ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଦୋଳିବେଦି ଭଙ୍ଗା ତାତି ଦେଖିବାକୁ ମିଳିଛି। ପରିଚାଳନା କମିଟି ସଦସ୍ୟମାନେ ଏହି ପ୍ରସଙ୍ଗରେ ଠିକା ସଂସ୍ଥାଠାରୁ ଜବାବ ମାଗିଛନ୍ତି। ଶ୍ରୀମନ୍ଦିର ଦୋଳବେଦି ଐତିହ୍ୟ ସଂପନ୍ନ, ଏହାକୁ କିଏ ଭାଙ୍ଗିଲା ବୋଲି ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛନ୍ତି। ଆଗକୁ ଯେଭଳି ଦୋଳବେଦି ପାଚେରି ଭଙ୍ଗା ନ ହେବ, ସେ ଉପରେ ଦୃଷ୍ଟି ଦେବାକୁ ବି ଦାବି ହୋଇଛି।
ପରିଚାଳନା କମିଟି ସଦସ୍ୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ଏହି ପ୍ରସଙ୍ଗ ଉଠାଇଥିଲେ। ଦୋଳବେଦି ଐତିହ୍ୟସଂପନ୍ନ ହୋଇଥିବାରୁ ଏହାକୁ ଭାଙ୍ଗିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଥିଲେ। ଭାଙ୍ଗିବା ପରେ ଅସୁନ୍ଦର ଦିଶୁଥିବା ଦୋଳବେଦିର କିଛି ଫଟୋ ବି ପରିଚାଳନା କମିଟି ସଦସ୍ୟଙ୍କୁ ଦେଖାଇଥିଲେ। ଆଲୋଚନା ପରେ ଠିକା ସଂସ୍ଥା ଓ ଶ୍ରୀମନ୍ଦିର ପ୍ରଶାସନ ଆଗକୁ ଆଉ ଦୋଳବେଦି ପାଚେରି ଭଙ୍ଗାଯିବନି ବୋଲି କହିଛନ୍ତି। ଯେତିକି ପାଚେରି ଭଙ୍ଗାଯାଇଛି, ତାକୁ ପୁଣିଥରେ ତିଆରି କରାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗତ ୧୧ ତାରିଖ ବିଳମ୍ବିତ ରାତିରେ ଜେସିବି ଲଗାଇ ଦୋଳବେଦି ପାଚେରିକୁ ଭାଙ୍ଗି ଦିଆଯାଇଥିଲା। ଶ୍ରୀମନ୍ଦିର ସମସାମୟିକ ଏହି ପାଚେରିକୁ ଭାଙ୍ଗି ଦିଆଯିବା ପରେ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେପଟେ ଏହି ପାଚେରିରେ ଲାଗିଥିବା ବହୁ ପ୍ରାଚୀନ ମୂର୍ତ୍ତିକୁ ନେଇ ବି ପ୍ରଶ୍ନ ଉଠିଥିଲା।