ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ରାଉରକେଲା, ସୁନ୍ଦରଗଡ଼, ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଥିଲେ ମଧ୍ୟ ଏହି ଡାକ୍ତରଖାନାର ବିକାଶକୁ ସମସ୍ତେ ‌ଯେମିତି ଭୁଲିଯାଇଛନ୍ତି। କେବଳ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଭରସାରେ ଚାଲିଛି ଏହି ଡାକ୍ତରଖାନା। ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍‌ନର୍ସ, ଲାବୋରେଟୋରି ଟେକ୍ନିସିଆନ୍‌, ଏଏନ୍‌ଏମ୍‌, ଡାଟା ଏଣ୍ଟ୍ରି ଅପରେଟର୍‌ ଏମତି ଅନେକ ପଦପଦବିରେ କାମ କରୁଥିବା କର୍ମଚାରୀ ଡିଏମ୍ଏଫ୍‌ ପାଣ୍ଠିରୁ ଦରମା ପାଉଛନ୍ତି। ଯେଉଁ ଦିନ ଡିଏମ୍‌ଏଫ୍‌ ପାଣ୍ଠି ବନ୍ଦ ହୋଇଯିବ, ସେହି ଦିନ ଆର୍‌ଜିଏଚ୍‌ର ଅଧିକାଂଶ ବିଭାଗର କାମ ଠପ୍‌ ହୋଇଯିବ। ଏଭଳି ସ୍ଥିତିରେ ଚାଲିଥିବା ଆର୍‌ଜିଏଚ୍ ସ୍ବାସ୍ଥ୍ୟସେବାକୁ ଗତ ସରକାର ଯେତିକି ଗୁରୁତ୍ବ ଦେବା କଥା ଦେଇ ନଥିଲା। ଆବଶ୍ୟକ ସୁବିଧା ସୁଯୋଗ ନ ଦେଇ କେବଳ କାଗଜକଲମରେ ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଘୋଷଣା କରି କାମ ସାରିଦେଇଥିଲା। ଏବେ ନୂଆ ସରକାର ଆସିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଆର୍‌ଜିଏଚ୍‌ ବୁଲିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ବିଡମ୍ବନା, ଏଯାଏଁ ଜଣେ ହେଲେ ଡାକ୍ତର କି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇନି। 

ଖତ ଖାଉଛି ସେଣ୍ଟ୍ରାଲ୍‌ ଲ୍ୟାବ୍‌ର ଯନ୍ତ୍ରାଂଶ
ସେବା ନ ପାଇ ଫେରୁଛନ୍ତି ରୋଗୀ

Advertisment

ଆର୍‌ଜିଏଚ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ଡିଏମ୍‌ଏଫ୍‌ ପାଣ୍ଠିରେ ୧୩ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ନିଶ୍ଚେତକ (ଆନାସ୍ଥେସିଆ)ରେ ୩ ଜଣ,‌ କାନ-ନାକ-ଗଳା ଜଣେ, ଦୁଇଜଣ ଶିଶୁ ରୋଗ, ସର୍ଜରିରେ ଜଣେ, ପ୍ରସୂତି ଓ ସ୍ତ୍ରୀରୋଗରେ ଜଣେ, ତିନିଜଣ ମେଡିକାଲ ଅଫିସ୍‌ର, ଜଣେ ଦନ୍ତ ଚିକିତ୍ସକ ଏବଂ ରାଉରକେଲା ରକ୍ତଭଣ୍ଡାରରେ ଜଣେ ଡାକ୍ତର ନିଯୁକ୍ତି ପାଇଛନ୍ତି। ନିଶ୍ଚେତକ ଡାକ୍ତରଙ୍କୁ ମାସିକ ୨ଲକ୍ଷରୁ ୨ ଲକ୍ଷ ୫୦ ହଜାର, ଶିଶୁ ରୋଗ ଡାକ୍ତରଙ୍କୁ ଦେଢ଼ଲକ୍ଷରୁ ଦୁଇ ଲକ୍ଷ, ରକ୍ତଭଣ୍ଡାର ଡାକ୍ତରଙ୍କୁ ମାସିକ ଦେଢ଼ ଲକ୍ଷ, ଅନ୍ୟାନ୍ୟ ବିଭାଗରେ ମାସିକ ୨ରୁ ଅଢ଼େଇ ଲକ୍ଷ ଟଙ୍କା ଦରମା ଡିଏମ୍‌ଏଫ୍‌ ପାଣ୍ଠିରୁ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର କେବଳ ବହିର୍ବିଭାଗରେ ରୋଗୀ ଦେଖି ଚାଲିଯାଉଛନ୍ତି। ଅନ୍ତର୍ବିଭାଗ ରୋଗୀ ‌ଆଦୌ ଦେଖୁନଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ୧୫୧ ଜଣ ଷ୍ଟାଫ୍‌ନର୍ସ, ଡିଇଓ, ଏଏନ୍‌ଏମ୍‌, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଏଲ୍‌ଟି, ହିସାବରକ୍ଷକ ଡିଏମ୍‌ଏଫ୍‌ ପାଣ୍ଠିରୁ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀ କାର୍ଯ୍ୟରେ ଅବହେଳା କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍‌। କେବଳ ସେତିକି ନୁହେଁ, ଡିଏମ୍‌ଏଫ୍‌ ପାଣ୍ଠିରେ ଖୋଲାଯାଇଥିବା ସେଣ୍ଟ୍ରାଲ୍‌ ଲ୍ୟାବ୍‌ରେ ଲକ୍ଷ ଲକ୍ଷ ଟଙ୍କାର ମେସିନ୍‌ ଖତ ଖାଉଛି। ସ୍ବାସ୍ଥ୍ୟବିଭାଗ ତାଗିଦ୍‌ କଲା ପରେ ମଧ୍ୟ ସେଣ୍ଟ୍ରାଲ୍‌ ଲ୍ୟାବ୍‌ ଖୋଲୁନି। ସେଣ୍ଟ୍ରାଲ୍‌ ଲ୍ୟାବ୍‌ରେ ୮ ଲକ୍ଷ ୧୦ ହଜାର ଟଙ୍କାର ବାୟୋକେମିଷ୍ଟ୍ରି ଅଟୋ ଆନାଲାଇଜର୍‌, ୧୨ ଲକ୍ଷ ଟଙ୍କାର ଇମ୍ୟୁନୋଲୋଜି ଅଟୋ ଆନାଲାଇଜର୍‌-୨୦୦୦, ୭ ଲକ୍ଷ ୨୫ ହଜାର ଟଙ୍କାର ଇମ୍ୟୁନୋଲୋଜି ଅଟୋ ଆନାଲାଇଜର୍‌-୧୦୦୦ ଲଗାଯାଇଛି।

ଏହାଛଡ଼ା ୮ ଲକ୍ଷ ୨୫ ହଜାର ଟଙ୍କାର ଏଚ୍‌ବିଏ୧ସି ଅଟୋ ଆନାଲାଇଜର୍‌, ୫୭ ହଜାର ୫୦୦ ଟଙ୍କାର ଏଚ୍‌ବିଏ୧ସି ସେମି ଅଟୋମେଟିକ୍‌ ଆନାଲାଇଜର୍‌, ୧ ଲକ୍ଷ ଟଙ୍କାର ଏଲିସା ରିଡର୍‌ ଓ ୱାସର୍‌, ୩ ଲକ୍ଷ ୬୦ ହଜାର ଟଙ୍କାର ଡିପ୍‌ ଫ୍ରିଜର୍‌, ୭ ଲକ୍ଷ ୩୫ ହଜାର ଟଙ୍କାରେ ୧୦ଟି ଫ୍ରିଜ୍ ଓ ୧୦ଟି ଷ୍ଟାବିଲାଇଜର୍, ୮୮ ହଜାର ୫୦୦ ଟଙ୍କାର ୩ଟି ମାଇକ୍ରୋସ୍କୋପ୍‌ ବାଇନୋକୁଲାର୍‌, ୧ ଲକ୍ଷ ୫୦ ହଜାର ଟଙ୍କାର ୪ଟି ସେଣ୍ଟ୍ରିଫ୍ୟୁଜ୍‌ ମେସିନ୍, ୭୪ ହଜାର ଟଙ୍କାରେ ୨ଟି ଇନ୍‌କ୍ୟୁବେଟର, ୪୫ ହଜାର ଟଙ୍କାର ହଟ୍‌ଏୟାର ଓଭେନ୍‌, ୫୦ ହଜାର ଟଙ୍କାରେ ୨ଟି ଫ୍ଲେବିଟମି ଚେୟାର୍, ୧୯ ହଜାର ଟଙ୍କାର ୱାଟର୍ ବାର୍ଥ, ୮ ହଜାର ଟଙ୍କାର ସାଇକ୍ଲୋମିକ୍ସର୍, ୧୬ ହଜାର ୫୦୦ ଟଙ୍କାର ବ୍ଲଡ୍‌ ମିକ୍ସର ସମେତ ଆହୁରି କିଛି  ଯନ୍ତ୍ର କିଣାଯାଇଛି। ସେହିପରି ୧୩ ଲକ୍ଷ ଟଙ୍କାରେ ୨ଟି ସେଲ୍‌ କାଉଣ୍ଟର, ୮୫ ହଜାର ଟଙ୍କାରେ ଗୋଟିଏ କୋଆଗୁଲାସନ୍ ଆନାଲାଇଜର୍‌ (୨ ଚାନେଲ୍‌) ଓ ୧ ଲକ୍ଷ ୮୫ ହଜାର ଟଙ୍କାରେ ଗୋଟିଏ କୋଆଗୁଲେସନ୍ ଆନାଲାଇଜର/ଡି-ଡିମର (୪ ଚାନେଲ୍‌) କିଣାଯାଇଛି। ହେଲେ ଗୋଟିଏ ହେଲେ ମେସିନ୍‌ ଚାଲୁନି।