ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ଏଲିଭେଟର୍‌ କରିଡର୍‌ରେ ହେବ, ଡବଲ୍‌ ଡେକର୍ ହେବ, ଅଣ୍ଡରଗ୍ରାଉଣ୍ଡ ହେବ। ପ୍ରାୟ ୧ବର୍ଷ ଧରି ଏମିତି ଆଲୋଚନା ପର୍ଯ୍ୟାଲୋଚନା ଚାଲିବା ପରେ ନିଷ୍ପତ୍ତି ହୋଇଛି ଯେ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଏବେ ହେବନି। ତେଣୁ ଏହାର ନିର୍ମାଣ କାର୍ଯ୍ୟ ନେଇଥିବା ଏକାଧିକ ସଂସ୍ଥାର ଟେଣ୍ଡରକୁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (ଡିଏମ୍‌ଆର୍‌ସି) ବାତିଲ୍ କରିଦେଇଛି। ଡିଏମ୍‌ଆର୍‌ସି ଏହି ମେଟ୍ରୋ ରେଳ ପ୍ରକଳ୍ପର ଡିଜାଇନ୍ ପ୍ରସ୍ତୁତି, ନିର୍ମାଣ କାର୍ଯ୍ୟ ତଦାରଖ କାର୍ଯ୍ୟ ନେଇଥିବାବେଳେ ଟେଣ୍ଡର ମଧ୍ୟ ଆହ୍ବାନ କରିଥିଲା। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଡିଏମ୍‌ଆର୍‌ସି ଏହି ଟେଣ୍ଡରକୁ ବାତିଲ କରିଦେଇଛି। ବିଜେଡି ସରକାର ଅମଳରେ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬ କିମି ରାସ୍ତାରେ ମେଟ୍ରୋ ଗଡ଼ିବ ବୋଲି ଘୋଷଣା ହୋଇଥିଲା। ଏହା ଅନୁଯାୟୀ ବିଭିନ୍ନ ସଂସ୍ଥାଙ୍କୁ ଟେଣ୍ଡର ମାଧ୍ୟମରେ କାମ ଆବଣ୍ଟନ ହୋଇଥିଲା। କିନ୍ତୁ ଏବେ ରାଜ୍ୟ ସରକାର ମେଟ୍ରୋ କିପରି କରିବେ, ‌ଆଉ କେତେକ ନୂଆ ଅଞ୍ଚଳକୁ ଯୋଡ଼ିବେ, ସେ ନେଇ କିଛି ନିଷ୍ପତ୍ତି ନେଇ ପାରିନଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି।

Advertisment

ନଗର ଉନ୍ନୟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଯେଉଁ ଟେଣ୍ଡର ହୋଇଥିଲା ସେହି ଅନୁଯାୟୀ କାମ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିଲା। ଏପରିକି ମୃତ୍ତିକା ପରୀକ୍ଷା କରାଯାଇ ଷ୍ଟେସନ୍‌ କେଉଁଠି ହେବ, କେଉଁଠି ପିଲାର୍‌ ନିର୍ମାଣ ହେବ ତାହା ସ୍ଥିର ହୋଇଯାଇଥିଲା। ଡିପୋ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପିଲାର୍ ତିଆରି ହେବା ପରେ ଏହା ଉପରେ ପଡ଼ିବାକୁ ଥିବା ସ୍ଲାବ୍ ନିର୍ମାଣ ପାଇଁ ପ୍ରସ୍ତୁତି ସରିଥିଲା। ନିର୍ମାଣକାରୀ ସଂସ୍ଥାଗୁଡ଼ିକ ବହୁ ଯନ୍ତ୍ରାଂଶ ଓ କର୍ମଚାରୀଙ୍କୁ ଏଠାରେ ନିୟୋଜିତ କରିଥିଲେ। କିନ୍ତୁ ମେଟ୍ରୋର ପରିକଳ୍ପନା ବଦଳିବାକୁ ଥିବାରୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ‌ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଟେଣ୍ଡରକୁ ବାତିଲ୍ କରାଯାଇଛି।

