ଅନୁଗୁଳ : ସାତକୋଶିଆର ହାତୀ ଦାନ୍ତ ନେପାଳରେ ବିକ୍ରି ହେଲେ ବି ଧରାପଡ଼ିବ ଅପରାଧ। କେଉଁ ଗୋଠର ହାତୀ କେଉଁଠି ଥିଲା, ତାର କୁଳ, ବଂଶ କଣ? ବୟସ, ଲିଙ୍ଗ ଆଦି ସବୁ କିଛି ଜଣାପଡ଼ିଯିବ। ସେଥିପାଇଁ ସାତକୋଶିଆ ଅଭୟାରଣ୍ୟରେ ପ୍ରତି ହାତୀଙ୍କର ଡିଏନ୍‌ଏ ପ୍ରୋଫାଇଲିଂ କାମ ଆରମ୍ଭ ହୋଇଛି। କେବଳ ଡିଏନ୍‌ଏନ୍‌ ପ୍ରୋଫାଇଲିଂ ନୁହେଁ, ସାତକୋଶିଆରେ ପ୍ରତି ଗୋଟିଏ କିଲୋମିଟର ପରିଧିରେ କେତେଗୋଟି ହାତୀ ରହୁଛନ୍ତି, ତାହା ବି ଗଣନା ଆରମ୍ଭ ହୋଇଛି। ଏଥିପାଇଁ ଡେରାଡୁନ୍‌ ସ୍ଥିତ ଭାରତୀୟ ବନ୍ୟଜନ୍ତୁ ସଂସ୍ଥାନ(ଡବ୍ଲୁଆଇଆଇ)ର ଚାରିଜଣିଆ ଟିମ୍‌ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ କିଛି ଦିନ ହେଲା ଡେରା ପକାଇଛନ୍ତି। ସାତକୋଶିଆ ବନଖଣ୍ଡର ପ୍ରାୟ ୫୦ଟି ଇଲାକାରେ ସେମାନେ କ୍ୟାମେରା ଖଞ୍ଜି ହାତୀଙ୍କ ମଳ ନମୁନା ସଂଗ୍ରହ କାମ ଆରମ୍ଭ ଦେଇଛନ୍ତି।

Advertisment

ସୂଚନା ମୁତାବକ, ଡିଏନ୍‌ଏ ପ୍ରୋଫାଇଲିଂ ହେଉଛି ପ୍ରତ୍ୟେକ ହାତୀର ବ୍ୟକ୍ତିଗତ ପରିଚୟ। ଏଥିରୁ ହାତୀର ଗୋଠଠାରୁ ଆରମ୍ଭ କରି ବୟସ, ଲିଙ୍ଗ ଆଦି ସବୁକିଛି ଜଣାପଡ଼ିଯିବ। ଡିଏନ୍‌ଏ ପ୍ରୋଫାଇଲିଂ ହାତୀର ମଳରୁ କରିବାକୁ ଯୋଜନା ହୋଇଥିଲା। ସେଥିପାଇଁ ଗତ ବାଘ ଗଣନା ସମୟରେ ହାତୀ ଗଣନା ପାଇଁ ସାତକୋଶିଆରୁ ହାତୀମାନଙ୍କର ମଳ ସବୁ ସଂଗ୍ରହ କରି ଡବ୍ଲୁଆଇଆଇକୁ ପଠାଯାଇଥିଲା। କିନ୍ତୁ, ସେହି ମଳରୁ ଡିଏନ୍‌ଏ ପ୍ରୋଫାଇଲିଂ ତିଆରି କରିବା ପରିବର୍ତ୍ତେ ଡବ୍ଲୁଆଇଆଇ ନିଜର ପ୍ରତିନିଧିଙ୍କୁ ସାତକୋଶିଆକୁ ପଠାଇଛି। ଜଣେ ରିସର୍ଚ୍ଚର ନେତୃତ୍ବରେ ମୋଟ୍ ଚାରି ଜଣ ଜୀବବିଜ୍ଞାନୀ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ପହଞ୍ଚିଛନ୍ତି। ପୂର୍ବରୁ ପଠାଯାଇଥିବା ମଳକୁ ଅନୁଧ୍ୟାନ କରି ଏହି ଟିମ୍‌ ସାତକୋଶିଆର ମୋଟ୍ ୫୦ଟି ଜାଗା ଚିହ୍ନଟ କରିଛନ୍ତି। ସେହି ଜାଗାରେ କ୍ୟାମେରା ଖଞ୍ଜା ଆରମ୍ଭ ହୋଇଛି। ଏହି ଅଞ୍ଚଳରୁ ହାତୀର ମଳ ସଂଗ୍ରହ କରାଯିବ। ତା ସହିତ ଏକ ବର୍ଗ କିଲୋମିଟର ଜଙ୍ଗଲ ପରିଧି ଭିତରେ କେତେ ହାତୀ ରହୁଛନ୍ତି, ଜୀବବିଜ୍ଞାନୀମାନେ ତାହା ବି ଅନୁଧ୍ୟାନ କରିବାକୁ ଯାଉଛନ୍ତି।

କେଉଁ ଜାଗାରେ କେଉଁଠି ବି ହାତୀର ମୃତ୍ୟୁ ହେଲେ, ଏହି ଡିଏନ୍‌ଏ ପ୍ରୋଫାଇଲିଂ ଜରିଆରେ ହାତୀକୁ ଚିହ୍ନଟ କରିହେବ ବୋଲି ସାତକୋଶିଆ ଡିଏଫ୍‌ଓ ଡ. ସରୋଜ କୁମାର ପଣ୍ଡା ‘ସମ୍ବାଦକୁ କହିଛନ୍ତି।