ଯାଜପୁର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଅର୍ଥ ଅପବ୍ୟୟ କରାଯାଉଛି। ଅନୁଦାନ ଦେବା ବେଳେ ପାତ୍ର-ଅପାତ୍ର କିଛି ବିଚାରକୁ ନିଆଯାଇନାହିଁ। ଯାହାକୁ ଚାହିଁଲେ ତାଙ୍କୁ ଅର୍ଥ ବର୍ଷା କରିଦେଲେ। ସେ ଅର୍ଥ ଠିକ୍ ବିନିଯୋଗ ହେଉଛି କି ନାହିଁ, ତା’ର ଉତ୍ତରଦାୟିତ୍ବ କାହାର ରହୁନି। କେବଳ ଡିଏମ୍ଏଫ୍ ଅର୍ଥକୁ ହରିଲୁଟ୍ କରିବା ପାଇଁ ବର୍ଷ ବର୍ଷ ଧରି ଭିତିରି କାରବାର ଚାଲୁଛି। ଯାଜପୁର ଜିଲ୍ଲାର ଦୁଇ ଖଣି ପ୍ରଭାବିତ ବ୍ଲକ୍ ଦାନଗଦୀ ଓ ସୁକିନ୍ଦାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଟ୍ (ମେଡିକାଲ୍ କୋଚିଂ) ନାମରେ ୫ ବର୍ଷରେ ବିଭିନ୍ନ କୋଚିଂ ସେଣ୍ଟରକୁ ୬ କୋଟି ଟଙ୍କା ଦିଆଯାଇଛି। ତେବେ ଏହି କୋଚିଂ ସେଣ୍ଟରକୁ କିଏ ବାଛିଲେ? କେମିତି ବାଛିଲେ? କେତେ ଛାତ୍ରଛାତ୍ରୀ କୋଚିଂ ନେଇ ଉପକୃତ ହୋଇଛନ୍ତି? କେତେ ଜଣ ଡାକ୍ତରୀ ପଢୁଛନ୍ତି, ତା’ର ହିସାବ କାହା ପାଖରେ ନାହିଁ। କିଛି ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରକୁ ଅନୁକମ୍ପା ଦେଖାଇ ଏହି ଅର୍ଥର ଅପବ୍ୟୟ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏକ ବଡ଼ ଦୁର୍ନୀତିର ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି।
ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ ମଧ୍ୟରୁ ସୁକିନ୍ଦା ଓ ଦାନଗଦୀ ବ୍ଲକ୍ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଯୁକ୍ତ ଦୁଇ ଶ୍ରେଣୀରେ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୬୦ ପ୍ରତିଶତ, ଅନୁସୂଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ୫୦ ପ୍ରତିଶତ ନମ୍ବର ରଖିଲେ ସେମାନେ ନିଟ୍ କୋଚିଂ ପାଇଁ ଡିଏମ୍ଏଫ୍ ଅନୁଦାନ ସହାୟତା ପାଇଁ ଆବେଦନ କରିପାରିବେ ବୋଲି ନିୟମ ରହିଛି। ସେମାନଙ୍କୁ ଚୟନ କରାଯିବା ପରେ କୋଚିଂ ପାଇଁ ବିଭିନ୍ନ ସଂସ୍ଥାକୁ ଦାୟିତ୍ବ ପ୍ରଦାନ କରାଯାଇଛି। ୨୦୨୫ ନିଟ୍ କୋଚିଂ ପାଇଁ ୨ଶହ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ସେଥିରୁ ୭୯ ଜଣଙ୍କୁ ମନୋନୀତ କରାଯାଇଛି। ୩ ବର୍ଷ ପାଇଁ ଯାଜପୁରରୋଡ୍ର କୋଚିଂ ସେଣ୍ଟର କ୍ୟାରିୟର୍ ପଏଣ୍ଟ୍ ଅନୁବନ୍ଧିତ ହୋଇଛି। କରୋନା ପୂର୍ବରୁ ଆରମ୍ଭ ହୋଇଥିବା ଏହି କୋଚିଂ ଅନୁଦାନ ପ୍ରକ୍ରିୟାରେ ସେଣ୍ଟର୍ ଫର୍ ଏଜୁକେସନ ଆଣ୍ଡ୍ ସୋସିଆଲ ଡେଭ୍ଲପ୍ମେଣ୍ଟ ପ୍ରୋଜେକ୍ଟ (ସିଇଏସ୍ଡିପି) ଓ ଆଉ କିଛି କୋଚିଂ ସେଣ୍ଟରକୁ ଅନୁଦାନ ପ୍ରଦାନ କରାଯାଇଛି। ସିଇଏସ୍ଡିପିକୁ ୩୦ ଜଣ ପିଲାଙ୍କ କୋଚିଂ ପାଇଁ ୭୦ ଲକ୍ଷ ଓ ଅନ୍ୟ କୋଚିଂ ସେଣ୍ଟରକୁ ୪୦ ଜଣ ପିଲାଙ୍କ ପାଇଁ ୯୬.୪୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି କ୍ୟାରିୟର୍ ପଏଣ୍ଟ୍କୁ ୨୦୨୨-୨୩ରେ ୧୮୯ ପିଲା ଓ ୨୦୨୩-୨୪ରେ ୧୭୮ ପିଲାଙ୍କ କୋଚିଂ ବାବଦରେ ଯଥାକ୍ରମେ ୨.୦୧ କୋଟି ଓ ୧.୮୯କୋଟି ଟଙ୍କା ପ୍ରଦାନ କରାଯାଇଛି। ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିଲେ ହେଁ ଏହା ଛାତ୍ରଛାତ୍ରୀଙ୍କ କାମରେ ଆସିନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ରାଜସ୍ଥାନର ନାମୀଦାମୀ ଅନୁଷ୍ଠାନରୁ ଫ୍ରାଞ୍ଚାଇଜ୍ ଆଣି କିଛି ଅନାମଧେୟ କୋଚିଂ ସେଣ୍ଟର ନିଟ୍ କୋଚିଂ ଦେଉଥିବା ଅଭିଯୋଗ ହୋଇଛି। ଡିଏମ୍ଏଫ୍ ଅର୍ଥ ହଡ଼ପ ପାଇଁ ଏଭଳି ଭିତିରି କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଡିଏମ୍ଏଫ୍ ସଂଯୋଜକ ଶୁଭାଶିଷଙ୍କୁ ପଚାରିବାରେ, ଟେଣ୍ଡର ଅନୁଯାୟୀ ଅନୁଷ୍ଠାନଗୁଡ଼ିକୁ ଏହି ଦାୟିତ୍ବ ଦିଆଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କିଛି ଅଭିଭାବକ ଏହି ଟେଣ୍ଡର ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଛନ୍ତି।