ବାଘ ଛାଲର ହେବ ଡିଏନ୍‌ଏ ଟେଷ୍ଟ

ଭୁବନେଶ୍ବର : କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ଅଞ୍ଚଳରୁ ମହାବଳ ବାଘ ଛାଲ ଜବତ ପରେ ବନ ବିଭାଗ ତନାଘନା ଚଲାଇଛି। ସେହି ଅଞ୍ଚଳରେ ପୂର୍ବରୁ ମହାବଳ ବାଘ ଥିବା ନେଇ ବନ ବିଭାଗ ପାଖରେ କୌଣସି ସୂଚନା ନଥିଲା। ତେଣୁ ବାଘ କେଉଁଠି ଆସିଲା? ବାଘ କେଉଁ ଅଞ୍ଚଳର ଜାଣିବା ପାଇଁ ଡିଏନଏ ଟେଷ୍ଟ କରିବା ପାଇଁ ନମୁନା ସଂଗ୍ରହ କରାଯାଇଛି। ଏହାବ୍ୟତୀତ ପ୍ରତି ସପ୍ତାହରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କଲରାପତରିଆ ଛାଲ ଜବତ ହେଉଥିବାରୁ କେଉଁ ଅଞ୍ଚଳରେ ଶିକାର କରାଯାଇଛି ତାହା ଜଣାପଡ଼ୁ ନାହିଁ। ତେଣୁ ଡିଏନଏ ପ୍ରୋଫାଇଲ ପ୍ରୋଜେକ୍ଟ ଆରମ୍ଭ କରିବାକୁ ବନ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏହାଦ୍ୱାରା ବାଘଗୁଡ଼ିକର ଡିଏନଏ ସାମ୍ପୁଲ ସଂଗ୍ରହ କରି ରଖାଯିବ। ପରବର୍ତୀ ସମୟରେ ବାଘ ଛାଲ ଜବତ ହେଲେ ଡିଏନଏ ସହ ମ୍ୟାଚ୍‌ କରି ବାଘଟି କେଉଁ ଅଞ୍ଚଳର ଜାଣିହେବ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଶଶୀ ପଲ୍‌ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମହାବଳ ଛାଲ ଯେଉଁ ଜାଗାରୁ ଆସିଛି ବୋଲି କୁହାଯାଉଛି ଉକ୍ତ ଅଞ୍ଚଳରେ ବାଘଙ୍କର ଗତିବିଧି ନେଇ କୌଣସି ସୂଚନା ନ ଥିଲା। ଅପରାଧୀ କହୁଥିବାରୁ ତାହାକୁ ରିମାଣ୍ଡରେ ଅଣାଯାଇ ବାଘର ବଡି ରିକଭରି କଲେ ଆମେ କିଛି କହିପାରିବୁ। ଗତ କିଛି ମାସ ହେଲା ରାଜ୍ୟର ବିଭିନ୍ନ ସ୍ଥାନରୁ କଲରାପତରିଆ ବାଘଙ୍କ ମୃତ୍ୟୁ ଖବର ଆସୁଛି, ଏଥିପାଇଁ କ୍ୟାମେରା ଟ୍ରାପ୍‌ର ବ୍ୟବସ୍ଥା କରାଯିବ। ବାଘ ଓ ହାତୀକୁ ଯେଉଁଭଳି ସୁରକ୍ଷା ଯୋଗାଉଛୁ କଲରାପତରିଆକୁ ସେଭଳି ସୁରକ୍ଷା ଦେବା ଲାଗି ଆମ ପାଖରେ ସାଧନ ନାହିଁ। ତଥାପି ଏହାକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ହାତକୁ ନିଆଯାଇଛି। ଅଧିକ ସଂଖ୍ୟକ କଲରାପତରିଆ ରହୁଥିବା ରାଜ୍ୟର ୧୦ଟି ଡିଭିଜନକୁ ଚି଼ହ୍ନଟ କରାଯାଇଛି। ସେଠାରେ ମନିଟରିଂ କରାଯିବ। କର୍ମଚାରୀଙ୍କୁ ତାଲିମ ଦିଆଯିବା ସହ କ୍ୟାମେରା ମାଧ୍ୟମରେ ନଜର ରଖାଯିବ। ଅନେକ ମାତ୍ରାରେ ଚମଡ଼ା ଧରାଯାଉଛି। ସେଗୁଡ଼ିକ ରାଜ୍ୟ କିମ୍ବା ରାଜ୍ୟ ବାହାରରୁ ଆସୁଛି ଆମେ ଜଣାପଡ଼ୁ ନାହିଁ। ବୈଜ୍ଞାନିକ କାରଣ ଜାଣିବା ଲାଗି ବି ଆମ ପାଖରେ କିଛି ବ୍ୟବସ୍ଥା ନାହିଁ। ଏବେ ଡିଏନଏ ପ୍ରୋଫାଇଲ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଏହାଦ୍ୱାରା ଆମେ ବାଘଗୁଡ଼ିକର ଡିଏନଏ ସାମ୍ପଲ ସଂଗ୍ରହ କରି ରଖିପାରିବୁ। ପରବର୍ତୀ ସମୟରେ ବାଘ ଛାଲ ଧରା ହେଲେ ତାହାକୁ ମ୍ୟାଚ୍‌ କରି ଜଣା ଯାଇପାରିବ ବାଘଟି କେଉଁ ଅଞ୍ଚଳର।

ସମ୍ବନ୍ଧିତ ଖବର