କ୍ଲିନିକରୁ ନବଜାତ ଶିଶୁ ପୁତ୍ର ନିଖୋଜ! ସନ୍ଦେହ ଘେରରେ ଏଏନ୍ଏମ୍-ସ୍ବାସ୍ଥ୍ୟକର୍ମୀ-ଡାକ୍ତରଙ୍କ ଭୂମିକା

ରାୟଗଡ଼ା: କ୍ଲିନିକରୁ ନବଜାତ ଶିଶୁ ପୁତ୍ର ନିଖୋଜ। ଜନ୍ମର ଅଢ଼େଇ ମାସ ପରେ ବି ମିଳୁନି ଶିଶୁର ଖୋଜ ଖବର। ଚିକିତ୍ସାଧୀନ କ୍ଲିନିକରେ ଶିଶୁପୁତ୍ରକୁ ନ ପାଇବା ପରେ ପରିବାର ଲୋକ ଚିନ୍ତାରେ ପଡିଥିବା ବେଳେ ୧୫ ଦିନର ଚିକିତ୍ସା ପରେ ଶିଶୁର ମୃତ୍ୟୁ ହୋଇଥିବା କହିଛନ୍ତି ଘରୋଇ କ୍ଲିନିକ୍ ଡାକ୍ତର। କିନ୍ତୁ ଚିକିତ୍ସା ବାବଦ ବିଲ୍ ୩୭ ହଜାର ୫୦୦ ଟଙ୍କା ଦେଇନପାରିବା କାରଣରୁ କ୍ଲିନିକ୍ କର୍ତ୍ତୃପକ୍ଷ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଯାହାକୁ ନେଇ ରାୟଗଡ଼ାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରାୟଗଡ଼ା ସଦର ବ୍ଲକ୍ କାରୁବାଇ ଗ୍ରାମର ରାଇସିଂ ମେଲେକାଙ୍କ ସ୍ତ୍ରୀ ପ୍ରଭାତି ମେଲେକା ମାର୍ଚ୍ଚ ୧୭ ତାରିଖରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ନିଜ ଚାଷ ଜମି ନିକଟ କୁଡ଼ିଆରେ ଶିଶୁପୁତ୍ରକୁ ପ୍ରଭାତି ଜନ୍ମ ଦେବା ପରେ ସଙ୍କଟାପନ୍ନ ଅବସ୍ଥାରେ ଆଖି ବୁଜିଥିଲେ। ଖବର ପାଇ ଏଏନ୍ଏମ୍, ସ୍ବାସ୍ଥ୍ୟକର୍ମୀ ଗାଁରେ ପହଞ୍ଚି ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ାର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ।

ଶିଶୁପୁତ୍ରର ସ୍ବାସ୍ଥ୍ୟବସ୍ଥା ଭଲନଥିବାରୁ ୧୫ ଦିନ ଧରି ଘରୋଇ କ୍ଲିନିକର ଡାକ୍ତର ଚିକିତ୍ସା କରିଥିଲେ। ପରିବାର ଲୋକ ଶିଶୁକୁ ଆଣିବା ପାଇଁ କ୍ଲିନିକରେ ପହଞ୍ଚିବା ପରେ ଚିକିତ୍ସା ବାବଦ ବିଲ୍ ୩୭ ହଜାର ୫୦୦ ଟଙ୍କା ପୈଠ କରିବାକୁ କହିଥିଲେ କ୍ଲିନିକ୍ କର୍ତ୍ତୃପକ୍ଷ। ଏତେ ଟଙ୍କା ପୈଠ କରିବାରେ ଶିଶୁପୁତ୍ରର ବାପା ରାଇସିଂ ସକ୍ଷମ ନଥିବାରୁ ଶିଶୁକୁ କ୍ଲିନିକରେ ଛାଡ଼ି ଚାଲି ଆସିଥିଲେ। ପରବର୍ତ୍ତୀ ସମୟରେ କାରୁବାଇ ସରପଞ୍ଚଙ୍କ ସହ ରାଇସିଂ କ୍ଲିନିକକୁ ଯାଇ ଶିଶୁପୁତ୍ରର ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ଶିଶୁପୁତ୍ର ସୁସ୍ଥ ଥିବା ଦେଖିଥିଲେ। ଗରିବ ଆଦିବାସୀ ଶ୍ରେଣୀର ରାଇସିଂ ଟଙ୍କା ଯୋଗାଡ଼ରେ ଲାଗିଥିବା ବେଳେ କୌଣସି ସୂତ୍ରରୁ କ୍ଲିନିକରେ ଶିଶୁପୁତ୍ର ନଥିବା ଜାଣିବାକୁ ପାଇଥିଲେ। ଖବର ପାଇ କ୍ଲିନିକରେ ରାଇସିଂ ପରିବାର ଲୋକଙ୍କ ସହ ପହଞ୍ଚିବା ପରେ ୧୫ ଦିନର ଚିକିତ୍ସା ପରେ ଶିଶୁପୁତ୍ରର ମୃତ୍ୟୁ ହୋଇ ଯାଇଥିବା କର୍ତ୍ତୃପକ୍ଷ କହିଥିଲେ। ମୃତ୍ୟୁ ସଂପର୍କରେ କୌଣସି ସୂଚନା ନ ଦେଇ ମୃତଦେହକୁ କୁଆଡ଼େ ନେଲ ବୋଲି ରାଇସିଂ ଓ ଗ୍ରାମବାସୀ କ୍ଲିନିକ୍ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ। ଯୋଗାଯୋଗ ପାଇଁ ମୋବାଇଲ୍ ନଂ କିମ୍ବା କୌଣସି ଠିକଣା ନଥିବାରୁ ଶିଶୁପୁତ୍ରର ମୃତ୍ୟୁ ପରେ ଶବ ସଂସ୍କାର କରାଯାଇଥିବା କ୍ଲିନିକ୍ କର୍ତ୍ତୃପକ୍ଷ କହିଛନ୍ତି।

ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମେ ବିଲ୍ ପାଇଁ ନବଜାତକକୁ ପରିବାର ଲୋକଙ୍କୁ ହସ୍ତାନ୍ତର ନ କରିବା ଏବଂ ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କ ଅଜାଣରେ ଶିଶୁପୁତ୍ରର ମୃତଦେହ ସଂସ୍କାର କରିବା ଦୁଇଟି ଭିନ୍ନ କଥାକୁ ନେଇ ଅଡ଼ୁଆରେ ପଡିଛନ୍ତି କ୍ଲିନିକ୍ କର୍ତ୍ତୃପକ୍ଷ। ସରକାରୀ ନିୟମ ମୁତାବକ ନବଜାତ ଶିଶୁପୁତ୍ରକୁ ଚିକିତ୍ସା ପାଇଁ ସରକାରୀ ମେଡ଼ିକାଲରେ ଭର୍ତ୍ତି କରିବାର ନିୟମ ଥିବା ବେଳେ ଏଏନ୍ଏମ୍, ସ୍ବାସ୍ଥ୍ୟକର୍ମୀ କାହିଁକି ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ ତାହା ତଦନ୍ତ ସାପେକ୍ଷ। ଅନ୍ୟପକ୍ଷରେ ପରିବାର ଲୋକଙ୍କୁ ଡାକ୍ତର-ଏଏନ୍ଏମ୍-ସ୍ବାସ୍ଥ୍ୟକର୍ମୀ ଦେଉଥିବା ସୂଚନାରେ କୌଣସି ତାଳମେଳ ରହୁନଥିବାରୁ ଶିଶୁପୁତ୍ର ନିଖୋଜ ଅଛି ନା ତାର ମୃତ୍ୟୁ ହୋଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଘଟଣା ଲୋକଲୋଚନକୁ ଆସିବା ପରେ କ୍ଲିନିକ୍ କର୍ତ୍ତୃପକ୍ଷଙ୍କ ବେପାରୁଆ ବିବୃତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପକ୍ରାଶ କରିଛନ୍ତି କାରୁବାଇ ଗ୍ରାମର ଅଙ୍ଗନବାଡ଼ିକର୍ମୀ ପାର୍ବତୀ ମାଣ୍ଡାଙ୍ଗି।

ଅଙ୍ଗନବାଡ଼ି କର୍ମୀ କହିଛନ୍ତି ଚିକିତ୍ସାଧୀନ ଶିଶୁପୁତ୍ରର ମୃତ୍ୟୁ ପରେ କ୍ଲିନିକ୍ କର୍ତ୍ତୃପକ୍ଷ ସୂଚନା ଦେବା କଥା। ଆମେ ମୃତଦେହ ଗାଁକୁ ଆଣି ସଂସ୍କାର କରିଥାନ୍ତୁ। କିନ୍ତୁ ତାହା ନ କରି ପରିବାର ଲୋକଙ୍କ ଅଜାଣରେ ମୃତଦେହ ସଂସ୍କାର କରିବା ବେଆଇନ। ତେବେ ଏ ସଂପର୍କରେ ଘରୋଇ କ୍ଲିନିକର ଡାକ୍ତର ନବ କିଶୋର କୁଣ୍ଡୁଙ୍କୁ ପଚାରିବାରୁ ବିଲ୍ ପୈଠ ପାଇଁ ନବଜାତକକୁ କ୍ଲିନିକରେ ଅଟକ ରଖାଯାଇନଥିଲା। ୧୫ ଦିନର ଚିକିତ୍ସା ପରେ ମୃତ୍ୟୁ ହେବା ପରେ ଯୋଗାଯୋଗ ଠିକଣା ନ ମିଳିବାରୁ ମୃତଦେହକୁ ସଂସ୍କାର କରାଯାଇଛି।

ସମ୍ବନ୍ଧିତ ଖବର