ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚ: ଶାସକ ଓ ବିରୋଧୀ କ୍ଷୁବ୍ଧ

ମନ୍ତ୍ରୀ କହିଲେ ନିୟମିତ ବସୁଛି ଟ୍ରଷ୍ଟ ବୋର୍ଡ଼ ବୈଠକ, କିଛି ଅନିୟମିତତା ନାହିଁ

ଭୁବନେଶ୍ବର : ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି (ଡିଏମ୍‌ଏଫ୍‌) ଅର୍ଥ ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ହେଉଛି କିନ୍ତୁ ଜନପ୍ରତିନିଧିକୁ ଏଥିରେ ପଚରାଯାଉନାହିଁ। ଟ୍ରଷ୍ଟ୍‌ ବୋର୍ଡ଼ ବୈଠକ ନିୟମିତ ବସୁନାହିଁ। ୧୦ କୋଟିରୁ ଉର୍ଦ୍ଧ୍ବ ପ୍ରକଳ୍ପର ଟେଣ୍ଡର କେବଳ ବିଜେଡିର ଦଳୀୟ କର୍ମୀଙ୍କୁ ଦିଆଯାଉଛି। ଆଜି ପ୍ରଶ୍ନକାଳରେ ଏପରି ପ୍ରଶ୍ନ କରି ଉଭୟ ଶାସକ ଓ ବିରୋଧୀ ସଦସ୍ୟ ସରକାରଙ୍କୁ ଘରିଛନ୍ତି। ତେବେ ସଦସ୍ୟମାନଙ୍କ ଅଭିଯୋଗକୁ ଖଣ୍ଡନ କରି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, ଡିଏମ୍‌ଏଫ୍‌ ଅର୍ଥ ଖର୍ଚ୍ଚରେ କୌଣସି ଅନିୟମିତତା ଓ ଦଳୀୟ ଆଧାରରେ କରାଯାଉନି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଖଣି ପ୍ରଭାବିତ ଅଞ୍ଚଳରେ ଡିଏମ୍‌ଏଫ୍‌ ଅର୍ଥ ଖର୍ଚ୍ଚ ନେଇ ଟ୍ରଷ୍ଟ ବୋର୍ଡ଼ ବୈଠକ ନିୟମିତ ବସୁନଥିବା ନେଇ ଗତବର୍ଷ ବିଧାନସଭାରେ ପ୍ରଶ୍ନ କରିଥିଲେ। ଆଇନରେ ବ୍ୟବସ୍ଥା ଅଛି ଡିଏମ୍‌ଏଫ୍‌ ପାଣ୍ଠିରୁ ଯାହା ଖର୍ଚ୍ଚ ହେବ ତାର ବିବରଣୀ ବିଧାନସଭାରେ ସରକାର ଉପସ୍ଥାପନ କରିବେ। ଏହାସହିତ ୱେବ୍‌ସାଇଟରେ ବି ଉପଲବ୍ଧ କରାଯିବ। ୨୦୧୫ରୁ ଆଜି ଯାଏ ଗୋଟିଏ ବି ରିପୋର୍ଟ ଏ ଗୃହରେ ଉପସ୍ଥାପିତ ହୋଇନାହିଁ। ଆଇନ ମୁତାବକ ବର୍ଷକୁ ଦୁଇଥର ଟ୍ରଷ୍ଟ୍‌ ବୋର୍ଡ଼ ବୈଠକ ବସିବା କଥା। କିନ୍ତୁ ୨୦୧୮ ନଭେମ୍ବର ୧୫ ତାରିଖରୁ ୨୦୨୦ ମେ ୨ ତାରିଖ ଭିତରେ ଥରୁଟିଏ ବି ବୈଠକ ବସିନାହିଁ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ୨୦୧୬ରୁ ୨୦୨୦ ମଧ୍ୟରେ ଟ୍ରଷ୍ଟ୍‌ ବୋର୍ଡ଼ ବୈଠକ ୯ ଥର ବସିଛି। ୨୦୧୯ରେ ସାଧାରଣ ନିର୍ବାଚନ ଥିବାରୁ ବୈଠକ ବସିପାରିନଥିଲା। ଶେଷଥର ପାଇଁ ୨୦୨୦ ମେ ୨ ତାରିଖରେ ଟ୍ରଷ୍ଟ ବୋର୍ଡ଼ ବୈଠକ ଅନୁଷ୍ଠିତ ହୋଇଥିଲା। ନିଜେ ଶ୍ରୀ ମାଝୀ ଏହି ବୈଠକରେ ଯୋଗଦେଇଥିବା ମନ୍ତ୍ରୀ କହିଥିଲେ। ଶାସକ ଦଳ ସଦସ୍ୟ ବଦ୍ରି ନାରାୟଣ ପାତ୍ର କହିଥିଲେ, ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି ଖର୍ଚ୍ଚ ଅଥଚ ବିଧାୟକମାନଙ୍କ ସହ ପରାମର୍ଶ କରାଯାଉନାହିଁ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ଆଇନ ଅନୁଯାୟୀ ଖଣି ପ୍ରଭାବିତ ଅଞ୍ଚଳରେ କେବଳ ପଞ୍ଚାୟତ ପ୍ରତିନିଧିମାନେ ସଦସ୍ୟ ରହିବେ। ସବୁ ବିଧାୟକମାନେ ଏହି ବୋର୍ଡ଼ର ସଦସ୍ୟ ରହିପାରିବେ ନାହିଁ। ଯଦି ଅନ୍ୟରାଜ୍ୟରେ ଏହି ବ୍ୟବସ୍ଥା ଅଛି ତାହେଲେ ସରକାର ଏହାକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ।

ବିରୋଧୀ ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀ ଅଭିଯୋଗ କରି କହିଥିଲେ, ୧୦ କୋଟି ଟଙ୍କାର ପ୍ରକଳ୍ପକୁ ଦଳୀୟ ଆଧାରରେ ଟେଣ୍ଟର ଦିଆଯାଉଛି। ଏଥିରେ କେବଳ ବିଜେଡିର କର୍ମୀମାନଙ୍କୁ ଟେଣ୍ଡର ଦିଆଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ବିଜେଡି ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଖଣି ପ୍ରଭାବିତ ଅଞ୍ଚଳରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗରେ ମୌଳିକ ସୁବିଧା ଯୋଗାଇ ଦିଆଯାଇଥିବା ନେଇ ଗୃହରେ କହିଥିଲେ।

ସମ୍ବନ୍ଧିତ ଖବର