କ୍ଷତିପୂରଣ ମାଗିଲେଣି ନିର୍ମାଣକାରୀ ସଂସ୍ଥା
ଖୁବ୍‌ଶୀଘ୍ର ନୂଆ ଡିପିଆର୍: ନଗର ଉନ୍ନୟନ ମନ୍ତ୍ରୀ

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ନଭେମ୍ବର ମାସରୁ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାମ ବନ୍ଦ ଥିଲା। ସେବେଠାରୁ ନିର୍ମାଣକାରୀ ସଂସ୍ଥା କର୍ମଚାରୀ ନି‌େୟାଜନ କରିଥିବାରୁ ସରକାରଙ୍କୁ ଆର୍ଥିକ ସହାୟତା ଦେବାକୁ ପଡ଼ିବ। ଏବେ ନୂଆ ମେଟ୍ରୋ ଡିଜାଇନ୍ ଆସିବାକୁ ସମୟ ଲାଗିବ। ତେଣୁ ସରକାର ଅଯଥାରେ ଖର୍ଚ୍ଚାନ୍ତ ନହେବାକୁ ଏହି ନିଷ୍ପତ୍ତି ନେଇଛନ୍ତି। ମେଟ୍ରୋ ପ୍ରକଳ୍ପ ପାଇଁ ମୋଟ୍ ୬୨୨୫କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହାର ନିର୍ମାଣ ପାଇଁ ରଞ୍ଜିତ ବିଲ୍‌ଡକନ୍ ସଂସ୍ଥାକୁ କ୍ୟାପିଟାଲ ହସ୍ପିଟାଲ ଛକରୁ କିଟ୍ ଛକ ପର୍ଯ୍ୟନ୍ତ କାର୍ଯ୍ୟକୁ ୨ଟି ପର୍ଯ୍ୟାୟରେ ୧୧୮୭ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ସୈଗଲ ଇଣ୍ଡିଆକୁ କିଟ୍ ଛକରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୮୯୯କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ସେହିପରି ସାଇଷ୍ଟ୍ରା ଏମଭିଏ କନ୍‌ସଲଟିଂ ଇଣ୍ଡିଆକୁ ୧୦୧୨ କୋଟି ଟଙ୍କାର, ଏମ୍‌ଆଇଏ କନ୍‌ଷ୍ଟ୍ରକ୍ସନକୁ ୭୯.୭୫ କୋଟି ଟଙ୍କାର ଓ ଆଇସିଟିକୁ ୧୩.୦୪ କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟାଦେଶ ଦିଆଯାଇଥିଲା। ଡିଏମ୍‌ଆର୍‌ସି ଟେଣ୍ଡର ବାତିଲ୍ କରିବା ପରେ ସୈଗଲ ଇଣ୍ଡିଆ ଲିମିଟେଡ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ଟେଣ୍ଡର ଦେଇଥିବା ସଂସ୍ଥା କାର୍ଯ୍ୟ ବନ୍ଦ କରିଥିବାରୁ ଆମର ଯେଉଁ କ୍ଷତି ହୋଇଛି ତାହାର ଭରଣା ପାଇଁ କହିଛୁ। ନଚେତ୍ ଆମେ କୋର୍ଟଙ୍କ ଦ୍ବାରସ୍ଥ ହେବୁ।

ଅପରପକ୍ଷେ‌ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ସବ୍‌ କମିଟିର ପ୍ରଥମ ବୈଠକ ଗତ ୧୬ ତାରିଖରେ ବସିଥିବାବେଳେ ଏଥିରେ ଏହି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ଏହାସହ ଏହି ବୈଠକରେ ସ୍ଥିର ହୋଇଛି ଯେ ମେଟ୍ରୋ ପ୍ରକଳ୍ପକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କରିବେ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା, ୨୦୪୭ ସୁଦ୍ଧା ବିକଶିତ ଭାରତକୁ ନଜରରେ ରଖି ରାଜ୍ୟରେ ସହରାଞ୍ଚଳକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ଏହି ଆଧାରରେ ମେଟ୍ରୋର ଡିଜାଇନ୍ ବଦଳିବ ବୋଲି ନିଷ୍ପତ୍ତି ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପକୁ ୫ଟି ପର୍ଯ୍ୟାୟରେ ପୂରଣ କରିବାକୁ ଯୋଜନା ହେଉଛି। ୨୦୩୬ ମସିହା ସୁଦ୍ଧା ୩ଟି ପର୍ଯ୍ୟାୟରେ ଯଥା ଭୁବନେଶ୍ୱର ବିମାନବନ୍ଦରରୁ ଭାୟା ଜୟଦେବ ବିହାର ହୋଇ କଟକ, ପାହାଳରୁ ଏମ୍‌ସ ଭାୟା ରସୁଲଗଡ଼ ଓ ରସୁଲଗଡ଼ରୁ ଉତ୍ତରା ଛକ ପର୍ଯ୍ୟନ୍ତ ହେବ। ସେହିପରି ୪ର୍ଥ ଓ ୫ମ ପର୍ଯ୍ୟାୟରେ ଉତ୍ତରାରୁ ପୁରୀ ଓ ଏମ୍‌ସରୁ ଖୋର୍ଦ୍ଧା ପର୍ଯ୍ୟନ୍ତ କାର୍ଯ୍ୟ ୨୦୪୭ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଖୁବ୍ ଶୀଘ୍ର ଡିପିଆର୍ ପ୍ରସ୍ତୁତ ହେବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହା ହେବାକୁ ଥିବାରୁ ଡିପିଆର୍‌କୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ।