ଫିଟୁଛି ‘ଡିଏମ୍‌ଏଫ୍‌’ ପାଣ୍ଠି ଗୁମର

ଦେଇଥିଲେ ୫ କୋଟି, ନେଇଗଲେ ୩.୭୭ କୋଟି?

ଅନୁଗୁଳ : ଅନୁଗୁଳ ଜିଲ୍ଲାର ସବୁଠୁ ବଡ଼ ପାଣ୍ଠି ‘ଡିଏମ୍‌ଏଫ୍‌’ ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ଗଲା ତିନି ବର୍ଷ ଭିତରେ ଏ ପାଣ୍ଠିରୁ ଜିଲ୍ଲା ପ୍ରଶାସନ ୫ ପ୍ରତିଶତରୁ କମ୍‌ ଅର୍ଥ ଖର୍ଚ୍ଚ କରି ନିଜ ଅପାରଗତାକୁ ପଦାରେ ପକାଇ ଥିବା ବେଳେ ଏବେ ଏହି ପାଣ୍ଠିରୁ ହୋଇଥିବା ଅର୍ଥ କାରବାରକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଡିଏମ୍‌ଏଫ୍‌ ପାଣ୍ଠିର ମୁଖିଆ ତଥା ଜିଲ୍ଲାପାଳ ଅନିଲ କୁମାର ସାମଲ ସର୍ବଶିକ୍ଷା ଅଭିଯାନକୁ ଏହି ପାଣ୍ଠିରୁ ୫କୋଟି ଟଙ୍କା ଦେଇ ପୁଣି ଚାରି ମାସ ପରେ ସେଥିରୁ ୭୫ପ୍ରତିଶତରୁ ଅଧିକ ଅର୍ଥ ଫେରାଇ ଆଣିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏମିତିରେ କେଉଁ ଉଦ୍ଦେଶ୍ୟରେ ସ୍କୁଲ୍‌ ପରିଚାଳନା କମିଟି(ଏସ୍‌ଏମ୍‌ସି)କୁ ଅନ୍ଧାରରେ ରଖାଯାଇ ଅତିରିକ୍ତ ସ୍କୁଲ୍‌ ଘର ନିର୍ମାଣ ପାଇଁ ୧ କୋଟି ୨୩ଲକ୍ଷ ଟଙ୍କା ଡିପାର୍ଟମେଣ୍ଟାଲ୍‌(ବିଭାଗୀୟ) କରାଗଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏବେ ଟଙ୍କା ଦେଣେନେଣେ ପ୍ରକ୍ରିୟା ପୂରା ଘଟଣାକୁ ସନ୍ଦେହ ଘେରକୁ ଟାଣି ଆଣିଛି।

ଉଲ୍ଲେଖଯୋଗ୍ୟ, ଅନୁଗୁଳ ଜିଲ୍ଲାର ଖଣି ପ୍ରଭାବିତ ତାଳଚେର, ଛେଣ୍ଡିପଦା ଓ କଣିହାଁ ବ୍ଲକ୍‌ରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଡିଏମ୍‌ଏଫ୍‌ରୁ ୧୭କୋଟିର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ଏହି କ୍ରମରେ ଡିପିସି ଓ ବରିଷ୍ଠ ବୈଷୟିକ ପରାମର୍ଶଦାତାଙ୍କ ସୁପାରିସ କ୍ରମେ ଜିଲ୍ଲାପାଳ ଶ୍ରୀ ସାମଲ ପ୍ରଥମ ପର୍ଯ୍ୟାୟରେ ମେ’୨୫ (ଚିଠି ନମ୍ବର-୧୯୭) ରେ ସର୍ବଶିକ୍ଷା ଅଭିଯାନକୁ ୫କୋଟି ଟଙ୍କା ପ୍ରଦାନ କରିଥିଲେ। ଏଥିରେ ଉପରୋକ୍ତ ତିନୋଟି ବ୍ଲକ୍‌ରେ ୧୫୪ଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଯୋଜନା ହୋଇଥିଲା। କାମ ଡିପାର୍ଟମେଣ୍ଟାଲ୍‌ କରାଯିବା ପାଇଁ ବି ଜିଲ୍ଲାପାଳ ଅନୁମୋଦନ କରିଥିଲେ। କିନ୍ତୁ ପରବର୍ତୀ ସମୟରେ ଜିଲ୍ଲାପାଳ ସେପ୍ଟେମ୍ବର ୨୬ତାରିଖରେ ୫କୋଟିରୁ ୩କୋଟି ୭୭ଲକ୍ଷ ଟଙ୍କା ଫେରାଇବାକୁ ଡିପିସିଙ୍କୁ ଆଉ ଏକ ଚିଠି(ନମ୍ବର ୩୫୩) ଲେଖିଲେ। ଚିଠିରେ ଦର୍ଶାଇଥିଲେ, ଏ ଟଙ୍କା ଅନୁଗୁଳ ଏସ୍‌ବିଆଇ ମୁଖ୍ୟ ଶାଖାରେ ଥିବା ଡିଏମ୍‌ଏଫ୍‌ ଆକାଉଣ୍ଟ୍‌କୁ ଫେରଇ ଦିଆଯାଉ। ବଳକା ୧କୋଟି ୨୩ଲକ୍ଷ ଟଙ୍କାରେ ୨୦ଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଉ। ପ୍ରତ୍ୟେକ ଶ୍ରେଣୀଗୃହ ୬ଲକ୍ଷ ୧୫ହଜାର ଟଙ୍କା ବ୍ୟୟରେ ହେବ ବୋଲି ଚିଠିରେ ଦର୍ଶାଯାଇଛି। କିନ୍ତୁ କେଉଁ କାରଣରୁ ଜିଲ୍ଲାପାଳ ଟଙ୍କା ଫେରସ୍ତ କରିବାକୁ କହିିଲେ, ତାହା ଚିଠିରେ ଉଲ୍ଲେଖ କରାଯାଇନାହିଁ।

ଏପରିସ୍ଥଳେ ପ୍ରଶ୍ନ ଉଠୁଛି, ଜିଲ୍ଲାପାଳ ଖୋଦ୍‌ ୫କୋଟି ଟଙ୍କା ଅନୁଦାନ ଦେବା ପରେ ପୁଣି କେଉଁ କାରଣରୁ ଚାରି ମାସ ପରେ ଟଙ୍କା ଫେରସ୍ତ କରିବାକୁ ଚିଠି ଲେଖିଲେ? ଯଦି ଚିଠି ଲେଖିଲେ, ତା’ହେଲେ ୫କୋଟି ଜାଗାରେ ୩ କୋଟି ୭୭ଲକ୍ଷ ଟଙ୍କା ଫେରସ୍ତ କରିବାକୁ କାହିଁକି କହିଲେ? ଅନ୍ୟପଟେ ଏ ପ୍ରକାର ଟଙ୍କା ଦେବା ଓ ଫେରସ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

ସେପଟେ ଏ ସଂପର୍କରେ ଡିପିସି କିମ୍ବା ବରିଷ୍ଠ ବୈଷୟିକ ପରାମର୍ଶଦାତା ମୁହଁ ଖୋଲୁନଥିବା ବେଳେ ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି, କେତେ ଟଙ୍କା ଫେରସ୍ତ ହୋଇଛି ମନେ ନାହିଁ। ଫାଇଲ୍‌ ଦେଖିଲେ କହିବି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର