ରାଉରକେଲା: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ମାନ୍ୟତା ପାଇଛି ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)। ନିକଟରେ ସରକାର ଆର୍ଜିଏଚ୍କୁ ୪୦୦ ବେଡ୍ ହସ୍ପିଟାଲ ଘୋଷଣା କରାଯାଇଛି। ପିପି ମୋଡରେ ସିଟି ସ୍କାନ୍, ଡାଏଲେସିସ୍ ସୁବିଧା କରାଯାଇଛି। ମାତ୍ର ଆବଶ୍ୟକ ସଂଖ୍ୟକ ବେଡ୍ ଅଭାବରୁ ରୋଗୀମାନଙ୍କୁ ଦୈନନ୍ଦିନ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଆର୍ଜିଏଚ୍ରେ ପ୍ରଶାସନିକ ଅଧିକାରୀ,ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ଏମିତି ମୋଟ ୨୯୧ ପଦବୀର ଆବଶ୍ୟକତା ରହିଛି। ଅଛନ୍ତି ୨୧୧ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ। ମୋଟ ୮୦ ବିଭିନ୍ନ ପଦ ପଦବୀ ଖାଲି ପଡିଛି। ଏଭଳି ସ୍ଥିତିରେ ଆର୍ଜିଏଚ୍କୁ ଭରସା ହେଉଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠି। ଡିଏମ୍ଏଫ୍ରୁ ବିଭିନ୍ନ ବିଭାଗରେ ୧୬ ଜଣ ଡାକ୍ତର ଓ ୭୬ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ହୋଇଛନ୍ତି।
ସମସ୍ତଙ୍କୁ ଡିଏମ୍ଏଫ୍ ପାଣ୍ଠିରୁ ମାସିକ ଦରମା ପ୍ରଦାନ କରାଯାଉଛି। ନିଯୁକ୍ତ ପାଇଥିବା କର୍ମଚାରୀଙ୍କ ମଧ୍ୟରେ ରହିଛନ୍ତି ୨ ଜଣ ହିସାବରକ୍ଷକ (ଆକାଉଣ୍ଟାଣ୍ଟ), ୭ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ), ୧୦ ଲାବ୍ ଟେକ୍ନିସିଆନ୍, ଜଣେ ରେଡିଓଗ୍ରାଫ୍ର, ୧୩ ଫାର୍ମାସିଷ୍ଟ, ୪୦ ଷ୍ଟାଫ୍ ନର୍ସ, ୨ ଜଣ ଓଟି ଟେକ୍ନିସିଆନ୍, ଜଣେ ଏଏନ୍ଏମ୍। ଏମାନଙ୍କୁ ନିଯୁକ୍ତି ଦେବା ପରେ ଆର୍ଜିଏଚ୍ରେ ସ୍ବାସ୍ଥ୍ୟ ସେବାରେ ଲାଗି ରହିଥିବା ସମସ୍ୟା କିଛିଟା ଦୂର ହୋଇଛି। ସେମିତି କନ୍ସଲ୍ଟାଣ୍ଟ (ସର୍ଜନ ) ୪ଜଣ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ଜଣେ। ଖାଲି ପଡିଛି ୩ ପଦବୀ। କନ୍ସଲ୍ଟାଣ୍ଟ (ଆନେସ୍ଥେସିଆ ) ୫ରୁ ୩ ପଦବୀ ଖାଲି ପଡିଛି। କନ୍ସଲଟାଣ୍ଟ (ସ୍କିନ୍ ଆଣ୍ଡ ଭିଡି), ଟିବି ଆଣ୍ଡ ସିଡି, ଇନଏ୍ଟି, କାର୍ଡିଓଲୋଜି, ସାଇକାର୍ଟିକ୍ ଆଦି ପଦବୀ ଖାଲି ପଡିଛି। ସିନିୟର ଏମ୍ଓ (ଜିଡିଏମ୍ଓ), ସିନିୟର କନ୍ସଲଟାଣ୍ଟ (ମେଡ଼ିସିନ୍), କନ୍ସଲ୍ଟାଣ୍ଟ (ମେଡିସିନ୍), ଉପ ଅଧୀକ୍ଷକ, ୧୦ ଆଟେଣ୍ଡାଣ୍ଟରୁ ୮ ଓ ଧୋବି ଆଦି ପଦବୀ ବର୍ଷ ବର୍ଷ ଧରି ଖାଲି ପଡିଛି।
