କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ଅର୍ଥ ଖର୍ଚ୍ଚ ହେଉ ନାହିଁ

ଭୁବନେଶ୍ବର : କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ଠିକ୍ ଭାବେ ବିନିଯୋଗ ହେଉ ନାହିଁ ବୋଲି ଅଭିଯୋଗ ଉଠିଛି। ଡିଏମ୍‌ଏଫ୍‌ ଟ୍ରଷ୍ଟର ଟ୍ରଷ୍ଟି ତଥା ସ୍ଥାନୀୟ ବିଧାୟକ ମୋହନ ମାଝୀ ଏ ନେଇ ଅସନ୍ତୋଷ ପ୍ରକାଶ କରି ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ତଥା କେନ୍ଦୁଝର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଗତ ୨ ତାରିଖରେ ହୋଇଥିବା ଟ୍ରଷ୍ଟର ନବମ ଟ୍ରଷ୍ଟ ବୋର୍ଡ ବୈଠକର ପଦ୍ଧତ୍ତି, ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇବା ସହ ପାଣ୍ଠି ବିନିଯୋଗ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି।

ଶ୍ରୀ ମାଝୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ବୈଠକ ପ୍ରାରମ୍ଭରେ ଏକ ୪୪ ପୃଷ୍ଠା ବିଶିଷ୍ଟ ୧୦୦୮ ସଂଖ୍ୟକ ଅତୀତ ପ୍ରକଳ୍ପର କାର୍ଯ୍ୟାବଳୀର ଏକ ତାଲିକା ନୀରିକ୍ଷଣ କରିବା ପାଇଁ ସଦସ୍ୟମାନଙ୍କୁ ଦିଆଗଲା। କିନ୍ତୁ ସୀମିତ ସମୟ ମଧ୍ୟରେ ତାହା ଅନୁଧ୍ୟାନ କରିବା ଅସମ୍ଭବ ଥିଲା। ବୈଠକର ୨୪ ଘଣ୍ଟା ପୂର୍ବରୁ ଏହା ଦିଆଯାଇଥିଲେ, ସଦସ୍ୟମାନଙ୍କୁ ଆଲୋଚନାର ଅବସର ମିଳିଥା’ନ୍ତା। କୋଭିଡ୍‌ ମହାମାରୀ ପ୍ରତିରୋଧ କ୍ଷେତ୍ରରେ ଗତ ମାର୍ଚ୍ଚ ୨୭ ତାରିଖରେ ୬ଟି ପ୍ରକଳ୍ପ ପାଇଁ ୨.୧୫ କୋଟି ଟଙ୍କାର ବ୍ୟୟ ନିମନ୍ତେ ସହମତି ଦିଆଯାଇଛି। କିନ୍ତୁ ସେହି ପୃଷ୍ଠାରେ କେନ୍ଦୁଝର ପୌରପାଳିକା ତତ୍ତ୍ବାବଧାନରେ ହ୍ୟାଣ୍ଡ୍‌ବଲ୍‌ ଖେଳ ପଡ଼ିଆର ଉନ୍ନତୀକରଣ ୩.୨୬୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏପରି ନିଷ୍ପତ୍ତି ଜିଲ୍ଲା ପ୍ରଶାସନର କୋଭିଡ୍‌ ଯୁଦ୍ଧର ନିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଶ୍ରୀ ମାଝୀ କହିଛନ୍ତି ଯେ ଡିଏମ୍‌ଏଫ୍‌ ଅଧିନିୟମ ୨୦୧୬ ଓ ପିଏମ୍‌କେଜେୱାଇରେ ପୂରା ଜିଲ୍ଲାକୁ ଖଣି ପ୍ରଭାବିତ ଆଖ୍ୟା ଦିଆଯାଇଛି। ତେଣୁ ଡିଏମ୍‌ଏଫ୍‌ର ସମସ୍ତ କାର୍ଯ୍ୟାବଳୀକୁ ‘ହାଇ ପ୍ରାୟୋରିଟି’ ଓ ‘ଅଦର୍‌ ପ୍ରା‌ୟୋରିଟି’ରେ ବିଭକ୍ତ କରିବାକୁ କୁହାଯାଇଛି। କିନ୍ତୁ କେନ୍ଦୁଝରରେ ଡିଏମ୍‌ଏଫ୍‌ ପାଣ୍ଠିରୁ ହୋଇଥିବା ପ୍ରକଳ୍ପ ତାଲିକାକୁ ‘ମାଇନିଂ’ ଓ ‘ନନ୍‌ ମାଇନିଂ’ ଭାବେ ବିଭାଜନ କରାଯାଇଛି। ଏହା ସମ୍ପୂର୍ଣ୍ଣ ବେଆଇନ୍ ଓ ଉଦ୍ଦେଶ୍ୟମୂଳକ। ଭବିଷ୍ୟତରେ ଏହା ଟ୍ରଷ୍ଟିମାନଙ୍କୁ ଅସୁବିଧାରେ ପକାଇବ।

ସେହିପରି ନବମ ଟ୍ରଷ୍ଟ ବୋର୍ଡ ବୈଠକରେ ୬୪ଟି ନୂଆ ପ୍ରକଳ୍ପର ଅନୁମୋଦନ କରାଯାଇଛି। ଏହି ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ଯୋଜନାବିହୀନ ଓ ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ବ୍ୟବସ୍ଥା କରାଯାଇ ନାହିଁ। ଏଥିରେ କେ‌ାଭିଡ୍‌ ପ୍ରକଳ୍ପ ସହ ୬ଟି ବନୀକରଣ ପ୍ରକଳ୍ପ ରହିଛି। ଯେତେବେଳେ ରାଜ୍ୟର କାମ୍ପା ପାଣ୍ଠିରେ ହଜାର ହଜାର କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ଅଛି, ସେତେବେଳେ ଡିଏମ୍‌ଏଫ୍‌ ପାଣ୍ଠିରୁ ତାହାକୁ କଲେ କେବଳ ଦୋହରୀକରଣ ହେବ ବୋଲି ଶ୍ରୀ ମାଝୀ ଚେତାଇ ଦେଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାର ବର୍ତ୍ତମାନ ଡିଏମ୍‌ଏଫ୍‌ ପାଣ୍ଠି ପରିମାଣ ୪୪୦୮ କୋଟି ଟଙ୍କା। ବର୍ତ୍ତମାନର ଖଣି ନିଲାମ ପ୍ରକ୍ରିୟାରେ ଏହି ସମ୍ବଳର ପରିମାଣ ପ୍ରାପ୍ତ ଲୁପ୍ତ ହୋଇଯିବ। ଏହାକୁ ଟ୍ରଷ୍ଟ ବୋର୍ଡ ଆକଳନ କରିବା ଦରକାର। ଏଣୁ ବର୍ତ୍ତମାନ ସୀମିତ ପାଣ୍ଠିର ଯେପରି ଅପବ୍ୟବହାର ବା ଦୁରୁପଯୋଗ ନ ହୁଏ, ସେଥି ପାଇଁ ଏକ ସୁଚିନ୍ତିତ ଓ ସମନ୍ବିତ ଯୋଜନା ଆବଶ୍ୟକ ବୋଲି ଶ୍ରୀ ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର