ପ୍ରଗତି ନାମରେ ପରିବେଶ ଧ୍ବଂସ ନହେଉ: ସୌମ୍ୟ

‘ପରିବେଶ ନାମରେ ପ୍ରଗତିର ମଧ୍ୟ କଣ୍ଠରୋଧ ନ ହେଉ’

ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସମ୍ପର୍କିତ ଆଲୋଚନାଚକ୍ର

ଭୁବନେଶ୍ବର : ପ୍ରଗତି ନାମରେ ପରିବେଶ ଧ୍ବଂସ ନହେଉ। ପରିବେଶ ନାମରେ ପ୍ରଗତିର ମଧ୍ୟ କଣ୍ଠରୋଧ କରାନଯାଉ। ବିଶେଷକରି ଆମ ଭବିଷ୍ୟତ ଛାତ୍ରଛାତ୍ରୀମାନେ ଯେଉଁଠି ପାଠ ପଢ଼ୁଛନ୍ତି ତାହାର ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଶିକ୍ଷାନୁଷ୍ଠାନ ପରିସରରେ ବ୍ୟାପକ ବୃକ୍ଷରୋପଣ ହେଉ ବୋଲି କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ରବିବାର ଦିନ ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ ଓ ରୋଟାରି କ୍ଲବ୍‌ ଅଫ୍‌ ଭୁବନେଶ୍ବର ଏକାମ୍ରକ୍ଷେତ୍ର ମିଳିତ ସହଯୋଗରେ ଭର୍ଚୁଆଲ ମାଧ୍ୟମ‌ରେ ଅନୁଷ୍ଠିତ ‘ପ୍ରଦୂଷଣମୁକ୍ତ ଶିକ୍ଷାନୁଷ୍ଠାନ ପରିସର, ଉନ୍ନତମାନର ଶିକ୍ଷାଦାନ ଓ ଛାତ୍ରଛାତ୍ରୀମାନଙ୍କର ସ୍ବସ୍ଥ୍ୟ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ହେଉ ବା ରାସ୍ତା ପ୍ରଶସ୍ତୀକରଣକରିବା ପାଇଁ ଯେତିକି ଗଛ କଟାଯାଉଛି ତାହାର ଭରଣା କରିବା ପାଇଁ ସମସ୍ତେ ବୃକ୍ଷରୋପଣ କରିବା ପାଇଁ ଆଗେଇ ଆସିବା ଜରୁରୀ। ତା’ ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁସ୍ଥ ପରିବେଶ ତିଆରି କରିବାକୁ ହେଲେ ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ପ୍ରେରଣା ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ ସଭାପତିତ୍ବ କରିବା ଅବସରରେ ସୂଚନା ଦେଇଥିଲେ କି ଅଦ୍ୟାବଧି ୫ ହଜାର ଶିକ୍ଷାନୁଷ୍ଠାନ ପରିସରରେ ନିମ୍ବ ଗଛ ରୋପଣ ସରିଛି। ଏହି କାର୍ଯ୍ୟକ୍ରମ ନିୟମିତ ଚାଲିଛି। ସାମାଜିକ କର୍ମୀ ନୀରଦ ଖୁଣ୍ଟିଆ ସ୍ବାଗତ ଭାଷଣ ଦେଇଥିବାବେଳେ ରୋଟାରି କ୍ଲବ୍‌ ଅଫ୍‌ ଭୁବନେଶ୍ବର ଏକାମ୍ରକ୍ଷେତ୍ରର ସଭାପତି ପ୍ରଫେସର ଡ. ଅଚ୍ୟୁତାନନ୍ଦ ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ପରିବେଶବିତ୍‌ ଡ. ଭଗବାନ ପ୍ରକାଶ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ବିଶିଷ୍ଟ ଶିକ୍ଷାବିତ୍‌ ସଙ୍ଗୀତା ଦାଶ, ଏସ୍‌ସିଏସ୍‌ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ପ୍ରସନ୍ନ ଜେନା, ବିଶିଷ୍ଟ ଗବେଷକ ଡ. କରୁଣାକର ପ୍ରଧାନ, ୪୮୮ ବର୍ଗ ଶିକ୍ଷକସଂଘ ସଭାପତି ଡ. ପବିତ୍ର ମହଲା, ଓଷ୍ଟା ରାଜ୍ୟ ସହସାଧାରଣ ସମ୍ପାଦକ ରମାକାନ୍ତ ମାହପାତ୍ର, ମଧ୍ୟଇଂରାଜୀ ବିଦ୍ୟାଳୟ ରାଜ୍ୟ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ସୁକାନ୍ତ ବେହେରା, ଶିକ୍ଷାବିତ୍‌ ରମାକାନ୍ତ ମଣ୍ଡଳ ପ୍ରମୁଖ ଯୋଗ ଦେଇ ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧିତ ଖବର