ଭୁବନେଶ୍ବର: ଆଗାମୀ ଦୁଇ ସପ୍ତାହ ଯାଏଁ ଓଡ଼ିଶାବାସୀଙ୍କୁ ତାତିରୁ ନିସ୍ତାର ମିଳିବାର ନାହିଁ। ବାୟୁମଣ୍ଡଳର ମଧ୍ୟ ଓ ଉପରି ଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି ତଥା ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ମେ’ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ବିସ୍ତାରିତ ପରିସର ଆକଳନ ଅନୁଯାୟୀ ମେ’ ୨୪ରୁ ୩୦ ମଧ୍ୟରେ ରାଜ୍ୟରେ ତାପମାତ୍ରା ବହୁ ପରିମାଣରେ ବୃଦ୍ଧି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ। ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ତାପମାତ୍ରା ୪୦ରୁ ୪୫ ଡିଗ୍ରି ମଧ୍ୟରେ ରହିବ। ଗୋଟିଏ ଦୁଇଟି ସ୍ଥାନରେ ୪୫ ଡିଗ୍ରି ଡେଇଁଯିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Advertisment

ଆହୁରି ଆକଳନ କରାଯାଇଛି ଯେ ୧୯ ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ୨୦ ତାରିଖରେ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ତିନି ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ସହ କେତେକ ସ୍ଥାନରେ କାଳବୖଶାଖୀ ଜନିତ ବର୍ଷା ହୋଇପାରେ। ତେବେ ତାହାର କୌଣସି ପ୍ରଭାବ ତାପମାତ୍ରା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଚାନ୍ଦବାଲିଠାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୧ ଡିଗ୍ରି ରହିଥିବା ବେଳେ ନୂଆପଡ଼ାରେ ୪୦, ଭୁବନେଶ୍ବର ଓ ବୌଦ୍ଧରେ ୩୯.୫, ବାରିପଦାରେ ୩୯.୨, ତାଳଚେର ଓ ଭଦ୍ରକରେ ୩୯ ଡିଗ୍ରି ରେକର୍ଡ କରାଯାଇଛି। ସୁନ୍ଦରଗଡ଼, ସମ୍ବଲପୁର ଓ ଫୁଲବାଣୀରେ ହାଲୁକା ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।