ଭଦ୍ରକ: ଜଣେ ଡାକ୍ତରଙ୍କ ସେବାରେ ଖୁସି ହୋଇ ଜଣେ ବୃଦ୍ଧାଙ୍କ ଆଖିରୁ ଗଡ଼ିିପଡ଼ିିଛି ଆନନ୍ଦର ଅଶ୍ରୁ। କୁହାଯାଏ ଡାକ୍ତର ଓ ରୋଗୀଙ୍କ ସଂପର୍କ ବେଶ ନିବିଡ଼ ହେବା ଦରକାର। ଜଣେ ଡାକ୍ତରଙ୍କର ମଧୁର ବଚନରେ ରୋଗୀର ଅଧା ରୋଗ ଭଲ ହୋଇଯାଏ। ଏମିତି ଜଣେ ରୋଗୀ ଓ ଜଣେ ଭଲ ଡାକ୍ତରଙ୍କର ସଂପର୍କ ସୋମବାର ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ।
Sambad is now on WhatsApp
Join and get latest news updates delivered to you via WhatsApp
ଭଦ୍ରକ ମେଡିକାଲକୁ ନିଜର ରୋଗ ଦେଖାଇବାକୁ ଆସିଥିଲେ ଚରମ୍ପା ଅଞ୍ଚଳର ରତ୍ନମଣି ନାମକ ଜଣେ ବୃଦ୍ଧା। ବୟସ ୭୦ ବର୍ଷରୁ ଉର୍ଦ୍ଧ୍ଵ ହେବ। ଏଇ ବୃଦ୍ଧା ଜଣଙ୍କ ଭଦ୍ରକ ମେଡିକାଲର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଆର୍ଯ୍ୟ ମିଶ୍ରଙ୍କୁ ଚିହ୍ନିବା ପରେ ତାଙ୍କୁ କୁଣ୍ଢାଇ ପକାଇ ଭୋ ଭୋ ହୋଇ କାନ୍ଦି ପକାଇଲେ। ବାପରେ… ଧନରେ… କହି ଗେହ୍ଲ କରି ଦେଲେ। ଚାରି ବର୍ଷ ତଳେ ଡାକ୍ତର ଆର୍ଯ୍ୟ ମିଶ୍ରଙ୍କ ନିକଟକୁ ଆସିଥିଲେ ରତ୍ନମଣି।
ତାଙ୍କର ଗୋଡ ହାତ ବିନ୍ଧୁଥିଲା। ଡାକ୍ତର ମିଶ୍ରଙ୍କ ନିକଟରୁ ଔଷଧ ଖାଇ ତାଙ୍କର ରୋଗ ଭଲ ହୋଇଯାଇଥିଲା ବୋଲି ବୃଦ୍ଧା ଜଣଙ୍କ ସେଇ କଥାକୁ ମନେ ପକାଇ କାନ୍ଦି ପକାଇଥିଲେ। ଏବେ ପୁଣି ତାଙ୍କ ଦେହ ଖରାପ ହୋଇଥିବାରୁ ସେ ତାଙ୍କରି ପାଖରୁ ଔଷଧ ଖାଇଲେ ଭଲ ହୋଇଯିବ ବୋଲି କହିଥିଲେ। ଡାକ୍ତର ଆର୍ଯ୍ୟ ମିଶ୍ର ଓ ରୋଗୀଣା ବୃଦ୍ଧାଙ୍କର ଏଇ କଥପୋକଥନ ଓ ବାର୍ତ୍ତାଳାପର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା। ମଧୁର ସଂପର୍କ ଠାରୁ ବଳି ଆଉ କିଛି ଜିନିଷ ନାହିଁ। ଯାହାକି ମଣିଷକୁ ମର୍ତ୍ତ୍ୟରେ ବି ସ୍ୱର୍ଗୀୟ ଆନନ୍ଦ ଦେଇଥାଏ। ମନରେ ଏକ ଅପୂର୍ବ ଖୁସି ଆଣିଦେଇଥାଏ।
ଜଣେ ଡାକ୍ତର ଓ ରୋଗୀଙ୍କ ସଂପର୍କ ମା’-ପୁଅର ସଂପର୍କ ଭଳି ଆହୁରି ନିବିଡ଼ ହୋଇଛି। ଏଇ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଡା ମିଶ୍ରଙ୍କ ସହ ‘ସମ୍ବାଦ’ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ସେ ତାଙ୍କ ପ୍ରତିକ୍ରିୟାରେ କହିଲେ, ସେ ବୃଦ୍ଧା ଜଣଙ୍କ ମୋ ମା’ ବୟସର। ଗତ ଚାରି ବର୍ଷ ତଳେ ତାଙ୍କର ରୋଗ ହୋଇଥିଲା। ସେ ମୋଠାରୁ ଔଷଧ ଖାଇ ଭଲ ହୋଇଥିଲେ। ଏବେ ଯେତେବେଳେ ପୁଣି ତାଙ୍କର ସେହି ରୋଗ ବାହାରିଛି। ସେ ଚିକିତ୍ସା ହେବାକୁ ମେଡିକାଲକୁ ଆସିଥିଲେ। ମୋତେ ଦେଖି ସେ ଚିହ୍ନି ପକାଇଥିଲେ। ପୁଅ ଭଳି କୁଣ୍ଢାଇ ନେଇ କହିଥିଲେ, ମୁଁ ବି ଜଣେ ରୋଗୀ ଓ ମୋ ମା’ ବୟସର ଜଣେ ବୃଦ୍ଧାକୁ ଦେଖି ବେଶ୍ କିଛି ସମୟ ପାଇଁ ଭାବ ବିହ୍ଵଳ ହୋଇଯାଇଥିଲି।