କରୋନା ପାଇଁ ଡିଏମ୍‌ଏଫ ଏବଂ ଓମ୍‌ବାଡସି ଅର୍ଥ ଖର୍ଚ୍ଚ ପ୍ରସଙ୍ଗ : ଆମ ଟଙ୍କା ଖର୍ଚ୍ଚ ହେବ, ଆମେ ଜାଣିବୁନି?

ଚିଠି ଲେଖି ଜବାବ ମାଗିଲେ କେନ୍ଦୁଝର ନାଗରିକ ସମାଜ, ଅର୍ଥ ଖର୍ଚ୍ଚ ବେଳେ ସ୍ବଚ୍ଛତା ରହିବା ଜରୁରୀ ବୋଲି ସତର୍କ କଲେ

କେନ୍ଦୁଝର : ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ (ଡିଏମ୍‌ଏଫ୍‌) ଏବଂ ଓମ୍‌ବାଡସି ପାଣ୍ଠି କେବଳ ଖଣି ପ୍ରଭାବିତ ଜିଲ୍ଲାରେ ଖର୍ଚ୍ଚ କରାଯାଇପାରିବ। ମାତ୍ର କରୋନା ବିପତ୍ତି ସମୟରେ ଏହି ପାଣ୍ଠିରୁ ୩୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ହେଲେ ଏଥିରେ ସ୍ବଚ୍ଛତା ରହିବା ଉଚିତ ନା ନାହିଁ ବୋଲି ବୋଲି ରାଜ୍ୟ ସରକାରଙ୍କୁ ଆଜି ଚିଠି ଲେଖିଛି କେନ୍ଦୁଝର ନାଗରିକ ସମାଜ।

ସଂଗଠନ ସଭାପତି କିରଣ ଶଙ୍କର ସାହୁ ଏ ସଂପର୍କରେ ରାଜ୍ୟ ଅର୍ଥ ସଚିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଯାଜପୁର ଭଳି ୮ଟି ଖଣି ଖାଦାନ ଜିଲ୍ଲାର ଡିଏମ୍‌ଏଫ୍‌ ପାଣ୍ଠିରେ ଅଦ୍ୟାବଧି ମୋଟ ୭୦୦୦ କୋଟି ଟଙ୍କା ଗଚ୍ଛିତ ରହିଛି। ଏଥିମଧ୍ୟରୁ କେନ୍ଦୁଝର ଜିଲ୍ଲାର ଡିଏମ୍‌ଏଫ୍‌ ପାଣ୍ଠିରେ ଗତ ଜାନୁଆରୀ ୩୧ ତାରିଖ ସୁଦ୍ଧା ଜମା ହୋଇଥିବା ଅର୍ଥ ରାଶି ହେଉଛି ୪୧୯୩ କୋଟି। ତେବେ ଏହି ୭ ହଜାର କୋଟି ଟଙ୍କାରୁ ୩୦ ପ୍ରତିଶତ ଟଙ୍କା ଯଦି ‌କରୋନା ପାଇଁ ଯଦି ଖର୍ଚ୍ଚ କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମଗାଯାଇଛି, ତେବେ ଏହାର ପରିମାଣ ହେବ ୨୧ଶହ କୋଟି ଟଙ୍କା। ସେଥିମଧ୍ୟରୁ କେନ୍ଦୁଝର ଜିଲ୍ଲାର ଅଂଶୀଦାର ସର୍ବାଧିକ ରହିବ। ଅର୍ଥାତ ପାଖାପାଖି ୧୨ଶହ କୋଟିରୁ ଅଧିକ।

ଯଦି ଏତେ ପରିମାଣର ଅର୍ଥ ରାଶି ଖର୍ଚ୍ଚ ହେବ,ତେବେ ଏହି ଅର୍ଥ ଖର୍ଚ୍ଚ ପରେ ପୁଣି ସରକାର ଫେରାଇବେ ନା ନାହିଁ, କିମ୍ବା ଏହାକୁ ଋଣ ଆକାରରେ ନେବେ କି ନା ତାହା କେନ୍ଦୁଝର ଜନସାଧାରଣ ଜାଣିବା ଉଚିତ ବୋଲି ନାଗରିକ ସମାଜ ଦାବି କରିଛି। ଦ୍ବିତୀୟତଃ ଡିଏମ୍‌ଏଫ ଟ୍ରଷ୍ଟର ସଦସ୍ୟମାନଙ୍କର ଏହି ଅର୍ଥ ଖର୍ଚ୍ଚ ପାଇଁ ସହମତି ଅଛି କି ନାହିଁ ତାହା ମଧ୍ୟ କେନ୍ଦୁଝରବାସୀ ଜାଣିବା ଉଚିତ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି।

ଅପରପକ୍ଷରେ, ଓମ୍‌ବାଡସି ନେଇ ମଧ୍ୟ ସମାନ ମତ ପୋଷଣ କରିଛି ନାଗରିକ ସମାଜ। ଚିଠିରେ ଦର୍ଶାଯାଇଛି ଯେ, ୨୦୧୯ ମସିହା ନଭେମ୍ବର ୨୮ ତାରିଖ ସୁଦ୍ଧା ଖଣି ଭିତ୍ତିକ ୮ ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଏହି ପାଣ୍ଠି‌ରେ ୧୩୯୩୩ କୋଟି ଟଙ୍କ ଗଚ୍ଛିତ ରହିଥିଲା। ତେବେ ଏହି ସମୁଦାୟ ଅର୍ଥ ରାଶିରୁ କେନ୍ଦୁଝରର ଭାଗ ପ୍ରାୟତଃ ୭୬% ବା ୧୦୬୬୦ କୋଟି। ଏହା ପରବର୍ତ୍ତୀ ସମୟରେ ଅର୍ଥାତ ଗତ ଜାନୁଆରୀ ୩୧ ତାରିଖ ସୁଦ୍ଧା ଏହା ବଢ଼ିବା ପରେ ୧୫୩୨୬ କୋଟିରେ ପହଞ୍ଚିଥିଲା। ତେବେ ୨୦୧୭ ମସିହା ଅଗଷ୍ଟ ୨ ତାରିଖରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ବିଭିନ୍ନ ଖଣି ଲିଜ୍‌ଧାରୀଙ୍କ ଠାରୁ ଆଦାୟ ହୋଇଥିବା ଏହି ଅର୍ଥ ଯଦି ରାଜ୍ୟ ସରକାର ନେଇ ଖର୍ଚ୍ଚ କରିବେ, ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଅନୁମତି ରାଜ୍ୟ ସରକାର ପାଇଛନ୍ତି କି ନା ତାହା ମଧ୍ୟ କେନ୍ଦୁଝରବାସୀ ଜାଣିବାକୁ ଚାହୁଁଛନ୍ତି ।

ଅପରପକ୍ଷେ , ୨୦୧୨ ମସିହାରେ ଓଡ଼ିଶା ସରକାରଙ୍କ ଖଣି ବିଭାଗ ବେଆଇନ୍‌ ଉତ୍ତୋଳନ ପାଇଁ କେନ୍ଦୁଝର ଓ ସୁନ୍ଦରଗଡ଼ର ଖଣି ଲିଜ୍‌ଧାରୀଙ୍କଠାରୁ ପ୍ରାୟ ୬୦ ହଜାର ଟଙ୍କା କୋଟି ଟଙ୍କା ଆଦାୟ ପାଇଁ ନୋଟିସ୍‌ ଦେଇଥିଲା। ଯଦି ଏହି ଅର୍ଥ ଆଦାୟ ହୋଇଥା’ନ୍ତା, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ଠାରୁ କୋଭିଡ-୧୯ ମୁକାବିଲା ପାଇଁ ଅର୍ଥ ନେବାକୁ ପଡ଼ିନଥାନ୍ତା ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଏ ସଂପର୍କରେ ଶ୍ରୀ ସାହୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, କରୋନା ବିପତ୍ତି ବେଳେ ସରକାର ଡିଏମ୍‌ଏଫ କିମ୍ବା ଓମ୍‌ବାଡସି ପାଣ୍ଠିରୁ ଅର୍ଥ ଖର୍ଚ୍ଚ କଲେ କୌଣସି ଆପତ୍ତି ନାହିଁ। ମାତ୍ର ଏହି ଅର୍ଥ ଖର୍ଚ୍ଚରେ ସ୍ବଚ୍ଛତା ରହିବା ଦରକାର। ଏହା ନିର୍ଦ୍ଦିଷ୍ଟ ନିୟମରେ ହେବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର