ଉନ୍ମୋଚନ କରିନାହାନ୍ତି। ମନ୍ତ୍ରୀ ଯଦି କେନ୍ଦ୍ର ସରକାରଙ୍କ ଉପରୋକ୍ତ ଚିଠିକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିଥା’ନ୍ତେ, ତେବେ ଆଇନ ଉଲ୍ଲଂଘନ ଅଭିଯୋଗରୁ ସରକାରଙ୍କୁ ବର୍ତ୍ତାଇବା ସକାଶେ ସେ ବିଭିନ୍ନ ବିକଳ୍ପ ଖୋଜିବାରେ ଅସୁବିଧା ନଥିଲା। ବିଭାଗୀୟ ମନ୍ତ୍ରୀ ସରକାରଙ୍କୁ ସୁରକ୍ଷା ଦେବାପାଇଁ ଉଲ୍ଲେଖ କରିପାରିଥାନ୍ତେ ଯେ କେବଳ ଓଡ଼ିଶା ନୁହେଁ, ଅନ୍ୟ କେତେକ ଖଣିଜ ରାଜ୍ୟରେ ମଧ୍ୟ ଡିଏମ୍‌ଏଫ୍‌ ପାଣ୍ଠିର ବିନର୍ବ୍ୟୟ ହୋଇଛି। ଡିଏମ୍‌ଏଫ୍‌ ପାଣ୍ଠିକୁ ଜରୁରୀ କ୍ଷେତ୍ରରେ ବିନିଯୋଗ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ସାମୟିକ କୋହଳ ନୀତିର ଅବତାରଣା କରିପାରି ଥାଆନ୍ତେ। ପୁନଶ୍ଚ; ଜରୁରୀ ପରିସ୍ଥିତିରେ ଡିଏମ୍‌ଏଫ୍‌ ପାଣ୍ଠିରୁ ଅର୍ଥ ବ୍ୟୟ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ସାମୟିକ ରିହାତି ଘୋଷଣା କରିଥିଲେ, ତାହାକୁ ଆଧାର କରି ମନ୍ତ୍ରୀ ମଧ୍ୟ ସଫେଇ ଦେଇପାରିଥା’ନ୍ତେ। ମାତ୍ର ନିଜେ ଏ ପ୍ରସଙ୍ଗରେ ଅନୁଧ୍ୟାନ କରିନଥିବାରୁ ଅଫିସର ଲେଖିଥିବା ‘ କେନ୍ଦ୍ର ସରକାର ଗତ ବର୍ଷ ତାଗିଦ୍ କରିଥିବା ବିଷୟରେ କୌଣସି ତଥ୍ୟ ଉପଲବ୍ଧ ନାହିଁ’ କହି ସେ ଝାମେଲା ମୁକ୍ତ ହେବାକୁ ସହଜ ମଣିଥିଲେ।

ସ୍ମରଣଯୋଗ୍ୟ, ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ୨୦ କୋଟି ଟଙ୍କା ପ୍ରଦାନଠାରୁ ଆରମ୍ଭ କରି ବିଭିନ୍ନ ସହରାଞ୍ଚଳରେ ମେଗା ପାଇପ୍ ଜଳ ପ୍ରକଳ୍ପ, ରାସ୍ତା ମରାମତି, ରାଉରକେଲା ହକି ଷ୍ଟାଡ଼ିୟମ ଓ କଳିଙ୍ଗ ଷ୍ଟାଡ଼ିୟମର ବିକାଶ, ରାଉରକେଲା ପୁଲିସ୍ ପାଇଁ ୨୨ଟି ଇନୋଭା କାର କି‌ଣା ସମେତ କରୋନା ମୁକାବିଲା ଆଳରେ ଏହି ପାଣ୍ଠିରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ବିପୁଳ ଦାନ ଏବଂ ସହରାଞ୍ଚଳରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକର ଭିତ୍ତିଭୂମି ଓ ଚିକିତ୍ସା ବିଲ୍ ଭରଣା ବାବଦରେ ବ୍ୟାପକ ଅର୍ଥ ପୈଠ ଆଦି ଆଇନ ବହିର୍ଭୂତ ବ୍ୟୟ ବିରୋଧରେ ଖଣି ଅଞ୍ଚଳରେ ଘୋର ଅସନ୍ତୋଷ ସୃଷ୍ଟି ହେବାପରେ ଦେଶର ପ୍ରମୁଖ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ସ୍ବର ଉତ୍ତୋଳନ କରିଥିଲେ। ଓଡ଼ିଶା ସମେତ ମଧ୍ୟ ପ୍ରଦେଶ ଓ ଗୋଆରେ ଡିଏମ୍‌ଏଫ୍‌ ପାଣ୍ଠିର ବିପୁଳ ବିନର୍ବ୍ୟୟ ସଂକ୍ରାନ୍ତ ଅଭିଯୋଗ ପାଇବା ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୧୨ରେ ଉପରୋକ୍ତ ଚିଠି ଲେଖି ଏଭଳି ଆଇନ ବହିର୍ଭୂତ କାର୍ଯ୍ୟକଳାପରୁ ରାଜ୍ୟଗୁଡ଼ିକ ନିବୃତ୍ତ ନହେଲେ କେନ୍ଦ୍ର ହସ୍ତକ୍ଷେପ କରିବ ବୋଲି ତାଗିଦ୍ କରିଥିଲେ। କେବଳ ସେତିକି ନୁହେଁ, ଏଣିକି ରାଜ୍ୟ ସରକାର ଡିଏମ୍‌ଏଫ୍‌ ପାଣ୍ଠିରୁ ଟଙ୍କାଟିଏ ବି ଖର୍ଚ୍ଚ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର ଖଣିଜ ରାଜ୍ୟମାନଙ୍କୁ ସ୍ପଷ୍ଟ ଶବ୍ଦରେ ଜଣାଇ ଦେଇଥିଲେ। ସେହି ଆଧାରରେ ରାଜ୍ୟ ଉନ୍ନୟନ କମିସନର୍ ପି.କେ. ଜେନା ମଧ୍ୟ ୨୦୨୧ ସେପ୍ଟେମ୍ବରରେ ସବୁ ବିଭାଗ ଓ ଖଣିଜ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସର୍କୁଲାର ଜାରି କରି ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କ୍ଷେତ୍ରରେ ଆଇନ ଉଲ୍ଲଂଘନ ନକରିବାକୁ ସତର୍କ କରାଇଥିଲେ। ମୋଟାମୋଟି ଭାବେ କେନ୍ଦ୍ର ସରକାର ଉପରୋକ୍ତ ଚିଠିରେ ଓଡ଼ିଶା ସମେତ ସବୁ ଖଣିଜ ରାଜ୍ୟଙ୍କୁ ତାଗିଦ୍ କରିଥିଲେ କି ସାବାସି ଦେଇଥିଲେ- ମନ୍ତ୍ରୀ ନିଜେ ତାହାକୁ ତର୍ଜମା କରିବା ଜରୁରୀ ନୁହେଁ କି?

ସମ୍ବନ୍ଧିତ ଖବର