ଡିଏମ୍‌ଏଫ୍‌, ଓମ୍‌ବାଡ୍‌ସି ପାଣ୍ଠି ବିନିଯୋଗର ବିଚିତ୍ର ଗତି : ଧନୀ ମାଟିର ଗରିବ ମଣିଷଙ୍କୁ ଅଣଦେଖା

ଭୁବନେଶ୍ୱର : ଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗର, ଅନୁଗୁଳ, ଢ଼େଙ୍କାନାଳ ଓ ଝାରସୁଗୁଡ଼ାରେ ଥିବା ଇସ୍ପାତ ପ୍ରକଳ୍ପ ସମେତ ଜାମସେଦପୁରର ଟାଟା ଷ୍ଟିଲ୍‌, ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ର ଅଧଡ଼ଜନେ ଷ୍ଟିଲ୍‌ ପ୍ଲାଣ୍ଟ ଏବଂ ଦେଶର ବିଭିନ୍ନ ଘରୋଇ ଉଦ୍ୟୋଗରେ ଥିବା ମଧ୍ୟମ ଓ ବୃହତ ଇସ୍ପାତ କାରଖାନାଗୁଡ଼ିକୁ ଅନବରତ କଞ୍ଚାମାଲ ଯୋଗାଇବା ସହ ବିଦେଶକୁ ପ୍ରଭୂତ ଲୁହାପଥର, ମାଙ୍ଗାନିଜ୍‌ ରପ୍ତାନୀ ହେଉଛି କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳରୁ। ସେହିପରି ସାରା ଦେଶରେ ତାପଜ ବିଦ୍ୟୁତ ଉତ୍ପାଦନ ନିମନ୍ତେ କୋଇଲା ଯୋଗାଉଛି ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା। ଉଚ୍ଚମାନର ଆଲୁମିନିୟମ୍‌ ଉତ୍ପାଦନ ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଟିତଳୁ ଉତ୍ତୋଳିତ ହେଉଛି ବକ୍ସାଇଟ୍‌। ଜାତୀୟ ସ୍ତରରେ ନିଯୁକ୍ତି ସୃଷ୍ଟି ସାଙ୍ଗକୁ କେନ୍ଦ୍ର ଓ ରାଜ୍ୟ ପ୍ରଭୂତ ରାଜସ୍ୱ ପାଆନ୍ତି ଓଡ଼ିଶା ମାଟିର ଖଣିଜ ସଂପଦରୁ। ମାତ୍ର ବିଡ଼ମ୍ବନା ହେଲା-ଏହି ଧନୀ ମାଟିର ଅମୃତସନ୍ତାନମାନେ କାହିଁ କେଉଁ କାଳରୁ ଦରିଦ୍ର। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଦାରିଦ୍ର୍ୟ ସୀମା ରେଖା ତଳେ (ବିପିଏଲ୍‌) ପରିବାରଙ୍କ ହାର ଯଥାକ୍ରମେ ୫୮% ଓ ୫୯%ରୁ ଅଧିକ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ସେମାନଙ୍କ ହାର ୭୦%ରୁ ଅଧିକ। କେନ୍ଦୁଝର ଜିଲ୍ଲାରେ ୯୦.୬% ପରିବାରରେ ଜଣେ ଲେଖାଏଁ ସଦସ୍ୟଙ୍କ ମାସିକ ରୋଜଗାର ୫ ହଜାର ଟଙ୍କାରୁ କମ୍‌, ମାତ୍ର ୫.୨% ପରିବାରର ଜଣେ ଲେଖାଏଁ ୫ ହଜାର ଟଙ୍କାରୁ ଅଧିକ ଓ ୧୦ ହଜାର ଟଙ୍କାରୁ କମ୍‌ ରୋଜଗାର କରୁଥିବା ବେଳେ ୪.୨% ପରିବାରର ଜଣେ ସଭ୍ୟ ୧୦ ହଜାର ଟଙ୍କାରୁ ଅଧିକ ରୋଜଗାର କରନ୍ତି।

ଅଭିଶାପ ଅବା ଉଦାସୀନତାରୁ ହେଉ- ରାଜ୍ୟର ଖଣିଜ ଜିଲ୍ଲାଗୁଡ଼ିକ କେବଳ ଯେ ମ୍ୟାଲେରିଆ ଓ ଅନ୍ୟାନ୍ୟ ଋତୁଭିତ୍ତିକ ସଂକ୍ରମଣ ପ୍ରବଣ ତାହା ନୁହେଁ, ବରଂ ଅପପୁଷ୍ଟି ଯୋଗୁଁ ସେଠାରେ ସାଧାରଣ ସ୍ୱାସ୍ଥ୍ୟ ମାନକ ଜାତୀୟ ହାର ତୁଳନାରେ ବହୁ ନିମ୍ନରେ। କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ ରାୟଗଡ଼ା ଭଳି ଖଣିଜ ଜିଲ୍ଲାରେ ହାରାହାରି ୪୪%ରୁ ଅଧିକ ଶିଶୁ ଅପପୁଷ୍ଟି ପୀଡ଼ିତ। ଏସବୁ ଜିଲ୍ଲାରେ କମ୍‌ ଓଜନର ଶିଶୁଙ୍କ ହାର ଯଥାକ୍ରମେ ୪୪.୩%, ୪୪.୨%, ୪୪.୪% ଓ ୪୨.୪%। ପୁଣି ଖର୍ବକାୟ ଶିଶୁଙ୍କ ହାର ଯଥାକ୍ରମେ ୪୪.୬%୩୭.୨%, ୪୩.୫% ଓ ୪୦.୩%। ସୁନ୍ଦରଗଡ଼ ଜିଲ୍ଲାରେ ୫ ବର୍ଷ ବୟସ ଯାଏ ଶିଶୁଙ୍କ ମଧ୍ୟରୁ ୭୫% ରକ୍ତହୀନତାରେ ଆକ୍ରାନ୍ତ। ସୁନ୍ଦରଗଡ଼ ଜିଲ୍ଲାରେ ଏହି ୩ଟି ମାପକାଠି ଯଥାକ୍ରମେ ୮୯.୮%, ୫.୪% ଓ ୪.୮%। ଅବିଭକ୍ତ କୋରାପୁଟର ଚିତ୍ର ଆହୁରି ଦୟନୀୟ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ)ର କରୋନା ପୂର୍ବବର୍ତ୍ତୀ ରିପୋର୍ଟ (୨୦୧୭-୧୮) ଅନୁଯାୟୀ ଦେଶରେ ଅନ୍ତଃବିଭାଗ ରୋଗୀଙ୍କ ମୁଣ୍ଡପିଛା ଚିକିତ୍ସା ଖର୍ଚ୍ଚ ଗ୍ରାମାଞ୍ଚଳରେ ହାରାହାରି ୧୬,୬୭୬ ଟଙ୍କା ଓ ସହରାଞ୍ଚଳରେ ୨୬୪୭୫ ଟଙ୍କା। ଓଡ଼ିଶାରେ ଜଣେ ରୋଗୀ ପିଛା ସରକାରୀ ହସ୍ପିଟାଲରେ ୫୨୮୩ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଘରୋଇ ହସ୍ପିଟାଲରେ ତାହା ୩୦,୯୪୭ ଟଙ୍କା ଓ ଟ୍ରଷ୍ଟ ପରିଚାଳିତ ହସ୍ପିଟାଲରେ ୧୨,୨୯୫ ଟଙ୍କା। ହାରାହାରି ହିସାବରେ ରାଜ୍ୟରେ ରୋଗୀଙ୍କ ମୁଣ୍ଡପିଛା ଚିକିତ୍ସା ଖର୍ଚ୍ଚ ୧୬ ହଜାର ଟଙ୍କାରୁ ଅଧିକ। ତେଣୁ ନିମ୍ନ ଆୟକାରୀ ଗ୍ରାମାଞ୍ଚଳ ଲୋକେ ଅଧିକନ୍ତୁ ସରକାରୀ ହସ୍ପିଟାଲ ଉପରେ ନିର୍ଭରଶୀଳ। ଏଭଳି ନିରାଟ ବାସ୍ତବତା ସତ୍ତ୍ୱେ କେନ୍ଦୁଝର ଜିଲ୍ଲାରେ ମାତ୍ର ୪% ଗ୍ରାମର ୫ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ଥିବା ବେଳେ ୩% ଗାଁ ପାଇଁ ୧୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଉପଲବ୍ଧ। ସୁତରାଂ ୯୬% ଗ୍ରାମର ଅଧିବାସୀଙ୍କ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଅପହଞ୍ଚ। ସୁନ୍ଦରଗଡ଼ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଦୁର୍ଗମ ହୋଇଥିବାରୁ ସେଠାରେ ଏହି ସ୍ଥିତି ଅଧିକ ନୈରାଶ୍ୟଜନକ। ପୁଣି ଉଭୟ ଜିଲ୍ଲାରେ ପିଏଚ୍‌ସି, ସିଏଚ୍‌ସି ଓ ଉପଖଣ୍ଡ ଚିକିତ୍ସାଳୟରେ ୨୫୦ରୁ ଅଧିକ ଡାକ୍ତର ପଦ ଖାଲିପଡ଼ିଛି।

Facebook

ଖଣିଜ ଲାଭରେ କ୍ଷଣି କ୍ଷତିଗ୍ରସ୍ତଙ୍କୁ ଅଂଶୀଦାର କରିବା ଲକ୍ଷ୍ୟରେ ସଂଶୋଧିତ ‘ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ-୨୦୧୫’ ଆଧାରରେ ୫ ବର୍ଷ ତଳୁ ଗଠିତ ହୋଇଛି ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ (ଡିଏମ୍‌ଏଫ୍‌)। ଖଣିଜ ରୟାଲ୍‌ଟିର ୩୦% ଆସୁଛି ଡିଏମ୍‌ଏଫ୍‌ ପାଣ୍ଠିକୁ। ଦେଶରେ ବିଭିନ୍ନ ଖଣିଜ ଜିଲ୍ଲାର ଡିଏମ୍‌ଏଫ୍‌କୁ ଇତିମଧ୍ୟରେ ୩୭ ହଜାର କୋଟି ଟଙ୍କା ଆସିଥିବା ବେଳେ ଓଡ଼ିଶାରେ ତାହା ପାଖାପାଖି ୧୦ ହଜାର କୋଟି। ଖଣି କ୍ଷତିଗ୍ରସ୍ତଙ୍କ ଜୀବିକା, ରୋଜଗାରକୁ ନିଶ୍ଚିତ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଭିତ୍ତିଭୂମି ବିକାଶ ଲାଗି ଏହି ପାଣ୍ଠିକୁ ଅଗ୍ରାଧିକର ଭିତ୍ତିରେ ବିନିଯୋଗ କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ମଧ୍ୟ ବାସ୍ତବରେ ତାହା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚୁ ନାହିଁ। ଜାତୀୟ ଇସ୍ପାତ ଅଭିବୃଦ୍ଧିର ମୁଖ୍ୟ ବାହକ ତଥା ଉଭୟ ରାଜ୍ୟ ଓ କେନ୍ଦ୍ରକୁ ପ୍ରଭୂତ ଖଣି ରାଜସ୍ୱ ଦେଉଥିବା କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ନୈରାଶ୍ୟଜନକ ଚିତ୍ର ଏଠାରେ ପ୍ରଣିଧାନସାପେକ୍ଷ।

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯେ କୌଣସି ପ୍ରଜା ମଙ୍ଗଳ ରାଷ୍ଟ୍ରର ନୈତିକ ତଥା ପ୍ରାଥମିକ କର୍ତ୍ତବ୍ୟ ହୋଇଥିବାରୁ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ଲାଗି ବାର୍ଷିକ ବଜେଟ୍‌ରେ ଅର୍ଥ ବରାଦ ହୋଇଥାଏ। ଏହା ବ୍ୟତିରେକ କେନ୍ଦୁଝର ଓ ସୁନ୍ଦରଗଡ଼ ସମେତ ଅନ୍ୟାନ୍ୟ ଖଣିଜ ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଗତ ୫ ବର୍ଷ ଧରି ଅର୍ଥର ଅଭାବ ନାହିଁ। ରାଜ୍ୟର ବିଭିନ୍ନ ଖଣିଜ ଜିଲ୍ଲାରେ ଗଠିତ ଡିଏମ୍‌ଏଫ୍‌ରେ ଗତ ମାର୍ଚ୍ଚ ସୁଦ୍ଧା ୯,୭୭୨ କୋଟି ଟଙ୍କା ଆସିଥିବା ବେଳେ ସେଥିରେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ୬୫%ରୁ ଅଧିକ। ଏହି ସମୟ ମଧ୍ୟରେ ସେଥିରୁ ୩୧୦୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହୋଇଛି। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନଭାର୍ଣ୍ଣମେଣ୍ଟ (ସିଏସ୍‌ଇ) ରିପୋର୍ଟ ଅନୁସାରେ କରୋନା ସଂକ୍ରମଣର ପୂର୍ବରୁ ସ୍ୱାସ୍ଥ୍ୟ ସେବା ବାବଦରେ ସରକାର ଡିଏମ୍‌ଏଫ୍‌ ପାଣ୍ଠିର ମାତ୍ର ୧୫% ଖର୍ଚ୍ଚ କରିଛନ୍ତି; ତହିଁରେ ପ୍ରସ୍ତାବିତ କେନ୍ଦୁଝର ମେଡ଼ିକାଲ କଲେଜ ବାବଦ ଅନୁଦାନ ଅନ୍ତର୍ଭୁକ୍ତ। ପୁଣି ବେଆଇନ ଖଣି କାର୍ଯ୍ୟକଳାପ ପାଇଁ ଜରିମାନା ଅସୁଲ କରିବାକୁ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟ ଆଧାରରେ ଓଡ଼ିଶାକୁ ବୋନସ୍‌ ସଦୃଶ ମିଳିଛି ଆଉ ୧୭ ହଜାର କୋଟି ଟଙ୍କା। ସେଥିିରେ କେନ୍ଦୁଝର ଜିଲ୍ଲାର ଅବଦାନ ପାଖାପାଖି ୧୨ ହଜାର କୋଟି ଟଙ୍କା ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ସାଢ଼େ ୪ ହଜାର କୋଟି ଓ ଅବଶିଷ୍ଟ ମୟୁରଭଞ୍ଜ ଜିଲ୍ଲାରୁ ଜରିମାନା ବାବଦରେ ଅସୁଲ ହୋଇଛି। ମୁଖ୍ୟତଃ ଏହି ୩ ଜିଲ୍ଲାର ଖଣି କ୍ଷତିଗ୍ରସ୍ତ ଅଞ୍ଚଳରେ ଜୀବିକା, ଉପାର୍ଜନ ବୃଦ୍ଧି ନିମନ୍ତେ କୌଶଳ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ବିକାଶ ସକାଶେ ଅଗ୍ରାଧିକାର ଭିତ୍ତିରେ ଏହି ଟଙ୍କାର ସଦୁପଯୋଗ କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଠିତ ହୋଇଛି ‘ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ’ (ଓମ୍‌ବାଡ୍‌ସି) ନାମରେ ସ୍ୱତନ୍ତ୍ର ଉଦ୍ଦେଶ୍ୟ ନିର୍ବାହ ସଂସ୍ଥା (ଏସ୍‌ପିଭି)। ସୁତରାଂ ଖଣି କ୍ଷତିଗ୍ରସ୍ତଙ୍କ ସମେତ ଖଣିଜ ଜିଲ୍ଲାଗୁଡ଼ିକରେ ସାମାଜିକ-ଆର୍ଥିକ ବିକାଶ ନିମନ୍ତେ ଉଭୟ ପାଣ୍ଠିରେ ବିପୁଳ ଅର୍ଥ ଗଚ୍ଛିତ ଅଛି। ମାତ୍ର ବିଡ଼ମ୍ବନା ହେଲା-ଉଭୟ ପାଣ୍ଠିରୁ ସିଂହଭାଗ ବିନିଯୋଗ ହେଉଛି ସହରାଞ୍ଚଳରେ; ଯାହା ଖଣି କ୍ଷତିଗ୍ରସ୍ତଙ୍କ ହିତରେ ଆଦୌ ଉଦ୍ଦିଷ୍ଟ ନୁହେଁ।

ମୋଟାମୋଟି ଭାବେ ସରକାରୀ ଉପେକ୍ଷା ଯୋଗୁଁ ଖଣିଜ ଜିଲ୍ଲାଗୁଡ଼ିକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସୁଧୁରି ନଥିବା ବେଳେ ସାମ୍ପ୍ରତିକ କରୋନା ସଂକ୍ରମଣ ସ୍ପର୍ଶକାତର ପରିସ୍ଥିତି ସୃଷ୍ଟି କରିଛି। ଅତିରିକ୍ତ ପାଣ୍ଠିର ଅଭାବ ନାହିଁ, ଅଥଚ ଏସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ସୁଧାର ଓ ମାନବ ସମ୍ବଳ ବିକାଶ ଲାଗି ସରକାରଙ୍କ ମାନବିକତା ଦୃଷ୍ଟିଭଙ୍ଗୀ ଉଦ୍ରେକ ନ ହେବାର କାରଣ କଣ? ସୂଚନାଯୋଗ୍ୟ, ଜୀବିକା ଓ କୌଶଳ ବିକାଶ ଜରିଆରେ ରୋଜଗାରକ୍ଷମ ମାନବ ସମ୍ବଳ ସୃଷ୍ଟିକୁ ଡିଏମ୍‌ଏଫ୍‌ରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ଏ ବାବଦରେ ଗତ ମାର୍ଚ୍ଚ ସୁଦ୍ଧା ଖର୍ଚ୍ଚ ହୋଇଛି ମାତ୍ର ୧୯୬ କୋଟି ଟଙ୍କା; ଯାହା ଗଚ୍ଛିତ ରାଶିର ମାତ୍ର ୨%। ପୁଣି କୌଶଳ ତାଲିମ ନାମରେ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଅର୍ଥକୁ ମିଥ୍ୟା ବିଲ୍‌ ଜରିଆରେ ହରିଲୁଟ କରାଯାଉଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର