ଅନୁଗୁଳ: ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ଟଙ୍କା‌ରେ କେଉଁଠି ପୋଖରୀ ଖୋଳା ହୋଇଛି ତ କେଉଁଠି ରାସ୍ତା ନିର୍ମାଣ। ପୁଣି ଷ୍ଟାଡିୟମ୍‌ କାମ ବି ଚାଲିଛି। ହେଲେ ଠିକ୍‌ ଭାବେ ଅନୁଦାନ ବିନିଯୋଗ ହୋଇଛି କି ନାହିଁ ଅନୁଧ୍ୟାନ କରିବ ତୃତୀୟ ପକ୍ଷ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ନେବା ପରେ ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚରେ ହୋଇଥିବା ଅନିୟମିତତା ସାମନାକୁ ଆସିବା ସମ୍ଭାବନା ସୃଷ୍ଟି ହୋଇଛି।

Advertisment

ଖଣି ଖାଦାନ ଭରା ଅନୁଗୁଳ ଜିଲ୍ଲାରେ ଡିଏମ୍‌ଏଫ୍‌ ପାଣ୍ଠି ବେଶ୍‌ ମୋଟା। ଏହି ଅର୍ଥରେ ବହୁ ଉନ୍ନୟନମୂଳକ କାମ ହୋଇଥାଏ। ତେବେ ବହୁ ସମୟରେ ଡିଏମ୍‌ଏଫ୍‌ ପାଣ୍ଠିର ଦୁରୁପଯୋଗ ନେଇ ଅଭିଯୋଗ ଆସିଛି। ଖଣି ପ୍ରଭାବିତ ଅଞ୍ଚଳରେ ଟଙ୍କା ଖର୍ଚ୍ଚ ‌ନ ହୋଇ ବାହାରେ ଏହି ଟଙ୍କା ବ୍ୟବହାର କରାଯାଇଛି। ପୁଣି ପାନୀୟ ଜଳ, ସ୍ବାସ୍ଥ୍ୟ ପରି ମୌଳିକ ସମସ୍ୟାକୁ ଅଣଦେଖା କରି ସୌନ୍ଦର୍ଯ୍ୟୀକରଣ କାମକୁ ଗୁରୁତ୍ବ ଦିଆଯାଉଥିବା ଦେଖାଯାଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଖଣି ପ୍ରଭାବିତ ଅଞ୍ଚଳବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନ କରି ନିଜ ହକ୍‌ ମାଗିଛନ୍ତି। ଡିଏମ୍‌ଏଫ୍‌ ଟଙ୍କା ଠିକ୍‌ ଭାବେ ଖର୍ଚ୍ଚ ହେଉନଥିବା ଅଭିଯୋଗ ଆଣିଛନ୍ତି। 

ସୂଚନା ଅନୁସାରେ, ଗତ ୫ ବର୍ଷରେ ଅନୁଗୁଳ ଜିଲ୍ଲାରେ ଡିଏମ୍‌ଏଫ୍‌ ପାଣ୍ଠିରୁ ହଜାରେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ସରକାରୀ ହିସାବ କହୁଛି, ୨୦୨୪-୨୫ ଆର୍ଥିକ ବର୍ଷରେ ଜାନୁଆରି ମାସ ଶେଷ ସୁଦ୍ଧା ଏହି ପାଣ୍ଠିରୁ ୧୦୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୨୩-୨୪ରେ ଏହା ୧୯୩ କୋଟି ଟଙ୍କା ଥିଲା ବେଳେ ୨୦୨୨-୨୩ରେ ଏହି ପାଣ୍ଠିରୁ ୨୦୭ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପକୁ ଦିଆଯାଇଛି। ୨୦୨୧-୨୨ରେ ୨୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୦-୨୧ରେ ସର୍ବାଧିକ ୩୫୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏତେ ପରିମାଣର ଅର୍ଥ ଠିକ୍‌ ଭାବେ ଖର୍ଚ୍ଚ ହୋଇଛି କି ନାହିଁ, ତା’କୁ ନେଇ ବିଭିନ୍ନ ସମୟରେ ସନ୍ଦେହ ସୃଷ୍ଟି ହୋଇଛି। ଏପରିକି ବହୁ ବଡ଼ବଡ଼ ପ୍ରକଳ୍ପକୁ ବିପୁଳ ପରିମାଣର ଅନୁଦାନ ଦିଆଯାଇଛି। ସୌନ୍ଦର୍ଯ୍ୟୀକରଣ ପାଇଁ ଆଖିବୁଜା ଟଙ୍କା ଅଜାଡ଼ି ଦେଇଛି ପ୍ରଶାସନ। ମେଡିକାଲରୁ ଆରମ୍ଭ କରି ଷ୍ଟାଡିୟମ୍‌ ପୁନରୁଦ୍ଧାର ଓ ପାଠାଗାର ନିର୍ମାଣକୁ ଗୁରୁତ୍ବ ଦିଆଯାଇଛି। ଉଦ୍‌ବେଗର ବିଷୟ, ଏମିତି ଗତ ୫ ବର୍ଷରେ ଏହି ପ‌ାଣ୍ଠିରୁ ପ୍ରାୟ ୫ ହଜାର ପ୍ରକଳ୍ପ ପାଇଁ ଟଙ୍କା ବ୍ୟୟ ବରାଦ କରାଯାଇଛି। କିନ୍ତୁ ପାଖାପାଖି ହଜାରେ ପ୍ରକଳ୍ପ ଏବେ ଅଧାପନ୍ତରିଆ ଭାବେ ପଡ଼ିରହିଛି। ରାଜ୍ୟ ସରକାର ଏହି ସବୁ ପ୍ରକଳ୍ପର ମୂଲ୍ୟାୟନ ପାଇଁ ଏକ ବହୁରାଷ୍ଟ୍ରୀୟ କଂପାନିକୁ ଦାୟିତ୍ବ ଦେଇଛନ୍ତି। ପାଣ୍ଠିର ଉପଯୁକ୍ତ ବ୍ୟବହାର, ଠିକ୍‌ ପ୍ରକଳ୍ପ ଚୟନ ପରି କାମରେ ଏହି ସଂସ୍ଥା ସରକାରକୁ ସହାୟତା କରିବ।

ସେହିପରି ଖଣି ପ୍ରଭାବିତ ଲୋକଙ୍କ ସାମାଜିକ-ଅର୍ଥନୈତିକ ବିକାଶକୁ ଗୁରୁତ୍ବ ଦେବ। ଫଳରେ ପାଣ୍ଠି ବ୍ୟବହାରରେ ଅନିୟମିତତା କମିବ ବୋଲି ଅନୁମାନ କରାଯାଉଛି। ଏହା ବାଦ୍‌ ଆଗରୁ ହୋଇଥିବା ପ୍ରକଳ୍ପଗୁଡ଼ିକରେ ହୋଇଥିବା ଅନିୟମିତତା ବି ସାମନାକୁ ଆସିବାର ସମ୍ଭାବନା ରହିଛି। ଫଳରେ ଖଣି ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ। କାରଣ ଏବେ ବି ଖଣି ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ପାନୀୟ ଜଳ ଯୋଗାଣ ପରି ସମସ୍ୟା ଲାଗି ରହିଛି। ଏପଟେ ଏବେ ବି ଡିଏମ୍‌ଏଫ୍‌ରେ ୨ ହଜାର କୋଟିରୁ ଅଧିକ ଟଙ୍କା ପଡ଼ିରହିଛି।