ଖାଲି ପଡିଥିବା ପଦବୀ ପୂରଣ ଦିଗରେ ହସ୍ପିଟାଲ କର୍ତ୍ତୃପକ୍ଷ ବାରମ୍ବାର ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲେଖୁଥିଲେ ହେଁ କିଛି ସୁଫଳ ମିଳୁନି। ସେମିତି ଜିଲ୍ଲା କଂଗ୍ରସ ଓ ବିଜେପି ହସ୍ପିଟାଲର ପ୍ରମୁଖ ସମସ୍ୟାକୁ ନେଇ ଅନେକବାର ଆନ୍ଦୋଳନ ଓ ଧାରଣା ଦେଇଛନ୍ତି। କିନ୍ତୁ ଦୁଇ ଦଳର ଆନ୍ଦୋଳନର ପ୍ରଭାବ ସରକାରଙ୍କ ଉପରେ ପକାଇପାରିନି। ସେପଟେ ଘୋଷଣା ଅନୁଯାୟୀ ଯଦି ସରକାର ୪୦୦ ବେଡ୍ ହସ୍ପିଟାଲକୁ ସେତିକି ସୁବିଧା ସୁଯୋଗ ପ୍ରଦାନ ନ କରନ୍ତି, ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ପୂର୍ବପରି ସେହି ସମାନ ଦଶା ଭୋଗିବାକୁ ପଡିବ, ଏଥିରେ ଦ୍ବିମତ ନାହିଁ। ଉଲ୍ଲେଖଯୋଗ୍ୟ, ପଡୋଶୀ ଝାଡଖଣ୍ଡ, ରାଉରକେଲା ଓ ସୁନ୍ଦରଗଡର ଅଧିକାଂଶ ବ୍ଲକ ରୋଗୀଙ୍କ ଏକମାତ୍ର ଭରସା ଆର୍ଜିଏଚ୍ର ଲାଗି ରହିଥିବା ବେଡ୍ ସଂଖ୍ୟା ବୃଦ୍ଧି ସମସ୍ୟା ଦୂର କରିବାକୁ କାହାରି ପକ୍ଷରୁ ସେତେଟା ତତ୍ପରତା ଦେଖାଯାଉ ନାହିଁ।
ହସ୍ପିଟାଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି କାମ ସାରି ଦେଉଛନ୍ତି। ଶାସକ ଦଳ ମଧ୍ୟ ଚୁପ୍ ରହୁଛି। ୨୦୧୯ ଅକ୍ଟୋବର ୨୮ରେ ଆର୍ଜିଏଚ୍କୁ ୪୦୦ ଶଯ୍ୟା ଡାକ୍ତରଖାନା କରାଗଲା ବୋଲି ଘୋଷଣା କଲେ। ଏ ସମ୍ପର୍କିତ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆର୍ଜିଏଚ୍ ନିର୍ଦ୍ଦେଶକଙ୍କ ପାଖକୁ ଆସିଲା। କିନ୍ତୁ କିଛି ହେଲାନି। ଆଜି ଯାଏଁ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଣିଚାଏ ପଦକ୍ଷେପ ନିଆଗଲା ନାହିଁ। ଫଳରେ ଡାକ୍ତରଖାନାର ୪୦୦ ଶଯ୍ୟାର ସୁବିଧା ସୁଯୋଗ କେବଳ ଚିଠିରେ ହିଁରେ ସୀମିତ ରହିଯାଇଛି। ଆଶ୍ଚର୍ଯ୍ୟ କଥା, ସିଏମ୍ଓ ଅଫିସ୍ରୁ ଯେଉଁ ଚିଠି ଆସିଛି, ସେଥିରେ ଚିଠିର ଇସ୍ୟୁ ନମ୍ବର ନାହିଁ କି, କୌଣସି ଅଧିକାରୀଙ୍କ ଦସ୍ତଖତ ନାହିଁ। ଏଥିରୁ ସ୍ବାସ୍ଥ୍ୟ ବିଭାଗ କେମିତି ଚାଲିଛି, ଆର୍ଜିଏଚ୍କୁ ମିଳିଥିବା ଚିଠି ଏହାର ଜ୍ବଳନ୍ତ ଉଦାହରଣ। ସବଠୁ ଆଶ୍ଚର୍ଯ୍ୟ କଥା, ସରକାରଙ୍କ ପାଣ୍ଠି ଅଭାବରୁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)କୁ ବିନିଯୋଗ ହେଉଛି। ଡାକ୍ତର, ଆମ୍ବୁଲାନ୍ସ ସେବା, ନର୍ସ ଏମିତି କି ମୋ ସରକାର ପାଣ୍ଠି ମଧ୍ୟ ଡିଏମ୍ଏଫ୍ରୁ ଆସୁଛି। ଯେଉଁ ଦିନ ଡିଏମ୍ଏଫ୍ ବନ୍ଦ ହୋଇଯିବ, ସେହି ଦିନ ଆର୍ଜିଏଚ୍ରୁ ଅଧା ସୁବିଧାସୁଯୋଗ ଯେ ନ ହଟିଯିବ ତାହା କହିବା ମୁସ୍କିଲ।