୮୦ ବର୍ଷ ବୟସରେ ବି ସେବାରେ ବ୍ରତୀ ଡାକ୍ତର ସଦାନନ୍ଦ

ଗୋଳନ୍ଥରା: କେବଳ ଔଷଧ ନୁହେଁ, ମିଠା ମିଠା କଥା ଓ ଉତ୍ତମ ବ୍ୟବହାରରେ ଜଣେ ରୋଗୀର ମାନସିକ ସ୍ଥିତିରେ ପରିବର୍ତ୍ତନ ଅଣାଯାଇପାରିବ। ସଞ୍ଜୟ ଦତ୍ତଙ୍କ ଅଭିନୀତ ବଲିଉଡ୍ ଚଳଚ୍ଚିତ୍ର ‘ମୁନା ଭାଇ ଏମ୍‌ବିବିଏସ୍’କୁ ଦେଖିଲେ ଜଣେ ନିଶ୍ଚିତ ଭାବେ ଏହାକୁ ହୃଦୟଙ୍ଗମ କରିପାରିବ। ହେଲେ ରିୟଲ୍ ଲାଇଫ୍‌ରେ ଏହି କଥାକୁ ସତ କରି ଦେଖାଇଛନ୍ତି ଡା.ସଦାନନ୍ଦ ସାମନ୍ତରା। ୮୦ ବର୍ଷ ବୟସରେ ବି କର୍ମଠ ସାଜି ରୋଗୀ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ସେ। ଆଉ ରୋଗୀଙ୍କ ପ୍ରତି ତାଙ୍କର ଉତ୍ତମ ବ୍ୟବହାର ଓ ସ୍ନେହ ମନୋଭାବ ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି।
ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ରଣ୍ଢାର ବାସିନ୍ଦା ଡା.ସଦାନନ୍ଦ ସାମନ୍ତରା। ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସଭିଙ୍କ ଗହଣରେ ସଦାନନ୍ଦ ମାଷ୍ଟ୍ରେ ଭାବେ ପରିଚିତ। ଦେହରେ ବଳ କମିଥିଲେ ବି ରୋଗୀ ସେବା ଲାଗି ମନୋବଳ କମିନି। ଜଣେ କର୍ତ୍ତବ୍ୟନିଷ୍ଠ ଡାକ୍ତର ଭାବେ ପରିଚୟ ତିଆରି କରିଥିବା ସଦାନନ୍ଦଙ୍କ ଘରକୁ ‌ଯେଉଁ ସମୟରେ ବି ରୋଗୀ ଆସିଲେ ସବୁ କାମ ଛାଡ଼ି ସେ ସେବାରେ ଲାଗି ପଡ଼ନ୍ତି। ସବୁଠୁ ବଡ଼ କଥା ହେଲା, କରୋନା ମହାମାରୀ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ସମୟରେ ମଧ୍ୟ ସେ ନିଜ କର୍ତ୍ତବ୍ୟ ଠାରୁ ପାଦ ପଛକୁ ଫେରାଇ ନଥିଲେ। ନିରନ୍ତର ଭାବେ ‌ରୋଗୀଙ୍କୁ ସେବା ଜାରି ରଖିଥିଲେ।
ରଣ୍ଢାରେ ସଦାନନ୍ଦ ୧୯୪୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ବାପା ଅକ୍ରୁର ସାମନ୍ତରା ଓ ମାଆ ଉଲି ସାମନ୍ତରା। ପିଲାଟି ଦିନରୁ ମେଧାବୀ ଛାତ୍ର ସଦାନନ୍ଦ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ବାଧକ ସାଜିଥିଲା ଅର୍ଥ। ପୁଅର ପାଠପଢ଼ା ପ୍ରତି ଆଗ୍ରହ ଦେଖି ବାପା ଅକ୍ରୁର ଜମିବାଡ଼ି ବିକି ଦେଇଥିଲେ। ୧୯୬୩ ମସିହାରେ ସଦାନନ୍ଦ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜା ମେଡ଼ିକାଲ କଲେଜରେ ଡାକ୍ତରୀ ଶିକ୍ଷା ଆରମ୍ଭ କରି ୧୯୭୦ ରେ ଏମବିବିଏସ ଡିଗ୍ରୀ ହାସଲ କରିଥିଲେ। କିନ୍ତୁ ଚାକିରି ନକରି ଗାଁରେ ହିଁ ରହି ଲୋକଙ୍କ ସେବା ଆରମ୍ଭ କରିଥିଲେ। ଆଉ ସଭିଙ୍କ ମହଲରେ ସଦାନନ୍ଦ ମାଷ୍ଟ୍ରେ ଭାବେ ପରିଚିତ ହୋଇଯାଇଥିଲେ।
ଏହା ମଧ୍ୟରେ ସେ ୮୦ଟି ବସନ୍ତ ଅତିକ୍ରମ କରିସାରିଛନ୍ତି। କିନ୍ତୁ ଆଜି ବି କର୍ମଠ ଓ ପରିଶ୍ରମୀ। ଗାଁର ଯାହାକୁ ଯେଉଁ ରୋଗ ହେଲା ସଦାନନ୍ଦ ତାକୁ ନିଜ ସାମର୍ଥ୍ୟ ଅନୁଯାୟୀ ସେବା ଯୋଗାଇ ଆସୁଛନ୍ତି। କାହାକୁ ବି ନିରାଶ କରୁନାହାନ୍ତି। ଆଉ ସମସ୍ତଙ୍କୁ ଭଲ ବ୍ୟବହାର ଦେଖାଇବା ସହ ସେମାନଙ୍କ ମନୋବଳକୁ ବଢ଼ାଇ ଚାଲିଛନ୍ତି। ଏବେବି ରାତି ଅଧରେ ରୋଗୀଟିଏ ତାଙ୍କୁ ଡାକିଲେ ସେବା କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଗରିବଗୁରୁବାଙ୍କୁ ମାଗଣାରେ ସେବା ଯୋଗାଇ ଦିଅନ୍ତି। ଫଳରେ ସେ ସଭିଙ୍କ ମହଲରେ ଗରିବଙ୍କ ଡାକ୍ତର ଭାବେ ପରିଚୟ ତିଆରି କରିଛନ୍ତି। ସଦାନନ୍ଦ ମାଷ୍ଟ୍ରେଙ୍କ ହାତ ବାଜିଲେ ଯେକୌଣସି ରୋଗ ଭଲ ହୋଇଯାଏ ବୋଲି ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ବିଶ୍ବାସ ରହିଛି। କରୋନା ଭଳି ଘଡ଼ିସନ୍ଧି ସମୟରେ ବି ସେ ଅନବରତ ଭାବେ ରୋଗୀ ସେବା କରି ଚାଲିଛନ୍ତି। ସଦାନନ୍ଦଙ୍କ  ପରିବାର କହିଲେ ପତ୍ନୀ ଡାକ୍ତର ସୁକାନ୍ତି ପାଣିଗ୍ରାହୀ। ସେମାନଙ୍କ ଗୋଟିଏ ପୁଅ ଓ ଦୁଇ ଝିଅ ଅଛନ୍ତି l
ସମ୍ବନ୍ଧିତ ଖବର