କେନ୍ଦୁଝର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍ଏଫ୍) ଅର୍ଥ ହରିଲୁଟ୍ କରିବା ପାଇଁ ଚକ୍ରାନ୍ତ କରାଯାଇଛି। କେନ୍ଦୁଝର ଜିଲ୍ଲାରେ ଡିଜିଟାଲ୍ ଡିସ୍ପେନ୍ସାରି ବାବଦରେ ୧୫ କୋଟି ଖର୍ଚ୍ଚ କରାଯାଇଛି। କିନ୍ତୁ ଏହା ଲୋକଙ୍କ କାମରେ ଆସୁନାହିଁ। ଜିଲ୍ଲାରେ ଏବେ ୭୦ଟି ଡିସ୍ପେନ୍ସାରି ଚାଲିଛି। ତେବେ ଆଦିବାସୀବହୁଳ କେନ୍ଦୁଝର ଜିଲ୍ଲାରେ ଡିଜିଟାଲ୍ ଡିସ୍ପେନ୍ସାରି ଏକ ପ୍ରହେଳିକା ପାଲଟିଛି। ଯେଉଁଠି ଡାକ୍ତରଙ୍କ ସମ୍ମୁଖରେ ବସିଲେ ଆଦିବାସୀଟିଏ ଠିକ୍ ଢଙ୍ଗରେ ରୋଗ ସଂପର୍କରେ କହିବାକୁ ଅସମର୍ଥ, ସେଠାରେ କମ୍ପ୍ୟୁଟର ସମ୍ମୁଖରେ ବସି ଡାକ୍ତରଙ୍କୁ ନିଜ ସମସ୍ୟା ଜଣାଇବା ଏବଂ ଔଷଧ ନେବା ବ୍ୟବସ୍ଥା ଅନେକଙ୍କୁ ବିସ୍ମିତ କରୁଛି। ଡିଜିଟାଲ୍ ଡିସ୍ପେନ୍ସାରି ପାଇଁ ଜିଲ୍ଲାରେ ଏତେ ଅର୍ଥ ଖର୍ଚ୍ଚ କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠୁଛି। ୨୦୧୭ରୁ କେନ୍ଦୁଝର ଜିଲ୍ଲା ଗୁଆଲି ଅଞ୍ଚଳରେ ଡିଏମ୍ଏଫ୍ର ଆର୍ଥିକ ପ୍ରୋତ୍ସାହନରେ ଡିଜିଟାଲ୍ ଡିସ୍ପେନ୍ସାରି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପ୍ରଥମେ ୭ଟି ଏବଂ ପରେ ଆଉ ୮ଟି ସ୍ଥାନରେ ଡିଜିଟାଲ୍ ଡିସ୍ପେନ୍ସାରି ଖୋଲା ଯାଇଥିଲା। ଯୋଡ଼ା ବ୍ଲକ୍ର ଗୁଆଲି, ବାଂଶପାଳ ବ୍ଲକ୍ର ବାୟାକୁମୁଟିଆ, ନୟାକୋଟ, ରାଇଗୋଡ଼ା, ହରିଚନ୍ଦନପୁର ବ୍ଲକ୍ର ବ୍ରାହ୍ମଣୀପାଳ, ଟାଙ୍ଗିରିଆପାଳ, ବରେଇଗୋଡ଼ା, ପାଟଣା ବ୍ଲକ୍ର ଚିନାମାଳିପଶି, ଚାକୁଣ୍ଡାପାଳ, ଚମ୍ପୁଆ ବ୍ଲକ୍ର ଷଡ଼ଙ୍ଗୀ, ବଡ଼ନଈ, କାଦଗଡ଼, ସାହାରପଡ଼ା ବ୍ଲକ୍ର ତେଣ୍ଡରା, ଝୁମ୍ପୁରା ବ୍ଲକ୍ର ଚଉଠିଆ, ଧନୁର୍ଜୟପୁରରେ ଡିଜିଟାଲ୍ ଡିସ୍ପେନ୍ସାରି ଚାଲିଛି। ୨୦୨୩-୨୪ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଉ ୫୫ଟି ଡିଜିଟାଲ୍ ଡିସ୍ପେନ୍ସାରି ଖୋଲାଯାଇଛି। କେନ୍ଦୁଝର ଜିଲ୍ଲାରେ ଏବେ ୭୦ଟି ଡିଜିଟାଲ୍ ଡିସ୍ପେନ୍ସାରି ଚାଲିଛି।
ଏସବୁ ଡିଜିଟାଲ୍ ଡିସ୍ପେନ୍ସାରି ପାଇଁ ୧୮ କୋଟି ୫ଲକ୍ଷ ୫୭ ହଜାର ୯୮୯ ଟଙ୍କା ବ୍ୟୟ ଅଟକଳ ହୋଇଛି। ଏଯାଏ ମୋଟ ୧୫ କୋଟି ୧୯ ଲକ୍ଷ ୨୫ ହଜାର ୨୧୮ ଟଙ୍କା ଖର୍ଚ୍ଚ ହୋଇଛି। ଏତେଟଙ୍କା ଖର୍ଚ୍ଚ ସତ୍ତ୍ବେ ଏହାର ଉପଯୋଗକୁ ନେଇ ପ୍ରଶ୍ନ ଉଠିଛି। ବାଂଶପାଳ ବ୍ଲକ୍ ନୟାକୋଟ ଡିଜିଟାଲ୍ ଡିସ୍ପେନ୍ସାରିରେ ଜଣେ ନର୍ସ, ଜଣେ ଫାର୍ମାସିଷ୍ଟଙ୍କ ସମେତ କମ୍ପ୍ୟୁଟର ଓ ଏକ ସ୍କାନର୍ ମେସିନ୍ ରହିଛି। ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ସାଧାରଣତଃ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେଉ ବା ବିଭିନ୍ନ ସ୍ଥାନରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଦିବାସୀ ରୋଗୀଟିଏ ଆସି ଡାକ୍ତରଙ୍କ ସହିତ କଥା ହେବା ବେଳେ ନିଜ ସମସ୍ୟା ସମ୍ପର୍କରେ ଠିକ୍ ଭାବେ ଜଣାଇ ପାରି ନଥାଏ। ଅଧିକାଂଶ ସମୟରେ ରୋଗୀଙ୍କ ସମସ୍ୟା ସମ୍ପର୍କରେ ବୁଝିବା ଡାକ୍ତରଙ୍କ ପକ୍ଷରେ କଷ୍ଟକର ହୋଇଥାଏ। ଏଭଳି ସ୍ଥିତିରେ କମ୍ପ୍ୟୁଟର ସମ୍ମୁଖରେ ବସି କିଭଳି ଆଦିବାସୀ ରୋଗୀଟିଏ ନିଜର ରୋଗ ସମ୍ପର୍କରେ ଡାକ୍ତରଙ୍କୁ ଅବଗତ କରୁଥିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଡିଏମ୍ଏଫ୍ ଅନୁଦାନରେ ବହୁ ସଂଖ୍ୟାରେ ଡାକ୍ତର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହୋଇଥିବା ବେଳେ ଡିଜିଟାଲ୍ ଡିସ୍ପେନ୍ସାରି ଆବଶ୍ୟକ କାହିଁକି ବୋଲି ପ୍ରଶ୍ନ ଉଠିଛି।
ସୁନ୍ଦରଗଡ଼ କେଳେଙ୍କାରୀର ତଦନ୍ତ କେବେ? ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ଖଣି ପ୍ରଭାବିତ
ସୁନ୍ଦରଗଡ଼, ୧୦/୧ (ଇମିସ): କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍ଏଫ୍) ବ୍ୟୟ ଅନିୟମିତତା ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୁନ୍ଦରଗଡ଼ରେ ଉପରେ ଏବେ ଓଡ଼ିଶାର ଆଖି ନିବଦ୍ଧ ରହିଛି। ଏଠାରେ ମଧ୍ୟ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବ୍ୟୟରେ ଭୀଷଣ ଅନିୟମିତତା ହୋଇଛି। ଦୁର୍ନୀତି ସବୁ ସୀମା ସରହଦ ଟପିଯାଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି। ହେଲେ ଏହାର ତଦନ୍ତ କିଏ ଓ କେବେ କରିବ; ସରକାର ଆବଶ୍ୟକ ପଦକ୍ଷେପ ନେବେ ନା ଗତ ସରକାର ସମୟର ଏହି କେଳେଙ୍କାରୀକୁ ଗିଳିଦେବେ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅନ୍ତର୍ଗତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବ୍ୟୟର ମାର୍ଗଦର୍ଶିକା ଓ ନିୟମ ଅନୁସାରେ, ପ୍ରତିଷ୍ଠାନର ୬୦ ପ୍ରତିଶତ ଅର୍ଥ ପ୍ରତ୍ୟକ୍ଷ ଭାବେ କ୍ଷତିଗ୍ରସ୍ତ ଓ ୪୦ ପ୍ରତିଶତ ପରୋକ୍ଷ ଭାବେ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନଜୀବିକା ସହ ସମଗ୍ର ବିକାଶ ପାଇଁ ବିନିଯୋଗ କରାଯିବ। କିନ୍ତୁ ସୁନ୍ଦରଗଡ଼ରେ ଟ୍ରଷ୍ଟି ସଦସ୍ୟମାନଙ୍କ ଅଗୋଚର ବା ଅନୁମୋଦନ ବିନା ବହୁ ଅର୍ଥ ଅନାବଶ୍ୟକ ଭାବେ ଅଣ ଖଣି ପ୍ରଭାବିତ କ୍ଷେତ୍ରରେ ବ୍ୟୟ କରାଯାଇଛି। ବିଶେଷ କରି ଖଣିକ୍ଷେତ୍ର କୋଇଡ଼ା, ହେମଗିର ବ୍ଲକ୍ ଓ ଜିଲ୍ଲାର ଅନ୍ୟ ଖଣି ପ୍ରଭାବିତଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପେ ଉପକୃତ କରୁ ନଥିବା ସହରାଞ୍ଚଳ ସୌନ୍ଦର୍ଯ୍ୟୀକରଣ ବା ଉନ୍ନୟନରେ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ଖୋଦ୍ ସୁନ୍ଦରଗଡ଼ ସାଂସଦ ତଥା ପ୍ରତିଷ୍ଠାନର ଟ୍ରଷ୍ଟି ସଦସ୍ୟ ଜୁଏଲ ଓରାମ୍ ଆପତ୍ତି ଉଠାଇ ସିଏଜି ଅଡିଟ୍ ପାଇଁ ୨୦୨୨ ନଭେମ୍ବର ୧୧ରେ ଭାରତର ମହାସମୀକ୍ଷକ (କଂପ୍ଟ୍ରୋଲର ଆଣ୍ଡ ଅଡିଟର୍ ଜେନେରାଲ ଅଫ୍ ଇଣ୍ଡିଆ)ଙ୍କୁ ଚିଠି ଲେଖିଥିଲେ।
ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ଖଣି ପ୍ରଭାବିତ
ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅଭିଯୋଗ କରିଥିଲେ
କୋଇଡ଼ା ଓ ହେମଗିର ବ୍ଲକ୍ରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନକୁ ଆସୁଥିବା ଅଂଶଧନ ଓ ବିକାଶ ପାଇଁ ମିଳିଥିବା ପାଣ୍ଠିର ତୁଳନାତ୍ମକ ତଥ୍ୟ ଉଲ୍ଲେଖ କରି ଖଣି ପ୍ରଭାବିତ ଅଞ୍ଚଳର ଲୋକମାନେ କିପରି ଉପେକ୍ଷିତ ହୋଇ ରହିଛନ୍ତି ସେ ସମ୍ପର୍କରେ ସାଂସଦ ଶ୍ରୀ ଓରାମ ମହାସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପାଣ୍ଠି ବିନିଯୋଗରେ ମାର୍ଗଦର୍ଶିକାର ଖୋଲା ଉଲ୍ଲଂଘନ କରାଯାଇଥିବା, ବିଶେଷ କରି ରାଜ୍ୟ ସରକାରଙ୍କ ଦାୟିତ୍ବ ଓ ପାଣ୍ଠି ପ୍ରାବଧାନ ଥିବା ଅନେକ ପ୍ରକଳ୍ପ, ଯୋଜନା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ଅର୍ଥ ନିଆଯାଇଥିବା ସେ ଅଭିଯୋଗ କରିଥିଲେ। ସେଥିମଧ୍ୟରୁ ଜିଲ୍ଲାରେ ନିର୍ମିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ନିବାସ, ସରକାରୀ ଅଧିକାରୀ, କର୍ମଚାରୀଙ୍କ ବାସଗୃହ ନିର୍ମାଣ ଓ ନବୀକରଣ, ପୌରାଞ୍ଚଳର ସୌନ୍ଦର୍ଯ୍ୟୀକରଣ, ଉଦ୍ୟାନର ଉନ୍ନତି ପାଇଁ ଡିଏମ୍ଏଫ୍ରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ସେ ଦର୍ଶାଇଥିଲେ।
ତଥ୍ୟରେ କୁହାଯାଇଥିଲା ଯେ ଡିଏମ୍ଏଫ୍ ପାଣ୍ଠିରୁ ସୁନ୍ଦରଗଡ଼ ଜିଲ୍ଲା ପୁଲିସକୁ ବେଆଇନ ଭାବେ ୨.୨୮ କୋଟି ଦିଆଯାଇଥିଲା। ପ୍ରତିଷ୍ଠାନ ପରିଚାଳନା ନାମରେ କେବଳ ବିଶେଷଜ୍ଞ ପରାମର୍ଶ ପାଇଁ ଇ ଆଣ୍ଡ ୱାଇ ନାମକ ଏକ ବହିଃଉତ୍ସ ସଂସ୍ଥାକୁ ମାସିକ ୫୦ ଲକ୍ଷ ହିସାବରେ ବର୍ଷକୁ ୬ କୋଟି ଟଙ୍କା ଦିଆଯାଉଛି, ଯାହା ପୂର୍ବ କମ୍ପାନି ତୁଳନାରେ ୪ ଗୁଣ ଅଧିକ। ପୂର୍ବରୁ ଡିଏମ୍ଏଫ୍ ପରିଚାଳନା କରୁଥିବା ଚଏସ୍ କନସଲ୍ଟାନ୍ସିକୁ ମାସକୁ ୧୨ ଲକ୍ଷ ୫୦ ହଜାର ଓ ସେହି ହିସାବରେ ବର୍ଷକୁ ୧ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଉଥିଲା। ଇ ଆଣ୍ଡ ୱାଇକୁ ଏତେ ଟଙ୍କା ଦେବା ପଛରେ ତତ୍କାଳୀନ ଜିଲ୍ଲାପାଳଙ୍କ ସହ ବଡ଼ଧରଣର ଡିଲ୍ ହୋଇଥିବା ଚର୍ଚ୍ଚାକୁ ଆସିଥିଲା। ଏ ନେଇ ୨୦୨୩ ଅଗଷ୍ଟ ୩୧ ବୋର୍ଡ ବୈଠକରେ ଟ୍ରଷ୍ଟି ସଦସ୍ୟମାନେ ଆପତ୍ତି ଉଠାଇଥିଲେ। ଭାରତର ହିସାବ ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ନିର୍ଦେଶକ୍ରମେ ୨୦୨୪ ଅକ୍ଟୋବର ୧୬ରୁ ଏହା ଉପରେ ଏଜି ଅଡିଟ୍ ଚାଲିଛି। ଡିଏମ୍ଏଫ୍ ପାଣ୍ଠି ବିନିଯୋଗରେ ବଡ଼ଧରଣର ଅନିୟମିତତା ଓ ଦୁର୍ନୀତି ହୋଇଥିବାରୁ ରାଜ୍ୟସ୍ତରୀୟ କମିଟି ଦ୍ବାରା ଏହାର ତଦନ୍ତ ହେବା ଜରୁରି ବୋଲି ଖଣି ପ୍ରଭାବିତଙ୍କ ହକ୍ ପାଇଁ ଲଢ଼ୁଥିବା ସଂସ୍ଥା ଓ ସାମାଜିକ କର୍ମୀମାନେ ମତପ୍ରକାଶ କରିଛନ୍ତି।