ରାୟଗଡ଼ା: ରାୟଗଡା ଜିଲ୍ଲା ସଂପୂର୍ଣ୍ଣ ଖଣି ଅଂଚଳ ହୋଇଥିବା ବେଳେ ଏହାର ଉନ୍ନତି ଓ ବିକାଶ ପାଇଁ ଡିଏମଏଫ ଫଣ୍ଡ ସଂଗ୍ରହ କରାଯାଇଥାଏ। ଏହି ଅର୍ଥକୁ ଗ୍ରାମାଞ୍ଚାଳରେ ଯୋଗାଯୋଗ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା, ଶିକ୍ଷା, ଦକ୍ଷତା ବିକାଶ, ମହିଳା ଓ ଶିଶୁ କଲ୍ୟାଣ, ବୃଦ୍ଧ ଓ ବୃଦ୍ଧା ତଥା ଦିବ୍ୟାଙ୍ଗମାନଙ୍କ କଲ୍ୟାଣ, ପରିବେଶ ସ୍ବଚ୍ଛତା, ଜଳସେଚନ, ଜଳଛାୟା ପ୍ରକଳ୍ପର ବିକାଶ, ବିଦ୍ୟୁତ ସେବା, ପ୍ରଶାସନିକ ଖର୍ଚ୍ଚ ବାବଦକୁ ଖର୍ଚ୍ଚ କରାଯାଇଥାଏ।
ଗତ ୧୦ ବର୍ଷରେ ଜିଲ୍ଲାରେ ୧୪୧ କୋଟ ଟଂକା ଉପରୋକ୍ତ ବିଭାଗରେ ଖର୍ଚ୍ଚ କରାଯାଇଥିବା କୁହାଯାଇଛି। ତେବେ ଏହାର କେତେ ବିକାଶ ହୋଇଛି ତାହା ନଦେଖିଲେ ବିଶ୍ବାସ ହେବ ନାହିଁ। ଡିଏମଏଫ ଫଣ୍ଡ ଖର୍ଚ୍ଚ ହେଉଛି କିନ୍ତୁ ଏହାର ସୁବିଧା ଲୋକେ ପାଇପାରୁନଥିବା ଅଭିଯୋଗ ହୋଇଛି। ବିଶେଷକରି କାଶୀପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କାଶୀପୁର ବ୍ଲକର ୮୧ଟି ଗ୍ରାମରେ ରାସ୍ତା ନାହିଁ କି ପାନୀୟ ଜଳର ସମସ୍ୟା ଆଜି ବି ନାହିଁ ରହିଛି। ଏହି ଅଂଚଳରେ ଡିଏମଏଫ ଟଂକା ଖର୍ଚ୍ଚ କରାଯାଇଥିବା କୁହାଯାଇଛି।କିନ୍ତୁ ଆଜି ବି ଲୋକେ ଚୁଆ ଓ ଝରଣା ପାଣି ଉପରେ ଭରସା କରି ନିଜର ଦୈନନ୍ଦିନ ଜୀବନ ବିତାଉଛନ୍ତି।
ରିପୋର୍ଟ ଅନୁୟାୟୀ ୨୦୧୫-୧୬ରେ ଜିଲ୍ଲାକୁ ୧୯.୮୯ କୋଟି ଟଂକା ମିଳିଥିଲା। ୨୦୧୬-୧୭ରେ ୨୪.୦୬ କୋଟି ମିଳିଥିବା ବେଳେ ୨ କୋଟି ଖର୍ଚ୍ଚ ହୋଇଛି, ୨୦୧୭-୧୮ରେ ୧୩.୪୩ କୋଟି ମିଳିଥିବା ବେଳେ ୧୮.୮୯ କୋଟି ଖର୍ଚ୍ଚ, ୨୦୧୮-୧୯ରେ ୨୭.୯୫ କୋଟି ମିଳିଥିବା ବେଳେ ୬.୫୪ କୋୋଟି ଖର୍ଚ୍ଚ, ୨୦୧୯-୨୦ରେ ୨୬.୩୫ କୋଟି ମିଳିଥିବା ବେଳେ ୨୯.୩୧ କୋଟି ଖର୍ଚ୍ଚ , ୨୦୨୦-୨୧ରେ ୨୯.୯୯ କୋଟି ମିଳିଥିବା ବେଳେ ୮.୬୩୧୩ କୋଟି ଖର୍ଚ୍ଚ, ୨୦୨୧-୨୨ରେ ୪୬.୫୪୪୭ କୋଟି ମିଳିଥିବା ବେଳେ ୨୫.୪୨୧୨ କୋଟି ଖର୍ଚ୍ଚ , ୨୦୨୨-୨୩ରେ ୫୬.୦୪ କୋଟି ମିଳିଥିବା ବେଳେ ୪୫.୭୯ କୋଟି ଖର୍ଚ୍ଚ ଏବଂ ୨୦୨୩-୨୪ରେ ୩୭.୨୨୬୩୨୦ କୋଟି ଟଂକା ମିଳିଥିବା ବେଳେ ୫.୦୫୭୫୪ କୋଟି ଖର୍ଚ୍ଚ ହୋଇଥିବା ଜଣାପଡିଛି।
ସେହିପରି ଜିଲ୍ଲାର ଗ୍ରାମୀଣ ଯୋଗାଯୋଗ କ୍ଷେତ୍ରରେ ୧୩.୮୦୮୧ କୋଟି ଖର୍ଚ୍ଚ କରାଯାଇଥିବା କୁହାଯାଉଥିବା ବେଳେ ପାନୀୟ ଜଳ ଯୋଗାଣ ପାଇଁ ୧୧.୬୯୧୮୮୨ କୋଟି ଖର୍ଚ୍ଚ କରାଯାଇଛି। ସ୍ବାସ୍ଥ୍ୟ ସେବା ପାଇଁ ୫.୪୭୬୫ କୋଟି ଖର୍ଚ୍ଚ ହୋଇଛି। ଶିକ୍ଷା ପାଇଁ ୧୫.୧୦ କୋଟି ଟଂକା,ଜୀବନଜୀବିକା ପାଇଁ ୧.୩୫ କୋଟି ଟଂକା, ଦକ୍ଷତା ବିକାଶ ପାଇଁ ୦.୨୬୯୦ କୋଟି ଟଂକା,ବୟସ୍କ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ୦.୦୩ କୋଟି ଟଂକା, ମହିଳା ଓ ଶିଶୁ କଲ୍ୟାଣ ପାଇଁ କିଛି ବି ଖର୍ଚ୍ଚ ହୋଇ ନାହିଁ। ପଲୁସନ କଣ୍ଟ୍ରୋଲ ପାଇଁ ଟଂକାଟିଏ ବି ଖର୍ଚ୍ଚ ହୋଇନାହିଁ। ସ୍ଥାନୀୟ ଲୋକଙ୍କ ସୁବିଧା ସୁଯୋଗ ପାଇଁ କୋଠାବାଡିରେ ଖର୍ଚ୍ଚ ୮.୪୩୯୬ କୋଟି ଟଂକା। ଜଳସେଚନ ପାଇଁ ୨.୧୧୫ କୋଟି ଟଂକା ଖର୍ଚ୍ଚ, ଜଳଛାୟା ପ୍ରକଳ୍ପ ପାଇଁ ୦.୨୨୭ କୋଟି ଖର୍ଚ୍ଚ, ପ୍ରଶାସନିକ ଖର୍ଚ୍ଚ ବାବଦକୁ ୦.୨୧୭୬୯୯ କୋଟି ଟଂକା ଖର୍ଚ୍ଚ ହୋଇଥିବା କୁହାଯାଇଛି। ଏଥିହେ କଳାହାଣ୍ଡିର ୩୫ ପ୍ରତିଶତ ଖର୍ଚ୍ଚ ହୋଇଛି। କୋଭିଡ ପାଇଁ ୧.୨୯୮୭ କୋଟି ଟଂକା ଖର୍ଚ୍ଚ କରାଯାଇଥିବା କୁହାଯାଇଛି।
ପ୍ରକାଶ ଥାଉକି ଖଣି ଅଂଚଳର ବିକାଶ ପାଇଁ ୬୦ ପ୍ରତିଶତ ଟଂକା ଖର୍ଚ୍ଚ କରାଯିବାକୁ ଥିବା ବେଳେ ବିଶେଷକରି କାସୀପୁର ବ୍ଲକରେ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ହୋଇଛି।ଏତେ ଟଂକା ଖର୍ଚ୍ଚ ସତ୍ବେ ଲୋକେ କୌଣସି ସୁବିଧା ସୁଯୋଗ ନପାଇବା ହାସ୍ୟାସ୍ପଦ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଗାଁକୁ ଆଜି ବି ରାସ୍ତା ନାହିଁ କି ସ୍ବାସ୍ଥ୍ୟ ସେବାପହଞ୍ଚି ନାହିଁ। ଶିକ୍ଷା ବ୍ୟବସ୍ଥା ନକହିବା ଭଲ।ଗ୍ରୀଷ୍ଣ ଋତୁ ଆସୁଛି ଗାଁ ଗାଁରେ ପାନୀୟ ଜଳ ଉତ୍କଟ ହେବ। କିନ୍ତୁ ପ୍ରଶାସନ କହୁଛି ପାନୀୟ ଜଳ ପାଇଁ ସମସ୍ତ ସୁବିଧା ହୋଇଛି। ଏହାର ବିଧିବଦ୍ଧ ତଦନ୍ତ ହେଲେ ସବୁ ସତ ପଦାକୁ ଆସିବ ବୋଲି କୁହାଯାଇଛି।