ଦୋବଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ କେଁ: ବିରୋଧ ପରେ ଫେରିଗଲେ ବିଡିଓ, ଚିହ୍ନଟ ଫିତାକୁ ଛିଣ୍ଡାଇଦେଲେ ଗ୍ରାମବାସୀ

ଧାମନଗର : ଧାମନଗର ବ୍ଲକ ଦୋବଲ ପଞ୍ଚାୟତର ନୂତନ ଗୃହ ନିର୍ମାଣକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଗ୍ରାମବାସୀଙ୍କ ବିରୋଧ ପରେ ପ୍ରଶାସନ ଲେଆଉଟ୍‌ କରି ନପାରି ଖାଲି ହାତରେ ଫେରିଛି।

ଶନିବାର ଦିନ ଦୋବଲ ପଞ୍ଚାୟତର ସୋଧ ଗ୍ରାମଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ଲେଆଉଟ୍‌ କରିବାକୁ ନିଷ୍ପତ୍ତି ହୋଇଥିଲା। ବିରୋଧକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ, ଦୁଇ ଜଣ ମାଜିଷ୍ଟ୍ରେଟ୍‌, ଜଣେ ଡିଏସ୍‌ପି ପାହ୍ୟାର ଅଫିସରଙ୍କୁ ମୁତୟନ କରାଯାଇଥିଲା। ସକାଳେ ବିଡିଓ ଦୁର୍ଗାଚରଣ ମୁର୍ମୁ, ସହକାରୀ ଯନ୍ତ୍ରୀ ସେହ୍ଲା ସ˚ଗୀତା ଟୁଡ଼ୁ, କନିଷ୍ଠଯନ୍ତ୍ରୀ ପ୍ରମୁଖ ଲେଆଉଟ୍‌ ଦେବାକୁ ସୋଧ ଗ୍ରାମକୁ ଯିବା ସମୟରେ ଦୋବଲ ଓ ଇଟୁଆ ଗ୍ରାମର ଶତାଧିକ ଗ୍ରାମବାସୀ ବିରୋଧ କରିଥିଲେ। ଦୋବଲ-ସୋଧ ରାସ୍ତାରେ ଟାୟାର ଜାଳି ଶତାଧିକ ଲୋକ ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରିଥିଲେ। ପୁଲିସ ଓ ପ୍ରାଶାସନିକ ଅଧିକାରୀ ରାମେଶ୍ବରପୁର ରାସ୍ତା ଦେଇ ସୋଧକୁ ଯିବାବେଳେ ପୁଣି ଦୋବଲ ଗ୍ରାମବାସୀ ସେଠାରେ ପହଞ୍ଚି ବିରୋଧ କରିଥିଲେ। ଦୋବଲ ପଞ୍ଚାୟତ କାର୍ଯ୍ୟାଳୟ ଦୋବଲଠାରେ ହେଉ ବୋଲି ଅଡ଼ି ବସି ବିଡିଓଙ୍କୁ ଦୁଇ ପଟୁ ଘେରିଯିବା ସହ ଜାଗା ଚିହ୍ନଟ ବେଳେ ବ୍ୟବହାର କରାଯାଇଥିବା ଫିତାକୁ ଛିଣ୍ଡାଇ ଫିଙ୍ଗି ଦେଇଥିଲେ।

ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ଶତାଧିକ ଲୋକଙ୍କ ବିରୋଧ ଯୋଗୁଁ ପୁଲିସକୁ ନାକେଦମ୍‌ ହେବାକୁ ପଡିଥିଲା। ଗ୍ରାମବାସୀଙ୍କ ଆକ୍ରୋଶ ଉଗ୍ରରୂପ ଧାରଣ କରୁଥିବାବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଏସ୍‌ଡିପିଓ ବିଜୟକୃଷ୍ଣ ମହାପାତ୍ର ବିଡିଓଙ୍କୁ ଜାଗା ଚିହ୍ନଟ ନ କରି ଫେରିଯିବା ପାଇଁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଏ ନେଇ ଆଲୋଚନା ହେବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ଗ୍ରାମମାସୀଙ୍କୁ କୁହାଯାଇଥିଲା। ତେବେ କରୋନା କଟକଣା ଓ ସଟ୍‌ଡାଉନ୍ ଭିତରେ ବି ଶହ ଶହ ଲୋକ ବିନା ମାସ୍କରେ ଏକାଠି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମହାମାରୀ ପାଇଁ କଡ଼ାକଡ଼ି ପାଳନ ହେଉଥିବା କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ଗ୍ରାମବାସୀ ଫୁ’ କରି ଦେଇଥିଲେ।

ପ୍ରକାଶଥାଉକି, ୨୦୧୭ ମସିହାରେ ମୁସ୍ତଫାପୁର ପଞ୍ଚାୟତରୁ ଅଲଗା ହେବା ପରେ ଦୋବଲ ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ଏକ କମ୍ୟୁନିଟି ସେଣ୍ଟରରେ ଚାଲିଥିଲା। ନୂତନ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ୩୫ ଲକ୍ଷ ଟଙ୍କା ମଞ୍ଜୁର ମଧ୍ୟ ହୋଇଥିଲା। ୮ ମାସ ତଳେ ଦୋବଲ ପଞ୍ଚାୟତର ସୋଧଠାରେ ନୂତନ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଶୁଭ ଦିଆଯାଇଥିବାବେଳେ ସୀମା ବିବାଦକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଥିଲା। ଗୋଟିଏ ଗୋଷ୍ଠୀ ସୋଧଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ବିରୋଧ କରିଥିଲେ। ପରେ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ସୋଧଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ଓ ଧାମନଗର ବିଡିଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର