ଡିଏମଏଫ୍ ଗୁମର : ପ୍ରକଳ୍ପ, ଯୋଜନାରେ ବାହାର ସଂସ୍ଥା ଓ ଠିକାଦାର; ସ୍ଥାନୀୟ ଉପେକ୍ଷିତ

ସୁନ୍ଦରଗଡ଼ : ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ସାମଗ୍ରିକ ଉନ୍ନତି ପାଇଁ ଉଦ୍ଦିଷ୍ଟ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପ୍ରଶାସନିକ ମନମାନୀ ମଧ୍ୟରେ ଏକ ପ୍ରକାର ବାଟବଣା ହୋଇଥିବା ଜିଲ୍ଲାରେ ଚର୍ଚ୍ଚା ହେଉଛି। ପ୍ରତିଷ୍ଠାନ ଅର୍ଥରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ କେତେ ଉପକାରରେ ଲାଗିଛି, ତାହା ଭିନ୍ନ କଥା। ହେଲେ ସେସବୁ ଯୋଜନାର କାର୍ଯ୍ୟାନ୍ବୟନ ଓ ପ୍ରକଳ୍ପ ନିର୍ମାଣରେ ନିୟୋଜିତ ସଂସ୍ଥା ଓ ଠିକାଦାର ପ୍ରାୟତଃ ବାହାର ରାଜ୍ୟ ବା ବାହାର ଜିଲ୍ଲାର ହୋଇଥିବା ଅଭିଯୋଗ ହୋଇଛି। ଯଦିଓ ଏଥିପାଇଁ ପ୍ରତିଷ୍ଠାନ ଟେଣ୍ଡର ପ୍ରକ୍ରିୟା ଅବଲମ୍ବନ କରିଆସିଛି,କିନ୍ତୁ ଟେଣ୍ଡରରେ ଯେଉଁ ସବୁ ସର୍ତ୍ତ ଓ ଯୋଗ୍ୟତା ମାପକାଠି ନିର୍ଦ୍ଧାରଣ କରିଥାଏ, ସେଥିରେ ସ୍ଥାନୀୟ ସଂସ୍ଥା କି ଠିକାଦାର ଭାଗ ନେବାକୁ କୌଣସି ସୁଯୋଗ ନଥାଏ। ପ୍ରତିଷ୍ଠାନ ଜାଣିଶୁଣି ସ୍ଥାନୀୟ ଲୋକଙ୍କୁ ଉପେକ୍ଷା କରିବା ପାଇଁ ଟେଣ୍ଡରରେ ଏପରି ବାଟ ଖଞ୍ଜୁଥିବା ଅଭିଯୋଗ ହୋଇଛି।

ସଦ୍ୟତମ ଉଦାହରଣ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ୍, ଗୋଷ୍ଠୀ ପାଠାଗାର, ଜିଲ୍ଲା ପାଠାଗାର ପାଇଁ ବହି ଯୋଗାଣ ପାଇଁ ଡକାଯାଇଥିବା ଟେଣ୍ଡର। ଟେଣ୍ଡର ଜରିଆରେ ଭେଣ୍ଡର୍, ବିତରକ ଓ ବହି ଯୋଗାଣକାରୀ ଚୟନ ହେବ। ତେବେ ଟେଣ୍ଡରରେ ଅନିୟମିତତା ପାଇଁ ଯୋଜନାବଦ୍ଧ ପ୍ରସ୍ତୁତି କରାଯାଇଛି। ରଖାଯାଇଥିବା ସର୍ତ୍ତ, ଯୋଗ୍ୟତା ମାପକାଠି ଅନୁସାରେ, ଏଥିରେ ସ୍ଥାନୀୟ ବହି ବିତରକ, ଯୋଗାଣକାରୀ ବାଦ୍ ପଡ଼ିବା ନିଶ୍ଚିତ। କାରଣ ଟେଣ୍ଡରରେ ଥିବା ସର୍ତ୍ତ ଅନୁସାରେ, ଆବେଦନକାରୀ ଭାରତ ବା ଅନ୍ତର୍ଜାତୀୟସ୍ତରର ଭେଣ୍ଡର, ବହି ବିତରକ ହୋଇଥିବା ଆବଶ୍ୟକ। ଏହା ଛଡ଼ା ସେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନରେ ପଞ୍ଜିକୃତ ହୋଇଥିବା ଓ ଭାରତୀୟ ବହି ପ୍ରକାଶକ ଓ ବହି ବିକ୍ରେତା ମହାସଂଘରେ ସ୍ଥାୟୀ ସଭ୍ୟ ହୋଇଥିବା ଜରୁରୀ। ୫ ବର୍ଷ ଧରି ତାଙ୍କ ଆର୍ଥିକ କାରବାର ୨୦ ଲକ୍ଷ ଓ ବହି ଯୋଗାଣ କ୍ଷେତ୍ରରେ ସର୍ବଭାରତୀୟ ବା ରାଜ୍ୟସ୍ତରରେ ଅନ୍ୟୁନ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଏହା ବ୍ୟତୀତ ଆବେଦନକାରୀ ଟେଣ୍ଡର ଚୁକ୍ତି ଅର୍ଥ (ଇଏମଡି) ୫୦ ହଜାର ଟଙ୍କା ଜମା କରିବାକୁ ସର୍ତ୍ତ ରଖାଯାଇଛି। ବହି ଯୋଗାଣ କରି ରୋଜଗାରୀ ଓ ଆତ୍ମନିର୍ଭରଶୀଳ ହେବାକୁ ଚାହୁଥିବା ପ୍ରତିଷ୍ଠାନ, ବିତରକ ଏତେ ସବୁ କଡ଼ା ସର୍ତ୍ତ ବା ଯୋଗ୍ୟ ମାପକାଠି ଭିତରେ ଆସୁ ନଥିବାରୁ ଏକ ବଡ଼ ସୁଯୋଗ ହରାଇବେ ବୋଲି ଚର୍ଚ୍ଚା ରହିଛି।

ଏଥିପୂର୍ବରୁ ଏପରି କଡ଼ା ସର୍ତ୍ତରେ କୋଟି କୋଟି ଟଙ୍କାର ଟେଣ୍ଡର ଡାକି ବହୁ ଯୋଜନା ଓ ପ୍ରକଳ୍ପକୁ ବାହାର ସଂସ୍ଥା ଓ ଠିକାଦାରଙ୍କ ହାତରେ ଟେକି ଦିଆଯାଇଛି। ଭବାନୀଭବନ ଖେଳପଡ଼ିଆରେ ବିବିଧ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ, ବିଜୁଳିବନ୍ଧ ସୌନ୍ଦର୍ଯ୍ୟକରଣ, ଏମସିଏଲ କୋଇଲା ପରିବହନ ପାଇଁ କଲେଜ-ଶଙ୍କରା ବାଏପାସ ରାସ୍ତା ନିର୍ମାଣ, ଭ୍ରାମ୍ୟମାଣ ଚିକିତ୍ସା, ଆମ୍ବୁଲାନ୍ସ ପରିଚାଳନା, ସୁନ୍ଦରଗଡ଼ ଅଭିଯୋଗ କେନ୍ଦ୍ର (କଲ୍ ସେଣ୍ଟର୍), ଟ୍ରୁନଟ୍ ମେସିନ କିଣା, ଅଙ୍ଗନବାଡ଼ି ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟବର୍ଦ୍ଧକ ଚିକି ଓ ସ୍ପିରିଲୁନା ଯୋଗାଣ, ପୁନର୍ବାସ ଓ ଥଇଥାନ, ଶିକ୍ଷାନୁଷ୍ଠାନ ବ୍ୟାଞ୍ଚ ଓ ଡେକ୍ସ କିଣା, ଡିଜି ସେଟ୍ କ୍ରୟ, ଶିକ୍ଷାନୁଷ୍ଠାନ ଭର୍ଚୁଆଲ୍ କ୍ଲାସ୍, ସୁଦକ୍ଷ ତାଲିମ କାର୍ଯ୍ୟକ୍ରମ ଆଦି ବାହାର ସଂସ୍ଥା ଓ ଠିକାଦାରଙ୍କୁ ଦିଆଯାଇଛି। ଏପରିକି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟର ଆକର୍ଷଣୀୟ ପ୍ରଚାର, ପ୍ରସାର ପାଇଁ ମଧ୍ୟ ଜିଲ୍ଲା ବାହାରର ଏକ ସଂସ୍ଥାକୁ ଠିକା ଦିଆଯାଇଛି। ସେହିପରି ଖଣିଜ ପ୍ରତିଷ୍ଠାନ ପରିଚାଳନା ପାଇଁ ଟେଣ୍ଡରପ୍ରାପ୍ତ ବର୍ହିଉତ୍ସ ସଂସ୍ଥା ‘ଚଏସ୍’ରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ଜଣେ ଦି ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ବାହାର ଜିଲ୍ଲା ଓ ବାହାର ରାଜ୍ୟର ହୋଇଥିବା ଜଣାପଡ଼ିଛି।

ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଆଡ଼େଇ ଜଣେ କରିତକର୍ମା କର୍ମଚାରୀ ଏସବୁ ପୂରା ପ୍ରକ୍ରିୟାକୁ ପରିଚାଳନା କରୁଥିବା ଚର୍ଚ୍ଚା ହେଉଛି। ଖଣି ପ୍ରଭାବିତ ଅଞ୍ଚଳର ପ୍ରତ୍ୟକ୍ଷ ଓ ପରୋକ୍ଷ ବିକାଶ ପାଇଁ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏକ ବଡ଼ ମାଧ୍ୟମ। ଏହା ପ୍ରତିଷ୍ଠା ହେବା ପରେ ଜିଲ୍ଲାର ବହୁ ବେରୋଜଗାରୀ ଶିକ୍ଷିତ ଯୁବବର୍ଗ, ସଂସ୍ଥା, ଠିକାଦାର ରୋଜଗାରର ସୁଯୋଗ ପାଇ ଆତ୍ମନିର୍ଭରଶୀଳ ହେବାର ଆଶା ରଖିଥିଲେ। କିନ୍ତୁ ପ୍ରାଶାସନିକ ଉପେକ୍ଷା ମଧ୍ୟରେ ଏ ଆଶା କ୍ରମଶଃ ମଉଳି ଯିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଖଣିଜ ପ୍ରତିଷ୍ଠାନ ଟେଣ୍ଡର ସର୍ତ୍ତକୁ କୋହଳ କରି ବିଭିନ୍ନ ଯୋଜନା ଓ ପ୍ରକଳ୍ପ ନିର୍ମାଣ ବା ପରିଚାଳନାରେ ସ୍ଥାନୀୟ ଯୁବବର୍ଗ, ସଂସ୍ଥାଗୁଡ଼ିକୁ ଆତ୍ମନିଯୁକ୍ତି ସୁଯୋଗ ଦେବାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର