କଟକ : ଦଶ ଦିନ ହେଲା ଓ୍ଵାର୍ଡରେ ପଡିଥିଲେ ବି ବେଡ୍ ମିଳିଲାନି। ଡାକ୍ତର ବି ଦେଖିଲେନି। କେହି ଚିକିତ୍ସା କଲେନି। ଶେଷରେ ସବୁ ଆଡୁ ନିରାଶ ହୋଇ କଟକ ବଡମେଡିକାଲରୁ ରୋଗଗ୍ରସ୍ତ ପୁଅକୁ ଧରି ଘରକୁ ଫେରି ଯାଇଛନ୍ତି ବୃଦ୍ଧା ମା’। ଅର୍ଥାଭାବରୁ ଚିକିତ୍ସା କରିନପାରି ପରିବାର ସହ ଇଚ୍ଛାମୃତ୍ୟୁ ମାଗିଥିବା ମୁନାଙ୍କୁ ଚିକିତ୍ସା ପାଇଁ ବରଗଡ଼ରୁ କଟକ ବଡ ମେଡିକାଲକୁ ଅଣାଯାଇଥିଲା। କିନ୍ତୁ ଦଶ ଦିନ ହେଲା ଚିକିତ୍ସା ଅବହେଳାରୁ ଦିନକୁ ଦିନ ପୁଅର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ପାଖରେ ଟଙ୍କା ନଥିବାରୁ ଶେଷରେ ନିରୂପାୟ ହୋଇ ୭୦ ବର୍ଷୀୟା ମା’ ପୁଅକୁ ଧରି ଆଜି ବରଗଡ ଜିଲ୍ଲା ବରଡୋଲ ସ୍ଥିତ ନିଜ ଘରକୁ ଫେରି ଯାଇଛନ୍ତି।
ବରଗଡ଼ ଜିଲ୍ଲା ବରଡ଼ୋଲ ଗ୍ରାମର ପ୍ରଭାତୀ ବାରିକ ୧୦ ଦିନ ତଳେ ପୁଅ ମୁନା ବାରିକ (୩୫)ଙ୍କୁ ନେଇ କଟକ ବଡ଼ ମେଡିକାଲକୁ ଆସିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଅସ୍ଥିଶଲ୍ୟ ବିଭାଗ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ବେଡ୍ ମିଳି ନଥିବା ବେଳେ ଠିକ୍ରେ ଚିକିତ୍ସା ବି ଆରମ୍ଭ କରାଯାଇ ନଥିଲା। ଏଭଳି ସ୍ଥିତିରେ ଆଜି ସକାଳୁ ପୁଅକୁ ଧରି ବୃଦ୍ଧା ମା’ ପ୍ରଭାତୀ ଘରକୁ ଫେରିଯାଇଥିବା ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି। ମୁନା ଥିଲେ ଘରରଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ଗତବର୍ଷ ଜୁନ ମାସରେ ଗଛରୁ ଆମ୍ବ ତୋଳୁ ଥିବାବେଳେ ମୁନା ଖସି ପଡିଥିଲେ। ତା’ ପରଠାରୁ ସଂପୂର୍ଣ୍ଣ ଶଯ୍ୟାଶାୟୀ ହୋଇଯାଇଥିଲେ। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପୁଅର ଚିକିତ୍ସା ପାଇଁ ଅସମର୍ଥ ହୋଇଥିଲେ ପୂରା ପରିବାର। ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ମୁନାଙ୍କ ସହ ପୁରା ପରିବାର ବରଗଡ ଜିଲ୍ଲାପାଳଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମୁନାଙ୍କ ଘରେ ପହଞ୍ଚି ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗତ ୮ତାରିଖରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ୍ସ ଯୋଗେ ମୁନାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିନା ଚିକିତ୍ସାରେ ସେ ଦଶ ଦିନ ପରେ ପୁଣି ଘରକୁ ଫେରି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/scb-2.jpg)